ଇଂଲଣ୍ଡ ଟୁର୍‌ ଲାଗି ଘୋଷଣା ହେବ ଟିମ୍ ଇଣ୍ଡିଆ SQUAD, ୧୮ ଜଣଙ୍କୁ ମିଳିପାରେ ଚାନ୍ସ

Published By : Prameya-News7 Bureau | May 24, 2025 IST

ନୂଆଦିଲ୍ଲୀ ୨୪/୦୫: ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେବ ଭାରତୀୟ ଟେଷ୍ଟ ଦଳ । ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର ଓ ମୁଖ୍ୟ କୋଚ ଗୌତମ ଗମ୍ଭୀର ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀରେ ନୂଆ ଟେଷ୍ଟ ଅଧିନାୟକ ସମେତ ଦଳ ଘୋଷଣା କରିବେ । ଜୁନ ୨୦ ରୁ ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ଅଗରକରଙ୍କ ଅଧ୍ୟକ୍ଷତାରେ ଦଳ ଚୟନ ସରିଛି । କେବଳ ଘୋଷଣା ବାକି ରହିଥିବା ଜଣାପଡ଼ିଛି । 

ରୋହିତ ଶର୍ମାଙ୍କ ଅବସର ପରେ ଶୁଭମନ ଗିଲ୍‌ ନୂଆ ଟେଷ୍ଟ ଅଧିନାୟକ ନିଯୁକ୍ତ ହେବା ଏକ ପ୍ରକାର ନିଶ୍ଚିତ ରହିଛି । କାରଣ ପ୍ରମୁଖ ଫାଷ୍ଟ ବୋଲର ଯଶପ୍ରୀତ ବୁମରାଙ୍କ କାର୍ଯ୍ୟଭାର ଉପରେ ଗୁରୁତ୍ୱ ଦିଆଯିବ । ସେ ଏହି ସିରିଜରେ ଅତି ବେଶୀରେ ୩ଟି ଟେଷ୍ଟ ଖେଳିବା ଅନୁମାନ କରାଯାଉଛି । ଭାରତ ଏବେଠୁ ସ୍ଥାୟୀ ଅଧିନାୟକ ଚାହୁଁଛି । ତେଣୁ ଗିଲ୍‌ ଅଧିନାୟକ ଦୌଡ଼ରେ ସବୁଠୁ ଆଗରେ ରହିଛନ୍ତି । ବିରାଟ କୋହଲିଙ୍କ ଅବସର ପରେ ବ୍ୟାଟିଂ କ୍ରମର ୪ନଂ ସ୍ଥାନ ଖାଲି ପଡ଼ିଛି । 

ଆଗାମୀ ଦିନରେ ଗିଲ୍‌ ଏହି ସ୍ଥାନରେ ବ୍ୟାଟିଂ କରିବେ । ଯଶସ୍ୱୀ ଜୈସ୍ୱାଲ୍‌ ଓ କେଏଲ ରାହୁଲ ଓପନ କରିବେ । ୩ନଂ ସ୍ଥାନରେ ସାଇ ସୁଦର୍ଶନଙ୍କୁ ଖେଳାଇବାକୁ ଯୋଜନା କରାଯାଉଛି । ସେ ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି । ଲମ୍ବା ଫର୍ମାଟ୍‌ ଖେଳିବା ପାଇଁ ସମସ୍ତ ଟେକ୍‌ନିକ୍‌ ତାଙ୍କ ନିକଟରେ ରହିଛି । ଉନ୍ନତ ଫର୍ମରେ ଥିବା ସତ୍ତେ୍ୱ ଶ୍ରେୟାସ ଆୟରଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିବା ସମ୍ଭାବନା ନଥିବା ଆଲୋଚନା ହେଉଛି । ସେ ଗତ ସିଜନରୁ ସମସ୍ତ ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । 

ବର୍ତ୍ତମାନ ଆଇପିଏଲ୍‌ରେ ମଧ୍ୟ ସେ ପଞ୍ଜାବ କିଙ୍ଗ୍‌ସକୁ ପ୍ଲେ-ଅଫ୍‌ରେ ପହଞ୍ଚାଇଛନ୍ତି । ତଥାପି ତାଙ୍କ ଟେକ୍‌ନିକ୍‌ ଓ ଫୁଟୱାର୍କକୁ ନେଇ ଚୟନକର୍ତ୍ତା ଓ ମୁଖ୍ୟ କୋଚ ଅସନ୍ତୁଷ୍ଟ ରହିଥିବା ଶୁଣିବାକୁ ମିଳୁଛି । ଇଂଲଣ୍ଡର ସୁଇଂ ବୋଲିଂକୁ ସୁହାଉଥିବା ପିଚ୍‌ରେ ଆୟରଙ୍କ ଟେକ୍‌ନିକ୍‌ ଫେଲ ମାରିବ ବୋଲି ସେମାନେ ଅନୁଭବ କରୁଛନ୍ତି । ସେହିପରି ଫିଟ୍‌ ହୋଇ ଫେରିଥିବା ଅଭିଜ୍ଞ ପେସ୍‌ ବୋଲର ମହମ୍ମଦ ସାମି ମଧ୍ୟ ଟେଷ୍ଟ ଦଳରେ ସ୍ଥାନ ପାଇବା ସମ୍ଭାବନା ନଥିବା ଜଣାପଡ଼ିଛି । 

ଲକ୍ଷ୍ନୌରେ ଚୟନ କମିଟିର ଜନୈକ ସଦସ୍ୟ ସାମିଙ୍କୁ ଭେଟିଥିଲେ ଓ ଏନ୍‌ସିଏ ନିକଟରୁ ତାଙ୍କ ଫିଟ୍‌ନେସ୍‌ ରିପୋର୍ଟ ମଧ୍ୟ ମଗାଇଥିଲେ । ସେ ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି । ତଥାପି ଇଂଲଣ୍ଡରେ ଲମ୍ବା ସ୍ପେଲ ପକାଇବା ଭଳି ଫିଟ୍‌ନେସ ଓ ଲୟକୁ ସେ ଫେରିନଥିବା ଚୟନ କମିଟି ଅନୁଭବ କରିଛି । ସାମି ଟେଷ୍ଟ ଦଳରେ ସ୍ଥାନ ନପାଇଲେ ପ୍ରସିଦ୍ଧ କ୍ରିଷ୍ଣା, ଆକାଶ ଦୀପ, ଅର୍ଶଦୀପ ସିଂହ, ମୁକେଶ କୁମାର, ୟଶ ଦୟାଲ, ଅଂଶୁଲ କାମ୍ବୋଜ, ଖଲିଲ ଅହମ୍ମଦ ଓ ହର୍ଷିତ ରାଣାଙ୍କ ମଧ୍ୟରୁ ଅନ୍ୟ ପେସ୍‌ ବୋଲରଙ୍କୁ ଚୟନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.