ନୂଆଦିଲ୍ଲୀ: ୟୁକେ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ହେଲା ପରେ ଭାରତ ଏକାଧିକ କ୍ଷେତ୍ରରେ ଲଭା ପାଇବାକୁ ଥିବା ବେଳେ କିଛି କ୍ଷତି ବି ସହିବ। ୟୁକେ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA)ର ପ୍ରଥମ ବର୍ଷରେ ଭାରତକୁ ୪,୦୬୦ କୋଟି ଟଙ୍କାର ସୀମା ଶୁଳ୍କ ଛାଡିବାକୁ ପଡ଼ିବ। ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ (GTRI) ଏହି ଆକଳନ କରିଛି। ଏହି କ୍ଷତି ୟୁକେରୁ ଆମଦାନିର ବ୍ୟାପକ ସାମଗ୍ରୀ ଉପରେ ତୁରନ୍ତ ଏବଂ ପର୍ଯ୍ୟାୟକ୍ରମେ ଶୁଳ୍କ ରିହାତି ଯୋଗୁ ହେବ ବୋଲି ଜିଟିଆର୍ଆଇ ସଂସ୍ଥାପକ ଅଜୟ ଶ୍ରୀବାସ୍ତବ କହିଛନ୍ତି।
ଚଳିତ ବର୍ଷ ଜୁଲାଇ ୨୪ ତାରିଖରେ ଭାରତ ଓ ୟୁକେ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିରେ ଶିଳ୍ପ ଏବଂ କିଛି ବଚ୍ଛା ବଚ୍ଛା କୃଷି ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରିବାକୁ ସାମିଲ୍ କରାଯାଇଛି। ବର୍ତ୍ତମାନର ବାଣିଜ୍ୟ ଢାଞ୍ଚାକୁ ଆଧାର କରି, ଜିଟିଆର୍ଆଇ ଆକଳନ କରିଛି ଯେ ଏଫ୍ଟିଏ କାର୍ଯ୍ୟାକାରୀର ଦଶମ ବର୍ଷ ସୁଦ୍ଧା ସୀମା ଶୁଳ୍କ ରାଜସ୍ୱ ପ୍ରଭାବ ବାର୍ଷିକ ₹୬,୩୪୫ କୋଟିକୁ ବୃଦ୍ଧି ପାଇପାରେ। ଆର୍ଥିକ ବର୍ଷ ୨୦୨୫ ଆମଦାନୀ ପରିମାଣକୁ ମାନଦଣ୍ଡ ଭାବରେ ଗ୍ରହଣ କରି ଜିଟିଆରଆଇ ଏହି ଆକଳନ କରିଛି।
ଭାରତ ୨୦୨୪-୨୫ ମସିହାରେ ୟୁକେରୁ ୮.୬ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିଲା। ଏହି ଆମଦାନୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଶିଳ୍ପ ସାମଗ୍ରୀ, ଯାହା ଉପରେ ବର୍ତ୍ତମାନ ୯.୨ ପ୍ରତିଶତ ୱେଟେଡ୍ ହାରାହାରି ଶୁଳ୍କ ଲାଗୁ ହେଉଛି। ଏଫ୍ଟିଏରେ ଭାରତ ଆରମ୍ଭରୁ ୟୁକେରୁ ଆମଦାନୀ ମୂଲ୍ୟର ୬୪ ପ୍ରତିଶତ ଉପରେ ଶୁଳ୍କ ଉଚ୍ଛେଦ କରିବାକୁ ଚୁକ୍ତି କରିଛି। ମୋଟାମୋଟି ୮୫ ପ୍ରତିଶତ ଶୁଳ୍କ ସମ୍ପୂର୍ଣ୍ଣ ଉଚ୍ଛେଦ ହେବ। ଅନ୍ୟ ୫ ପ୍ରତିଶତ ଆଂଶିକ ହ୍ରାସ ପାଇବ।
ହ୍ୱିସ୍କି ଏବଂ ଜିନ୍ ଭଳି କିଛି ଜିନିଷକୁ ଛାଡ଼ି ଦେଲେ ହାରାହାରି ୬୪.୩ ପ୍ରତିଶତ ଶୁଳ୍କ ସହିତ ଉଚ୍ଚ-ଶୁଳ୍କ କୃଷି ଉତ୍ପାଦଗୁଡ଼ିକୁ ଶୁଳ୍କ ହ୍ରାସରୁ ମୁଖ୍ୟତଃ ବାଦ ଦିଆଯାଇଛି। ସେହିପରି ୟୁକେ ମଧ୍ୟ ଆର୍ଥିକ କ୍ଷତି ସହିବ। ଗତ ଆର୍ଥିକ ବର୍ଷରେ ୟୁକେ ଭାରତରୁ ୧୪.୫ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିଲା, ଯାହା ଉପରେ ହାରାହାରି ୩.୩ ପ୍ରତିଶତ ଶୁଳ୍କ ଲାଗୁଥିଲା।
ଏଫଟିଏ ଅନୁଯାୟୀ, ବ୍ରିଟେନ ୯୯ ପ୍ରତିଶତ ଭାରତୀୟ ଆମଦାନୀ ଉପରୁ ଶୁଳ୍କ ହଟାଇବ। ଏହା ଫଳରେ ବର୍ତ୍ତମାନର ବାଣିଜ୍ୟ ପରିମାଣ ଆଧାରରେ ୟୁକେ ପାଇଁ ବାର୍ଷିକ ୩,୮୮୪ କୋଟି ଟଙ୍କା କିମ୍ବା ୪୭୪ ମିଲିଅନ ଆମେରିକୀୟ ଡଲାର ରାଜସ୍ୱ କ୍ଷତି ହେବାର ସମ୍ଭାବନା ରହିଛି। ଜିଟିଆର୍ଆଇ ଆହୁରି କହିଛି ଯେ ଚୁକ୍ତି ଅନୁଯାୟୀ ଭାରତୀୟ ରପ୍ତାନି ବୃଦ୍ଧି ପାଇବା ସହିତ ଏହି ସଂଖ୍ୟା ବୃଦ୍ଧି ପାଇପାରେ। ୟୁକେ ସଂସଦର ଅନୁମୋଦନ ଅପେକ୍ଷାରେ FTA କାର୍ଯ୍ୟକାରୀ ହେବା ପାଇଁ ପ୍ରାୟ ଗୋଟିଏ ବର୍ଷ ସମୟ ଲାଗିବ ବୋଲି ଆଶା କରାଯାଉଛି।