ପାକିସ୍ତାନୀ ଚ୍ୟାନେଲ ଓ ସେଲିବ୍ରିଟିଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ପୁଣି ଆକ୍ଟିଭ, ଅପରେସନ ସିନ୍ଦୂର ବେଳେ ବ୍ୟାନ୍ କରିଥିଲା ଭାରତ

Published By : Prameya-News7 Bureau | July 02, 2025 IST

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ଅପରେସନ ସିନ୍ଦୂରରେ ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା । ଏହା ସହିତ, ଭାରତ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ଏବଂ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ନିଷିଦ୍ଧ କରିଥିଲା । କିନ୍ତୁ ଏବେ ସେଗୁଡ଼ିକ ପୁଣି ଥରେ ଭାରତରେ ଦେଖିବାକୁ ମିଳୁଛି, ଯାହା କଟକଣା ହଟାଯାଇଥିବା ଦର୍ଶାଉଛି । ତଥାପି, ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କଟକଣା ପ୍ରତ୍ୟାହାର ନେଇ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ । 

ବୁଧବାର ଭାରତରେ ଅନେକ ପାକିସ୍ତାନୀ ଫିଲ୍ମ ଏବଂ ଟିଭି ଅଭିନେତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣି ଦେଖିବାକୁ ମିଳିଥିଲା । ଏମାନଙ୍କ ମଧ୍ୟରେ ସବା କମର, ମାୱରା ହୋକେନ, ଅହଦ ରାଜା ମୀର, ହାନିଆ ଆମିର, ୟୁମନା ଜୈଦି ଏବଂ ଦାନିଶ ତୈମୁରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଅନ୍ତର୍ଭୁକ୍ତ । ପହଲଗାମ ଆକ୍ରମଣ ପରେ ଭାରତ ସରକାର ଏହି ସମସ୍ତ ଆକାଉଣ୍ଟକୁ ବ୍ଲକ୍ କରିଥିଲେ । ଏହା ବ୍ୟତୀତ, ହମ୍ ଟିଭି, ARY ଡିଜିଟାଲ୍ ଏବଂ ହର ପଲ ଜିଓ ଭଳି ପାକିସ୍ତାନୀ ନ୍ୟୁଜ୍ ଏବଂ ମନୋରଞ୍ଜନ ଚ୍ୟାନେଲଗୁଡ଼ିକର ୟୁଟ୍ୟୁବ୍ ପ୍ଲାଟଫର୍ମ ମଧ୍ୟ ଭାରତରେ ଷ୍ଟ୍ରିମିଂ ପାଇଁ ଉପଲବ୍ଧ ହୋଇଛି । 

ପହଲଗାମରେ ଆତଙ୍କବାଦୀ ଆକ୍ରମଣର କିଛି ଦିନ ପରେ, ଭାରତ ସରକାର ଡନ୍ ନ୍ୟୁଜ୍, ସାମା ଟିଭି, ଏଆରୱାଇ ନ୍ୟୁଜ୍ ଏବଂ ଜିଓ ନ୍ୟୁଜ୍ ଭଳି ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହି ଚ୍ୟାନେଲଗୁଡ଼ିକ ଉପରେ ଭାରତ ବିରୋଧୀ ପ୍ରଚାର, ମିଥ୍ୟା ସୂଚନା ଏବଂ ସାମ୍ପ୍ରଦାୟିକ ଭାବେ ଉତ୍ତେଜନପୂର୍ଣ୍ଣ ବିଷୟବସ୍ତୁ ପ୍ରସାରଣ କରିବାର ଅଭିଯୋଗ ଥିଲା ।ଏହି ଚ୍ୟାନେଲଗୁଡ଼ିକ ଭାରତୀୟ ସେନା ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ବିରୁଦ୍ଧରେ ମିଛ ଏବଂ ବିଭ୍ରାନ୍ତିକର ତଥ୍ୟ ପରିବେଷଣ କରୁଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.