ନୂଆଦିଲ୍ଲୀ: ବିଶ୍ୱରେ ଅନ୍ୟତମ ଲୋକପ୍ରିୟ ଖେଳ କ୍ରିକେଟ। ଶହେରୁ ଅଧିକ ଦେଶ ଏହି ଖେଳ ସହ ଜଡ଼ିତ। ICC ଅନୁଯାୟୀ, ଟେଷ୍ଟ ମ୍ୟାଚ୍ ଖେଳୁଥିବା ୧୨ଟି ପୂର୍ଣ୍ଣ ସଦସ୍ୟ ଦେଶ ଏବଂ ୯୬ଟି ସହଯୋଗୀ ସଦସ୍ୟ ଅଛନ୍ତି। ଏହାରି ଭିତରେ ଆଉ ଏକ ଖବର ସାମନାକୁ ଆସିଛି। କ୍ରିକେଟ୍ ଖେଳିବାକୁ ଯାଉଛି ଏକ ନୂଆ ଟିମ୍ ! ମୈଦାନକୁ ଓହ୍ଲାଇବ ବଲୁଚିସ୍ତାନ। ତାହାବି ପୁଣି ଖେଳିବ ଭାରତ ସହ। ଏଭଳି ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପହଲଗାମ୍ ଆତଙ୍କୀ ହମ୍ଲା ଜବାବରେ ଅପରେସନ ସିନ୍ଦୂର ଆରମ୍ଭ କରିଛି ଭାରତ। ପାକିସ୍ତାନ ସହ ବଢ଼ିଛି ତିକ୍ତତା। ଏହାରି ଭିତରେ ପାକିସ୍ତାନରେ ଆରମ୍ଭ ହୋଇଛି ଗୃହଯୁଦ୍ଧ। ଏଣ୍ଟ୍ରି ମାରିଛି ବଲୁଚିସ୍ତାନ। ପାକିସ୍ତାନଠାରୁ ବେଲୁଚିସ୍ତାନ ସ୍ୱାଧୀନ ହେଲା ବୋଲି ଘୋଷଣା କରିଛନ୍ତି ବଲୁଚ ନେତା। ତମାମ ଦେଶଗୁଡ଼ିକୁ ସହାୟତା ଲାଗି ସେମାନେ ଅପିଲ୍ କରୁଛନ୍ତି । ବେଲୁଚିସ୍ତାନ ସ୍ୱାଧୀନତା ପାଇଲା ବୋଲି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କହିଛନ୍ତି ବିଶିଷ୍ଟ ବଲୁଚ ଲେଖକ ତଥା ନେତା ମୀର୍ ୟାର୍। ଆମେ ପାକିସ୍ତାନୀ ନୁହଁ। ଆମେ ବଲୁଚସ୍ତାନୀ।
ଏହାରି ଭିତରେ ମୀର ୟାରଙ୍କ ପୋଷ୍ଟ ସାମନାକୁ ଆସିଛି, ଯେଉଁଥିରେ ସେ ଭାରତ-ବଲୁଚିସ୍ତାନ ମଧ୍ୟରେ ଫ୍ରେଣ୍ଡଲି କ୍ରିକେଟ୍ ମ୍ୟାଚ୍ ନେଇ ଘୋଷଣା କରିଛନ୍ତି। ଏହି ମ୍ୟାଚ୍ ଗ୍ୱାଦର କ୍ରିକେଟ୍ ଷ୍ଟାଡିୟମ କିମ୍ବା ଦିଲ୍ଲୀରେ ହୋଇପାରେ ବୋଲି ସେ କହିଛନ୍ତି। ମେ ୧୩ରେ ହୋଇଥିବା ଏହି ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଗ୍ୱାଦର କ୍ରିକେଟ୍ ଷ୍ଟାଡିୟମ ବଲୁଚିସ୍ତାନର ଅଂଶ ବୋଲି ଦାବି କରାଯାଉଛି। ସୁନ୍ଦର ପାହାଡ ମଝିରେ ରହିଛି ଏହି ଷ୍ଟାଡିୟମ। କୁହାଯାଏ- ଏହି କ୍ଷେତ୍ରକୁ ଏକ ସାଂସ୍କୃତିକ ପ୍ରତୀକ ଭାବେ ନିର୍ମାଣ କରିଛି ବଲୁଚି।
ସବୁଠୁ ମଜାଳିଆ କଥା ହେଲା- ଭବିଷ୍ୟତରେ ପାକିସ୍ତାନ ସହ ଭାରତର କ୍ରିକେଟ୍ ମ୍ୟାଚ ହେବ କି ନାହିଁ, ଏବେ ପ୍ରଶ୍ନ ଉଠୁଥିବା ବେଳେ ଅନ୍ୟପଟରେ ବଲୁଚି ନେତାଙ୍କ ଏହି ପୋଷ୍ଟକୁ ନେଇ ସୋସିଆଲ ମିଡିଆ ୟୁଜର୍ସଙ୍କ ମତ ପ୍ରକାଶ ପାଇଛି।
କିଛି ୟୁଜର୍ସ ଲଭ୍ ୟୁ ବଲୁଚି କହିଛନ୍ତି। ଆଉ କିଛି ୟୁଜର୍ସ ବଲୁଚିସ୍ତାନକୁ ଭାରତ ସମର୍ଥନ କରିବା ଉଚିତ୍ ବୋଲି କହିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ଯେ ଆମେ ଯେପରି ପ୍ରତି ମ୍ୟାଚ୍ରେ ଆଫଗାନିସ୍ତାନକୁ ସମର୍ଥନ କରୁଛୁ, ସେହିଭଳି ଭାରତୀୟ ବେଲୁଚିସ୍ତାନକୁ ସମର୍ଥନ କରିବ। ତେବେ ଏହି ଫ୍ରେଣ୍ଡଲି ମ୍ୟାଚ୍ର କେତେ ସତ୍ୟତା ରହିଛି ତାହା ଜଣାପଡ଼ିନାହିଁ।
ସେପଟେ ପହଲଗାମର ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଛି। ପାକିସ୍ତାନ ସହ ସବୁ ପ୍ରକାରର ସଂପର୍କ ଛିନ୍ନ ହୋଇ ସାରିଲାଣି। ଏବେ ଏହାର ପ୍ରଭାବ କ୍ରିକେଟ୍ ଉପରେ ଦେଖିବାକୁ ମିଳିଛି। ଏସିଆ କପ୍ ଓ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ପାକିସ୍ତାନ ସହ କ୍ରିକେଟ୍ ନ ଖେଳିବାକୁ ଯୁକ୍ତି ବାଢିଥିଲେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର। ଏକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ଭାରତକୁ ପାକିସ୍ତାନ ସହ କ୍ରିକେଟ୍ ସମ୍ବନ୍ଧ ସଂପୂର୍ଣ୍ଣ ଭାବେ ବନ୍ଦ ରଖାଯାଉ ବୋଲି କହିଥିଲେ ଗମ୍ଭୀର।