ଜିମ୍ୱାୱେ ବୋଲରଙ୍କୁ ଅଭିଷେକ-ଋତୁରାଜ-ରିଙ୍କୁଙ୍କ ନିର୍ମମ ପ୍ରହାର, ୨୩୫ ରନ୍ ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ

Published By : Prameya-News7 Bureau | July 07, 2024 IST

ନୂଆଦିଲ୍ଲୀ: ଭାରତ ଏବଂ ଜିମ୍ୱାୱେ ମଧ୍ୟରେ ଦ୍ୱିତୀୟ ଟି-୨୦ ମୁକାବିଲା ଖେଳାଯାଉଛି । ଦୁଇ ଟିମ୍ ହରାରେ ସ୍ପୋର୍ଟ୍ସ କ୍ଲବରେ ଏହି ମ୍ୟାଚ୍ ଖେଳୁଛନ୍ତି । ଅଭିଷେକ ଶର୍ମାଙ୍କ ଧୂଆଁଧାର ଶତକ ଏବଂ ଋତୁରାଜ ଗାଏକୱାଡଙ୍କ ଅର୍ଦ୍ଧଶତକୀୟ ଇନିଂସ ଏବଂ ରିଙ୍କୁ ସିଂହଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ୍ ହରାଇ ୨୩୪ ରନ୍ କରିଛି । ଜିମ୍ୱାୱେ ଆଗରେ ୨୩୫ ରନ୍ ଟାର୍ଗେଟ୍ ଦିଆଯାଇଛି । ପ୍ରଥମ ମ୍ୟାଚ୍ ହାରିଥିବା ଟିମ୍ ଇଣ୍ଡିଆର ଯୁବ ବ୍ରିଗେଡ୍ ଦ୍ୱିତୀୟ ମୁକାବିଲାକୁ ନିଜ ନାଁରେ କରିବା ଲକ୍ଷ୍ୟରେ ଅଛନ୍ତି ।

ଟିମ୍ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । ଦୁଇ ଓପନର ଶୁଭମନ ଗିଲ୍ ଏବଂ ଅଭିଷେକ ଶର୍ମା ଟିମକୁ ଏକ ଦମଦାର ଆରମ୍ଭ ଦେବା ପାଇଁ ମୈଦାନକୁ ଓହ୍ଲାଇଥିଲେ । ତେବେ କ୍ୟାପ୍ଟେନ ପୁଣି ଥରେ ନିରାଶ କଲେ ଏବଂ ଟିମର ସ୍କୋର ୧୦ ରନ୍ ଥିବା ବେଳେ ଶୁଭମନ ଗିଲ୍ ମାତ୍ର ୨ ରନ୍ କରି ମୁଜାରାବାନିଙ୍କ ବଲରେ କ୍ୟାଚ୍‌ ଆଉଟ୍ ହୋଇ ଫେରିଥିଲେ । ତେବେ ଅଭିଷେକ ଶର୍ମା ନିଜ ଆଇପିଏଲ୍ ପ୍ରଦର୍ଶନକୁ ରିପିଟ୍ କରିଥିଲେ । ମ୍ୟାଚ୍‌ରେ ଚୌକା, ଛକା ବର୍ଷା କରିଥିଲେ । ମାସାକାଜାଙ୍କ ଓଭରରେ ଅଭିଷେକ ଶର୍ମା ହ୍ୟାଟ୍ରିକ୍ ଛକା ମାରିବା ସହ ୪୬ ବଲରେ ଶତକ ପୂରଣ କରିଥିଲେ । ତେବେ ସେହି ଓଭରରେ ହିଁ ଅଭିଷେକ ଶର୍ମା ୧୦୦ (୪୭ ବଲ) ରନ୍ କ୍ୟାଚ୍‌ ଆଉଟ୍ ହୋଇଥିଲେ । ଅଭିଷେକଙ୍କ ଏହି ଇନିଂସରେ ୭ଟି ଚୌକା ଏବଂ ୮ଟି ଛକା ସାମିଲ ଅଛି । ଉଲ୍ଲେଖଯୋଗ୍ୟ ଯେ ଅଭିଷେକ ଶର୍ମାଙ୍କ ଏହା ହେଉଛି ଦ୍ୱିତୀୟ ଇଣ୍ଟରନ୍ୟାସନାଲ ମ୍ୟାଚ୍ ।

ଅଭିଷେକ ବିସ୍ଫୋରକ ବ୍ୟାଟିଂ କରୁଥିବା ବେଳେ ଋତୁରାଜ ଗାଏକୱାଡ ରକ୍ଷଣାତ୍ମକ ବ୍ୟାଟିଂ କରିଥିଲେ । ଦୁହିଁଙ୍କ ମଧ୍ୟରେ ୧୩୭ ରନ୍‌ର ପାର୍ଟନରଶିପ୍ ହୋଇଥିଲା । ତେବେ ଅଭିଷେକ ଆଉଟ୍ ହେବା ପରେ ନିଜ ଗିୟର ବଦଳାଇଥିଲେ ଋତୁରାଜ । ଶେଷରେ ରିଙ୍କୁ ସିଂହ ମଧ୍ୟ ନିଜ ବ୍ୟାଟରୁ ରନ୍ ବର୍ଷା କରି ଭାରତର ସ୍କୋରକୁ ୨୩୪ ରନ୍‌ରେ ପହଞ୍ଚାଇଥିଲେ । ଋତୁରାଜ ୪୭ ବଲରେ ୭୭ ରନ୍ ଏବଂ ରିଙ୍କୁ ସିଂହ ୨୨ ବଲରୁ ୪୮ ରନ୍ କରି ଅପରାଜିତ ରହିଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.