ନୂଆଦିଲ୍ଲୀ ୨୪।୭: ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ (ଫ୍ରି ଟ୍ରେଡ) ରାଜିନାମା ସ୍ୱାକ୍ଷରିତ ହୋଇଛି। ଭାରତ ସରକାର ଏହାକୁ ଏକ ବଡ଼ ସଫଳତା ବୋଲି କହୁଛନ୍ତି, ହେଲେ ଏହି ରାଜିନାମା ସମସ୍ତଙ୍କୁ ସନ୍ତୁଷ୍ଟ କରିପାରୁନି। ଖାସ କରି ଭାରତୀୟ ହ୍ୱିସ୍କି ତିଆରି କରୁଥିବା କମ୍ପାନୀଙ୍କ ମଧ୍ୟରେ ଏହି ଡିଲକୁ ନେଇ ଅସନ୍ତୋଷ ଓ ଭୟ ସ୍ପଷ୍ଚ ବାରି ହୋଇ ପଡୁଛି। କାରଣ ଏହି ରାଜିନାମା ପରେ ଏବେ ବ୍ରିଟେନର ମହଙ୍ଗା ସ୍କଚ୍ ହ୍ୱିସ୍କି ଭାରତରେ ପୂର୍ବାପେକ୍ଷା ଶସ୍ତାରେ ମିଳିବ।
ସ୍କାଏ ନ୍ୟୁଜ୍ ରିପୋର୍ଟ ଅନୁସାରେ ଏହି ଡିଲ ପରେ ଭାରତ ସ୍କଚ୍ ହ୍ୱିସ୍କି ଉପରେ ଲାଗୁ ହେଉଥିବା ୧୫୦% ଶୁଳ୍କକୁ ହ୍ରାସ କରି ୭୫% କରିବାକୁ ଯାଉଛି। ଅର୍ଥାତ ଯେଉଁ ହ୍ୱିସ୍କି ପୂର୍ବେ କେବଳ ଧନୀକଙ୍କ ସଉକ ଥିଲା ଏବେ ବେଶ ସହଜରେ ସାଧାରଣ ଦୋକାନରେ ଓ ଶସ୍ତା ଦରରେ ମିଳିବ। କନଫେଡେରେସନ ଅଫ ଇଣ୍ଡିଆନ ଆଲକୋହଲିକ ବିଭରେଜ କମ୍ପନୀଜ୍ (ସିଆଇଏବିସି)ର ମହାନିର୍ଦ୍ଦେଶକ ଅନନ୍ତ ଏସ୍.ଆୟର କହିଛନ୍ତି ଯେ ଏହା ଦ୍ୱାରା ଭାରତୀୟ ବ୍ରାଣ୍ଡଙ୍କ ଉପରେ ଦୋହରା ମାଡ଼ ପଡିବ। ଗୋଟିଏ ପଟେ ପ୍ରଥମରୁ ମହଙ୍ଗା ଉତ୍ପାଦନ ଉପରେ ବାହାରୁ ଆସୁଥିବା ଶସ୍ତା ପ୍ରଡକ୍ଟ ଚାପ ପକାଇବ।
ସେ କହିଛନ୍ତି ଯେ ଆମ ଦେଶର ପାଗ ଉଷ୍ମ। ଏଥିରେ ହ୍ୱିସ୍କି ଖୁବ୍ ଶୀଘ୍ର ରାନ୍ଧି ହୋଇଯାଏ, ହେଲେ ଏହାକୁ ସ୍କଚ୍ ରେ ରୂପାନ୍ତରିତ କରିବା ପାଇଁ ୩ବର୍ଷ ପର୍ଯ୍ୟନ୍ତ କାଠ ଖୋଳରେ ପୁରାଇ ରଖାଯାଇଥାଏ। ମଦକୁ ଏତେ ସମୟ କାଠ ଖୋଳରେ ବନ୍ଦ ରଖିବା ଦ୍ୱାରା ଏକ ତୃତୀୟାଂଶ ମଦ ଉଡି ଯାଇଥାଏ। ଏଣୁ ଆମ ଦେଶରେ ସ୍କଚ୍ ହ୍ୱିସ୍କି ମହଙ୍ଗା, ଭାରତୀୟ ଲୋକେ ହ୍ୱିସ୍କି ସୌକିନ, ଏଣୁ ସାରା ବିଶ୍ୱର ସବୁଠୁ ଅଧିକ ହ୍ୱିସ୍କି ଭାରତରେ ବିକ୍ରି ହୋଇଥାଏ। ତେବେ ଭାରତରେ ବିକ୍ରି ହେଉଥିବା ଅଧିକାଂଶ ବ୍ରାଣ୍ଡ ଦେଶୀ। ଏଥିରେ ସ୍କଚ୍ ହ୍ୱିସ୍କି ବିକ୍ରି ପରିମାଣ ମାତ୍ର ୩%। ଏଥିରେ ସ୍କଚ୍ ଶସ୍ତାରେ ମିଳିବା ଯୋଗୁ ଲୋକେ ସେଇଆଡକୁ ଆକର୍ଷିତ ହେବେ।
ଯଦି ସିଆଇଏବିସି କଥାକୁ ବିଶ୍ୱାସକୁ ନିଆଯାଏ ତେବେ ଶସ୍ତା ଦରରେ ଅନେକ ବିଦେଶୀ ମଦ ବ୍ରାଣ୍ଡ ଭାରତକୁ ପଶି ଆସିବେ। ଏଣୁ ଦେଶୀୟ କମ୍ପାନୀଙ୍କ କାରବାର କମିବ ଓ ବଜାର ଉପରେ କମ୍ପାନୀଙ୍କ ପୂର୍ବ ଭଳି ନିୟନ୍ତ୍ରଣ ରହିବନି। କେବଳ ଏତିକି ନୁହେଁ ବିଦେଶୀ ବ୍ରାଣ୍ଡଙ୍କ ମାର୍କେଟିଂ ଓ ବ୍ରାଣ୍ଡ ଭାଲ୍ୟୁ ପୂର୍ବାପେକ୍ଷା ଏବେ ଅଧିକ ରହିଛି। ଏହି ଟ୍ରେଡ ଡିଲ କେବଳ ମଦ ପର୍ଯ୍ୟନ୍ତ ସୀମିତ ନୁହେଁ କେତେକ ଅନ୍ୟ ସେକ୍ଟରରେ ମଧ୍ୟ ବ୍ରିଟେନକୁ ଭାରତ ଅନୁମତି ଦେଇଛି। ତେବେ ରୁଲସ୍ ଅଫ ଓରିଜିନ ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି।
