ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁଁ ବେହାଲ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)। ଅତି ଜରୁରୀ ନଥିଲେ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି ଆବୁଧାବିରେ ଥିବା ଭାରତୀୟ ଦୂତାବାସ। ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ଯାତ୍ରାକୁ ରିସିଡ୍ୟୁଲ ତଥା ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଇଛି। ଏହି ସପ୍ତାହରେ UAEରେ ରେକର୍ଡ ବୃଷ୍ଟିପାତ ପରେ ଦୁବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି ଉପୁଜିଛି। ଦେଶ ଏଥିରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛି।
ଭାରତୀୟ ଦୂତାବାସ କହିଛି ଯେ ୟୁଏଇ ଅଧିକାରୀମାନେ ଏହି ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି। ବିମାନ ବନ୍ଦର ଅଧିକାରୀମାନେ ପରାମର୍ଶ ଦେଇଛନ୍ତି ଯେ ବିମାନ ଉଡ଼ାଣ ତାରିଖ ଏବଂ ସମୟ ସମ୍ପର୍କରେ ବିମାନ ସେବା ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ପରେ ଯାତ୍ରୀମାନେ ବିମାନବନ୍ଦରକୁ ଯାତ୍ରା କରିପାରିବେ।
ଆଡଭାଇଜରିରେ କୁହାଯାଇଛି ଯେ ଏହି ସପ୍ତାହ ଆରମ୍ଭରେ ସଂଯୁକ୍ତ ଆରବ ଏମିରେଟ୍ସରେ ଖରାପ ପାଗ ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟା ହେତୁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଆସୁଥିବା ବିମାନ ସଂଖ୍ୟାକୁ ସାମୟିକ ଭାବେ ସୀମିତ କରିଦେଇଛି।
ଦୁନିଆର ବ୍ୟସ୍ତବହୁଳ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ୨୪ ଘଣ୍ଟା ମଧ୍ୟରେ ପୁନର୍ବାର ଏହାର ରୁଟିନ୍ ଉପରେ କାମ ଆରମ୍ଭ କରିବ। ବିବୃତ୍ତିରେ କୁହାଯାଇଛି ଯେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାଉଥିବା କିମ୍ବା ଭାରତୀୟ ଯାତ୍ରୀମାନଙ୍କୁ ଅପରେସନ୍ ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ଅନାବଶ୍ୟକ ଯାତ୍ରାକୁ ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି।
ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭାରତୀୟ ନାଗରିକଙ୍କୁ ସାହାଯ୍ୟ କରିବା ପାଇଁ ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଆରମ୍ଭ ହୋଇଛି, ଯାହା ଏପ୍ରିଲ ୧୭ରୁ କାର୍ଯ୍ୟକ୍ଷମ ହୋଇଛି।