ନୂଆଦିଲ୍ଲୀ: ଆମେରିକା ଭାରତ ପାଇଁ ଏକ ବଡ଼ ବଜାର ଥିଲା। ଏଠାରେ ଭାରତ ବିପୁଳ ମାତ୍ରାରେ ରପ୍ତାନୀ କରି ଲାଭ କମାଉଥିଲା। ହେଲେ ଟ୍ରମ୍ପ ଭାରତ ଉପରେ ଶୁଳ୍କ ଲଗାଇ ସବୁ ଖେଳ ବିଗାଡ଼ି ଦେଇଛନ୍ତି। ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କ ସୁଧାରିବାର ଦଶନ୍ଧୀର ପ୍ରୟାଶକୁ ଟ୍ରମ୍ପ ୧୦ ମିନିଟ୍ରେ ନଷ୍ଟ କରିଦେଇଛନ୍ତି। ଯାହାକୁ କାଉଣ୍ଟର କରିବାକୁ ଭାରତ ପୁଣିଥରେ ରିଜୋନାଲ କମ୍ପ୍ରେହେନସିବ୍ ଇକୋନୋମିକ ପାର୍ଟନର୍ସିପ୍ (RCEP)ରେ ଯୋଗ ଦେବାକୁ ବାହାରିଛି। କଣ ଏହି ସଂଗଠନ ଓ ଏହା କେତେ ପାୱାରଫୁଲ ପଢ଼ନ୍ତୁ ସ୍ପେଶାଲ୍ ରିପୋର୍ଟ।
ଭାରତ ସହ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେଣୁ ଭାରତ ବି ପଛକୁ ହଟିବାକୁ ନାରାଜ। ବର୍ତ୍ତମାନ ଭାରତ ଆମେରିକା ମାର୍କେଟ୍ର ଏକ ବିକଳ୍ପ ଖୋଜୁଛି। ଏହାରି ଭିତରେ ଚର୍ଚ୍ଚା ହେଉଛି ଯେ ଭାରତ ପୁଣିଥରେ ବିଶ୍ୱର ସବୁଠାରୁ ବଡ଼ ବାଣିଜ୍ୟ ମେଣ୍ଟ RCEPରେ ଯୋଗ ଦେଇପାରେ। ଚୀନ ପୂର୍ବରୁ ଏହି ମେଣ୍ଟରେ ସାମିଲ ରହିଛି। ୫ ବର୍ଷ ପୂର୍ବେ ଭାରତ ମଧ୍ୟ ଏଥିରେ ଯୋଗ ଦେଇଥାନ୍ତା,ହେଲେ ଅଳ୍ପକେ ଓହରି ଆସିଥିଲା। ଏବେ ଭାରତ ପୁଣିଥରେ ବ୍ୟାକ୍ କରିପାରେ।
ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ସହଭାଗୀତା ବା RCEP ଏକ ପୂର୍ବ ବାଣିଜ୍ୟିକ ଗୋଷ୍ଠୀ, ଯାହା ୨୦୧୨ ନଭେମ୍ବରରେ ପ୍ରତିଷ୍ଠା ହୋଇଥିଲା। ଏଥିରେ ୧୦ ଏସୀୟ ଦେଶ- ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ, ମାଲେସିଆ, ମିଆଁମାର, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲ୍ୟାଣ୍ଡ ଏବଂ ଭିଏତନାମ ସହିତ ଚୀନ, ଜାପାନ, ଦକ୍ଷିଣକୋରିଆ, ଅଷ୍ଟ୍ରାଲିଆ, ନ୍ୟୁଜିଲାଣ୍ଡ ଭଳି ମୋଟ ୧୫ଟି ସଦସ୍ୟ ଦେଶ ରହିଛନ୍ତି।