ଏହାର ଅର୍ଥ ହେଉଛି ଯେଉଁ ପ୍ରଡକ୍ଟ ଭାରତକୁ ଆସିବ ତାହା ଅସଲରେ କେଉଁଠି ନିର୍ମିତ? ଯଦି ଏହି ନିୟମ ଢିଲା ହୁଏ ତେବେ ଅନ୍ୟ ଦେଶ ବ୍ରିଟେନ ରାସ୍ତାରେ ନିଜର ଶସ୍ତା ସାମଗ୍ରୀକୁ ଭାରତ ପଠାଇ ପାରିବେ। ଏହା ଦ୍ୱାରା ଭାରତରେ ସ୍ଥାନୀୟ ନିର୍ମିତ ଉତ୍ପାଦ ଗୁରୁତର ପ୍ରଭାବିତ ହେବ। ଏହା ଛଡା ବ୍ରିଟେନର କାର୍ବନ ଟ୍ୟାକ୍ସ ମଧ୍ୟ ଏକ ଚିନ୍ତାର ବିଷୟ। ଏହା ଦ୍ୱାରା ଭାରତର ଷ୍ଟିଲ ଓ ଅନ୍ୟ ମେଟାଲ ପ୍ରଡକ୍ଟର ଏକ୍ସପର୍ଟ ମହଙ୍ଗା ହୋଇପାରେ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ଏହି ଡିଲରେ କୌଣସି ସମସ୍ୟା ଉପୁଜେ ଏହାର ସମାଧାନ କେଉଁଠି ହେବ?ଏହା ଉପରେ ମଧ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜବାବ ଆସି ନାହିଁ।
ସରକାର କହୁଛନ୍ତି ଏହି ରାଜିନାମା ଯୋଗୁ ଏକ୍ସପର୍ଟ ବଢିବ ସାଙ୍ଗକୁ ବିଦେଶୀ ନିବେଶ ଆସିବା ସହ ରୋଜଗାର ମଧ୍ୟ ବଢିବ। ହେଲେ ବାସ୍ତବ କଥା ହେଉଛି କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ, ଯେଉଁମାନେ ଖାସ କରି ଦେଶୀବ୍ରାଣ୍ଡ ସବୁ ତିଆରିକରୁଛନ୍ତି ସେମାନେ ଏହା ଦ୍ୱାରା ନିଜକୁ ଅସୁରକ୍ଷିତ ଅନୁଭବ କରୁଛନ୍ତି। ଗୋଟିଏ ପଟେ ଏହି ରାଜିନାମା ଦେଶର କିଛି ବଡ଼ କମ୍ପାନୀଙ୍କୁ ଲାଭାନ୍ୱିତ କରିପାରେ। ହେଲେ କ୍ଷୁଦ୍ର ଉଦ୍ୟୋଗ ଲାଗି ସମସ୍ୟାର କାରଣ ହୋଇପାରେ।
‘ଫ୍ରି ଟ୍ରେଡ ଏଗ୍ରିମେଣ୍ଟ’ ଶୁଣିବାକୁ ଭାଲ ଲାଗୁଥାଇପାରେ, ହେଲେ ଏହାର ପ୍ରଭାବ ଯୋଗୁ ଯେତେବେଳେ ସ୍ଥାନୀୟ ବାଣିଜ୍ୟ ପ୍ରଭାବିତ ହେବାକୁ ଲାଗିବ ଏଥିରୁ ଲାଭ କମ ଓ କ୍ଷତି ଅଧିକ ହେବ। ସ୍କଚ୍ ଶସ୍ତାରେ ମିଳିବା ଯୋଗୁ ହୁଏତ ଗ୍ରାହକ ଲାଭବାନ ହୋଇ ପାରନ୍ତି, ହେଲେ ଏହା ଯୋଗୁ ଯଦି ଦେଶର କମ୍ପାନୀ ବନ୍ଦ ହେଲେ ଦୀର୍ଘକାଳୀକ ଅବଧିରେ ଏହି ଡିଲ କ୍ଷତିର କାରଣ ହେବ। ଏଣୁ ସରକାରଙ୍କୁ ଏବେ ଦେଖିବାକୁ ପଡିବ ବିଦେଶୀ ବ୍ରାଣ୍ଡକୁ ଜାଗା ଦେବା ପାଇଁ ଭାରତୀୟ ଉଦ୍ୟୋଗଙ୍କୁ କିପରି ସୁରକ୍ଷିତ ରଖା ଯାଇ ପାରିବ। ଏହା ଦ୍ୱାରା ମୁକ୍ତ ବ୍ୟାପାର ରାଜିନାମା ଉଭୟପକ୍ଷଙ୍କ ଲାଗି ବାସ୍ତିବିକ୍ ଫ୍ରି ଓ ଫେୟାର ହୋଇ ପାରିବ।