ଭାରତୀୟ ହକି ଟିମ୍ ର ଦିଗ୍ଗଜ ଗୋଲକିପର ଶ୍ରୀଜେସ୍ ଙ୍କ ସନ୍ୟାସ ଘୋଷଣା, ଜାଣନ୍ତୁ କେବେ ଖେଳିବେ ଶେଷ ମ୍ୟାଚ୍?

Published By : Prameya-News7 Bureau | July 22, 2024 IST

ନୂଆଦିଲ୍ଲୀ : ଭାରତୀୟ ପୁରୁଷ ହକି ଟିମ୍‌ର ଅଭିଜ୍ଞ ଗୋଲକିପର ତଥା କ୍ୟାପ୍ଟେନ ପି.ଆର.ଶ୍ରୀଜେସ୍ ସୋମବାର ସନ୍ୟାସ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ପ୍ୟାରିସ୍ ଅଲିମ୍ପିକ୍ ତାଙ୍କର ଶେଷ ଅନ୍ତର୍ଜାତୀୟ ଗସ୍ତ ହେବ। ୩୬ ବର୍ଷ ବୟଷ୍କ ଶ୍ରୀଜେସ୍ ଙ୍କ ନିମନ୍ତେ ଏହା ଚତୁର୍ଥ ଅଲିମ୍ପିକ। ୨୦୧୬ ରିଓ ଅଲିମ୍ପିକ୍‌ରେ ସେ ଭାରତୀୟ ଟିମ୍‌ର ନେତୃତ୍ୱ ନେଇଥିଲେ ଓ ଟିମ୍‌ ତାଙ୍କ ଅଧିନାୟକତ୍ୱରେ ଅଷ୍ଟମ ସ୍ଥାନକୁ ପହଞ୍ଚିଥିଲା। ତେବେ ୨୦୨୦ ଟୋକିଓ ଅଲିମ୍ପିକରେ ଭାରତୀୟ ଟିମ୍‌ ସହିତ ସେ କାଂସ୍ୟ ପଦକ ଜିତିଥିଲେ। 

ଶ୍ରୀଜେସ୍ ଭାରତ ନିମନ୍ତେ ୩୨୮ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଏହା ଛଡା ସେ ଅନେକ କମନୱେଲଥ ଗେମ ଓ ବିଶ୍ୱକପରେ ଅଂଶଗ୍ରହଣ କରିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ ଜୁଲାଇ ୨୬ରୁ ଆରମ୍ଭ ହେବ। ହକି ଇଣ୍ଡିଆର ପ୍ରେସ ବିଜ୍ଞପ୍ତିରେ ଶ୍ରୀଜେସ୍ କହିଛନ୍ତି ଯେ ମୁଁ ପ୍ୟାରିସରେ ଶେଷ ଟୁର୍ଣ୍ଣାମେଣ୍ଟ ପାଇଁ ଏବେ ପ୍ରସ୍ତୁତି କରୁଛି। ସେ ହକିରେ ତାଙ୍କ ଯାତ୍ରାକୁ ଅସାଧାରଣ କହିଛନ୍ତି। ଏଥି ପାଇଁ ସେ ତାଙ୍କ ପରିବାର, ଟିମ୍‌ର ସାଥୀ ଖେଳାଳି, କୋଚ୍, ଫ୍ୟାନସ ଓ ହକି ଇଣ୍ଡିଆର ଭଲ ପାଇବା ଓ ସମର୍ଥନ ପାଇଁ ମୁଁ ସାରା ଜୀବନ ଋଣୀ ରହିବି। ମୋ ଉପରେ ବିଶ୍ୱାସ ସ୍ଥାପନା କରିଥିବାରୁ ଧନ୍ୟବାଦ। 

ସେ କହିଛନ୍ତି ଯେ ଆମେ ସମସ୍ତେ ପ୍ୟାରିସ୍ ରେ ଆମର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚାହୁଁଛୁ। ଏଣୁ ଆଶା କରୁଛୁ ଆମ ପଦକର ରଙ୍ଗ ନିଶ୍ଚିତ ବଦଳିବ। ୨୦୧୦ ବିଶ୍ୱକପରେ ଡେବ୍ୟୁ କରିବା ପରେ ଶ୍ରୀଜେସ୍ ଭାରତର ଅନେକ ସ୍ମରଣୀୟ ବିଜୟରେ ସାମିଲ ରହିଛନ୍ତି। ଯେଉଁଥିରେ ୨୦୧୪ ଏସିୟାଡରେ ସ୍ୱର୍ଣ୍ଣ ଓ ୨୦୧୮ ଏସିୟାଡରେ କାଂସ୍ୟ ପଦକ ସାମିଲ। ସେ ୨୦୧୮ରେ ଯୁଗ୍ମ ବିଜେତା ଟିମ ବ୍ୟତୀତ ୨୦୧୯ ଭୁବନେଶ୍ୱର ଏଫଆଇଏଚ୍ ପୁରୁଷ ସିରିଜ ଫାଇନାଲ ଚାମ୍ପିୟନ ଟିମ୍‌ରେ ବି ଥିଲେ। 

ଏହା ଛଡା ୨୦୨୨ କମନୱେଲଥ ଗେମରେ ରୌପ୍ୟ ପଦକ ଓ ୨୦୨୩ ଚାମ୍ପିୟନ ଟ୍ରଫି ବିଜେତା ଟିମର ଅଂଶ ବି ଥିଲେ। ୨୦୨୨ ଏସିଆଡରେ ସେ ଭାରତର ସ୍ୱର୍ଣ୍ଣ ବିଜୟରେ ମଧ୍ୟ ସହଯୋଗୀ ଥିଲେ। ଶ୍ରୀଜେସ୍ ଙ୍କୁ ୨୦୨୧ରେ ଖେଳ ରତ୍ନ ପୁରସ୍କାରରେ ସମ୍ମାନୀତ ହୋଇଥିଲେ। ୨୦୨୨ରେ ୨୦୨୧ ନିମନ୍ତେ ସର୍ବଶ୍ରେଷ୍ଠ ଆଥଲେଟ୍ ମନୋନୀତ ହୋଇଥିଲେ। ଶ୍ରୀଜେସ୍ ୨୦୧୬ରେ ସର୍ଦାର ସିଂହଙ୍କୁ ରିପ୍ଲେସ୍ କରି ଭାରତୀୟ ପୁରୁଷ ହକି ଟିମ୍‌ରେ କ୍ୟାପ୍ଟେନ ହୋଇଥିଲେ। ଟୋକିଓ ଅଲିମ୍ପିକରେ ସେ ତାଙ୍କର ଗୋଲକିପିଙ୍ଗ ଦ୍ୱାରା ୪୧ ବର୍ଷ ପରେ ଭାରତକୁ ପୁରୁଷ ହକିରେ ଭାରତକୁ ଅଲିମ୍ପିକ ପଦକ ଜିତାଇବାରେ ସହାୟତା କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.