ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ସହମତି । ଶନିବାର ସଂଧ୍ୟା ୫ଟାରୁ ଜଳ, ସ୍ଥଳ ଓ ଆକାଶରେ ଅସ୍ତ୍ରବିରତି ଲାଗୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବିଦେଶ ସଚିବ ବିକ୍ରମ ମିଶ୍ରି । ଆଜି ଅପରାହ୍ନ ୩.୩୫ ମିନିଟରେ ଦୁଇ ଦେଶର DGMO ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ନେଇ ନିଷ୍ପତ୍ତି ନିଆଯାଇଛି । ଏହାଛଡ଼ା ଆସନ୍ତା ମେ’ ୧୨ ତାରିଖରେ ଦୁଇ ଦେଶର ଅଧିକାରୀ ପରବର୍ତ୍ତୀ ରଣନୀତି ଉପରେ ଆଲୋଚନା କରିବେ ।
ଅସ୍ତ୍ର ବିରତି କ’ଣ ?
ସିଜ୍ ଫାୟାର ସଂଘର୍ଷ ବିରାମ କ’ଣ ? ଏହା ଏପରି ଏକ ଶବ୍ଦ, ଯାହା ଶାନ୍ତିର ବାର୍ତ୍ତା ବହନ କରେ । ଏହାର ଅର୍ଥ ହେଉଛି, ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଅସ୍ତ୍ର ସଂଘର୍ଷ ସମାପ୍ତ କରିବା । ଏହା ଏକ ପ୍ରକାର ଶାନ୍ତି ବୁଝାମଣା ବୋଲି କୁହାଯାଉଛି । ଅସ୍ତ୍ରବିରାମ ବା ସିଜ୍ ଫାୟାର ହେଉଛି, କୌଣସି ନିଶ୍ଚିତ କ୍ଷେତ୍ରରେ ଏକ ନିଶ୍ଚିତ ଅବଧି ପାଇଁ ସୈନ୍ୟ ଗତିବିଧିକୁ ନିୟନ୍ତ୍ରଣ କରିବା ବା ସମାପ୍ତ କରିବା । ଏହାକୁ ଗୋଟିଏ ପକ୍ଷ କିମ୍ବା ଦୁଇ ପକ୍ଷ ମିଶି ଘୋଷଣା କରିପାରିବେ । ସଂଘର୍ଷରେ ସାମିଲ୍ ପକ୍ଷମାନେ ଆଲୋଚନାକୁ ମାଧ୍ୟମ କରିପାରନ୍ତି । ଏହି ଅସ୍ତ୍ରବିରତି ବେଳେ ବେଳେ ଛୋଟ ଅବଧି କିମ୍ବା ଲମ୍ବା ଅବଧି ପାଇଁ ଲାଗୁ ହୋଇଥାଏ । ଏହା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ସ୍ଥାୟୀ ଶାନ୍ତି ପ୍ରସ୍ତାବ ଉପରେ ଆଲୋଚନା ହୋଇଥାଏ ।
ଅସ୍ତ୍ରବିରାମ ଶବ୍ଦର ପ୍ରୟୋଗ ବେଳେ ବେଳେ ହୋଇଥାଏ । ଏହାର ଅର୍ଥ ସାମାନ୍ୟ ଅଲଗା । ଅସ୍ତ୍ର ବିରାମ ଏକ ସୈନ୍ୟ ବୁଝାମଣା । ଯାହାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି, ଯୁଦ୍ଧ କ୍ଷେତ୍ରରେ ଶତ୍ରୁତାକୁ ଶେଷ କରିବା ଏବଂ ନିଶ୍ଚିତ ସମୟ ପାଇଁ ଶାନ୍ତି ସ୍ଥାପନା କରିବା । ସିଜ୍ ଫାୟାର ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଅସ୍ଥାୟୀ ଭାବେ ଶାନ୍ତି ସ୍ଥାପନା ହୋଇଥାଏ । ଏହାଛଡ଼ା ଦୁଇ ପକ୍ଷ ମଧ୍ୟରେ ଲମ୍ବା ସମୟ ଶାନ୍ତି ପାଇଁ ଆଲୋଚନା ହୋଇଥାଏ ।