RCEPକୁ ସଦସ୍ୟ ଦେଶମାନଙ୍କ ଦ୍ୱାରା ହୋଇଥିବା ବିଶ୍ୱର ସର୍ବବୃହତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବୋଲି କୁହାଯାଏ। ୟୁକେ-ଭିତ୍ତିକ ତଥ୍ୟ ଏବଂ ବିଶ୍ଳେଷଣ ପ୍ଲାଟଫର୍ମ ୱାର୍ଲ୍ଡ ଇକୋନୋମିକ୍ସ ଅନୁଯାୟୀ, ୨୦୨୫ ମସିହାରେ ମୋଟ ବିଶ୍ୱ ଜିଡିପିର ୩୨.୬% ଯୋଗଦାନ କେବଳ RCEP ବ୍ଲକର ରହିଥିଲା। ଏହି ମେଣ୍ଟରେ ଆସୁଥିବା ଦେଶଗୁଡ଼ିକର ମୋଟ ଜନସଂଖ୍ୟା ବର୍ତ୍ତମାନ ୨.୩୫ ବିଲିୟନରୁ ଅଧିକ ରହିଛି। ଏବେ ଭାରତ ଏହି ମେଣ୍ଟରେ ଯୋଗ ଦେବାକୁ ଚିନ୍ତା କରୁଛି ବୋଲି ଘଟଣା ବିଷୟରେ ଅବଗତ ଥିବା ଦୁଇଜଣ ବରିଷ୍ଠ ସରକାରୀ ଅଧିକାରୀ ନାଁ ଗୋପନ ରଖିବା ସର୍ତ୍ତରେ ଲାଇଭ ମିଣ୍ଟକୁ କହିଛନ୍ତି।
ଉଲ୍ଲେଖନୀୟ ଯେ, ଜାପାନ ଏବଂ ସିଙ୍ଗାପୁର ଭାରତକୁ ଯେକୌଣସି ସମୟରେ ବ୍ଲକ୍କୁ ଫେରିବା ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ। ତେଣୁ ଭାରତର ଏହି ଗ୍ରୁପରେ ସାମିଲ ହେବା ସହଜ ହୋଇପାରେ। ଏଥିରେ ନିୟମ ଅନୁସାରେ ସମସ୍ତ ସଦସ୍ୟ ଦେଶ ରାଜି ହେଲା ଭାରତ ଗ୍ରୁପରେ ଏଣ୍ଟ୍ରି କରିପାରିବ।
ନଭେମ୍ବର ୨୦୧୯ରେ, ନୂଆଦିଲ୍ଲୀ ଏହି ମେଣ୍ଟରୁ ଓହରିଯାଇଥିଲା। ଭାରତୀୟ ବଜାର ପ୍ରବେଶ, ବାଣିଜ୍ୟ ନିଅଣ୍ଟ ବୃଦ୍ଧି ଏବଂ ଚାଷୀ, ଘରୋଇ ଉତ୍ପାଦନ ଏବଂ ଛୋଟ ବ୍ୟବସାୟ ପ୍ରତି ବିପଦ ଥିବା ଚିନ୍ତା ଦର୍ଶାଇ ଭାରତ ବ୍ଲକ ଛାଡିଥିଲା। ଭାରତ ଭାବୁଥିଲା ଗ୍ରୁପରେ ସାମିଲ୍ ହେଲେ ଚୀନ ସହ ବାଣିଜ୍ୟ ଅସନ୍ତୁଳନ ଦେଖାଦେବା। ଚୀନର ଶସ୍ତା ମାଲ୍ ଭାରତରେ ପ୍ରବେଶ କରିବ। ସେହିପରି ନ୍ୟୁଜିଲାଣ୍ଡ ଭାରତକୁ ଶସ୍ତା କ୍ଷୀର ଦେଇ ଭାରତର କ୍ଷୁଦ୍ର ଚାଷୀ ଏବଂ ଦୁଗ୍ଧ ସମବାୟକୁ କ୍ଷତି ପହଞ୍ଚାଇବ। ତେଣୁ ଭାରତ ଗ୍ରୁପ ଛାଡ଼ି ଦେଇଥିଲା।
ହେଲେ ସ୍ଥିତିରେ ସୁଧାର ଆସିଛି। ଏବେ ଭାରତ ମଧ୍ୟ ଏକାଧିକ କ୍ଷେତ୍ରରେ ରପ୍ତାନୀ କରୁଛି। ଏପଟେ ଆମେରିକା ଶୁଳ୍କ ବଢ଼ାଇ ନିଜ ମାର୍କେଟ୍ ମହଙ୍ଗା କରିଦେଇଛି। ତେଣୁ ଭାରତ ବି ନିଜ ସାମଗ୍ରୀ ବିକ୍ରି କରିବାକୁ ଏଭଳି ଏକ ବଡ଼ ମାର୍କେଟ୍ ଖୋଜୁଛି। ସେପଟେ ଭାରତ ପାଖରେ ମଧ୍ୟ ଏକ ବଡ଼ ମାର୍କେଟ୍ ରହିଛି। ତେଣୁ ସେ RCEPରେ ଯୋଗ ଦେଲେ ଏହି ସଂଗଠନର ବଳ ଆହୁରି ବଢିଯିବ। ଅନ୍ୟ ସଦସ୍ୟ ଦେଶମାନେ ବି ଭାରତ ଭଳି ଏକ ବଜାରରେ ପ୍ରବେଶ ଅନୁମତି ପାଇବେ। ତେଣୁ ଭାରତ ଏଥିରେ ସାମିଲ୍ ହେବ ନା ପୂର୍ବଭଳି ଦୂରେଇ ରହିବ ତାହା ଦେଖିବା ବାକି ରହିଲା।