News7 Logo

୨୦୨୫ରେ ୧୧ ଷ୍ଟାର୍ଟଅପ୍ ହେଲେ ୟୁନିକର୍ନ; ଗେମିଂ ଆଇନ ପରେ ଡ୍ରିମ୍ ୧୧ ସମେତ ୪ ଷ୍ଟାର୍ଟଅପ୍ ତାଲିକାରୁ ବାହାର

NEWS7
startup

​​​​​​​ନୂଆଦିଲ୍ଲୀ: ୨୦୨୫ ମସିହାରେ ଭାରତର ୧୧ ନୂଆ ଷ୍ଟାର୍ଟଅପ୍ ୟୁନିକର୍ନ କ୍ଲବରେ ସାମିଲ ହୋଇଛନ୍ତି । ଏହାସହ ମୋଟ ସଂଖ୍ୟା ଏବେ ୭୩ ହୋଇଛି । ଏଏସକେ ପ୍ରାଇଭେଟ୍ ୱେଲ୍ଥ ହୁରୁନ ଇଣ୍ଡିଆ ୟୁନିକର୍ନ ଆଣ୍ଡ ଫ୍ୟୁଚର ୟୁନିକର୍ନ ରିପୋର୍ଟ ୨୦୨୫ରେ ଏହି କଥା କୁହାଯାଇଛି । ଦେଶର ନୂଆ ୟୁନିକର୍ନରେ ଏଆଇ.ଟେକ୍, ନଭି ଟେକ୍ନୋଲୋଜିଜ୍, ରାପିଡୋ, ନାଇଟ୍ରୋଜେନ୍, ଜମ୍ୱୋଟେଲ୍ ଓ ଡାର୍ବିନବକ୍ସ ସାମିଲ ଅଛନ୍ତି । ରିପୋର୍ଟ ଅନୁସାରେ ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ଅନେକ ନିବେଶକଙ୍କ ଗତିବିଧି ଦେଖିବାକୁ ମିଳିଛି । ପିକ୍ XV ପାର୍ଟନର୍ସ ୪୨ ଷ୍ଟାର୍ଟଅପରେ ନିବେଶ ସହ ସବୁଠୁ ବଡ଼ ନିବେଶକ ଭାବେ ଉଭା ହୋଇଛି ।

ରିପୋର୍ଟରେ ଜିରୋଧାକୁ ଦେଶର ସବୁଠାରୁ ମୂଲ୍ୟବାନ ୟୁନିକର୍ନ କୁହାଯାଇଛି । ଏହାର ଭାଲ୍ୟୁ ପ୍ରାୟ ୮.୨ ବିଲିୟନ ଡଲାର ଥିବା ଆକଳନ କରାଯାଇଛି । ରାଜୋରପେ ଓ ଲେନ୍ସକାର୍ଟର ଭାଲ୍ୟୁ ୭.୫ ବିଲିୟନ ଡଲାର ଆକଳନ କରାଯାଇଛି । ସେହିପରି ଗ୍ରୋର ଭାଲ୍ୟୁଏସନ୍ ୭ ବିଲିୟନ ଡଲାର ରହିଛି । ଏହି କମ୍ପାନିଗୁଡ଼ିକ ସାମୂହିକ ଭାବେ ୨,୦୬,୦୦୦ରୁ ଅଧିକ ଲୋକଙ୍କୁ ରୋଜଗାର ଦେଉଛନ୍ତି । ଲେନ୍ସକାର୍ଟ, ଅଫବିଜନେସ୍ ଓ ଫିଜିକ୍ସବାଲା ଶ୍ରମବଳ ମାମଲାରେ ସବୁଠୁ ଆଗରେ ରହିଛନ୍ତି ।

ସବୁଠୁ କମ ବୟସରେ ୟୁନିକର୍ନ ପ୍ରତିଷ୍ଠାତାଙ୍କ ମଧ୍ୟରେ ୨୨ ବର୍ଷୀୟ କୈବଲ୍ୟ ବୋହରା ଓ ଜେପ୍ଟୋର ଆଦିତ୍ୟ ପାଲିଚା ଅଛନ୍ତି । ୭୦ ବିଲିୟନ ଡଲାର ମୂଲ୍ୟର ୨୬ ୟୁନିକର୍ନ ସହ ବେଙ୍ଗାଲୁରୁ ଶୀର୍ଷ ସ୍ଥାନରେ ଅଛି । ଏହା ପଛକୁ ଦିଲ୍ଲୀ-ଏନସିଆ ଓ ମୁମ୍ୱାଇ ଅଛି । ସଂଖ୍ୟା ଓ ମୂଲ୍ୟାଙ୍କନ ଉଭୟ ମାମଲାରେ ଫିନଟେକ୍ ୟୁନିକର୍ନ ଆଗରେ ଅଛନ୍ତି । ରିପୋର୍ଟ ଅନୁସାରେ ସରକାରଙ୍କ ଦ୍ୱାରା ଅନଲାଇନ ଗେମିଂ ଆଇନ ଅଣାଯିବା ପରେ ଡ୍ରିମ୍ ୧୧ ଓ ଗେମ୍ସ ୨୪x୭ ସମେତ ଚାରି ଷ୍ଟାର୍ଟଅପ୍ ୟୁନିକର୍ନ ସୂଚୀରୁ ବାହାର ହୋଇଛି ।

ରିପୋର୍ଟରେ କୁହାଯାଇଛି, ୨୬ ଷ୍ଟାର୍ଟଅପ୍ ସହ ବେଙ୍ଗାଲୁରୁ ଭାରତର ୟୁନିକର୍ନ ହବ୍ । ଏଠାରେ ସ୍ଥିତ କମ୍ପାନିଗୁଡ଼ିକର ମୋଟ ଭାଲ୍ୟୁ ୭୦ ବିଲିୟନ ଡଲାର ଅଛି । ଏହାପରେ ଦିଲ୍ଲୀ-ଏନସିଆରରେ ୧୨ ୟୁନିକର୍ନ ଷ୍ଟାର୍ଟଅପ୍ ଅଛି । ଯାହାର ମୋଟ ଭାଲ୍ୟୁ ୩୬.୩ ବିଲିୟନ ଡଲାର । ଅନ୍ୟପଟେ ମୁମ୍ୱାଇର ୧୧ ଷ୍ଟାର୍ଟଅପର ଭାଲ୍ୟୁ ୨୨.୮ ବିଲିୟନ ଡଲାର ରହିଛି ।