ନୂଆଦିଲ୍ଲୀ: ବିଶ୍ୱକପ ପୂର୍ବରୁ ଭାରତୀୟ ମହିଳା କ୍ରିକେଟ ଦଳର ଖରାପ ପ୍ରଦର୍ଶନ। ଘରୋଇ ମାଟିରେ ଅଷ୍ଟ୍ରେଲିଆ ଠାରୁ ୮ ୱିକେଟ୍‌ରେ ହାରିଲା ଭାରତ। ମହିଳା ବିଶ୍ୱକପ୍ ୨୦୨୫ ପୂର୍ବରୁ, ଟିମ୍ ଇଣ୍ଡିଆ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଖେଳୁଛି। ଏହି ସିରିଜର ପ୍ରଥମ ମ୍ୟାଚ୍ ଚଣ୍ଡିଗଡ଼ର ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଚମତ୍କାର ଖେଳ ପ୍ରଦର୍ଶନ କରି ଭାରତକୁ ୮ ୱିକେଟରେ ପରାସ୍ତ କରିଛି।

ଆଜିର ମ୍ୟାଚ୍‌ରେ ସବୁଠାରୁ ଅଧିକ ନିରାଶ କରିଥିଲେ ଭାରତୀୟ ବୋଲର। ତେଣୁ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ସ୍କୋର କରିଥିଲେ ବୋଲରଙ୍କ ବିଫଳତା ଯୋଗୁ ମ୍ୟାଚ୍ ହାରିବାକୁ ପଡ଼ିଥିଲା।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତ ହରମନପ୍ରୀତ କୌରଙ୍କ ନେତୃତ୍ୱରେ ୫୦ ଓଭରରେ ୭ ୱିକେଟ୍ ହରାଇ ୨୮୧ ରନ୍ କରିଥିଲା। ଓପନର ସ୍ମୃତି ମନ୍ଧାନା ୬୩ ବଲ୍‌ରେ ୫୮ ରନ୍ ର ଇନିଂସ ଖେଳିଥିଲେ।  ଯେଉଁଥିରେ ୬ ଚୌକା ଏବଂ ୨ ଛକା ସେ ମାରିଥିଲେ। ସେହି ସମୟରେ ପ୍ରତୀକା ରାୱଲ ୯୬ ବଲ୍‌ରେ ୬୪ ରନ୍ କରିଥିଲେ। ସେ ୬ଟି ଚୌକା ମାରିଥିଲେ।

ଏହାପରେ ହରଲିନ୍ ଦେଓଲ ୫୭ ବଲ୍‌ରେ ୫୪ ରନ୍ କରି ଦଳକୁ ଏକ ବଡ଼ ସ୍କୋର ଆଡ଼କୁ ନେଇଯାଇଥିଲେ। ରିଚା ଘୋଷ ମଧ୍ୟ ୨୦ ବଲ୍‌ରେ ୨୫ ରନ୍ ଯୋଡ଼ିଥିଲେ ଓ ଦୀପ୍ତି ଶର୍ମା ୧୬ ବଲ୍‌ରେ ୨୦ ରନ୍ କରି ଅପରାଜିତ ରହିଥିଲେ। ଭାରତର ୩ ବ୍ୟାଟର ଅର୍ଦ୍ଧଶତକ ହାସଲ କରିଥିବା ବେଳେ ପୂରା ବ୍ୟାଟିଂ ଲାଇନ ଭଲ ରହିଥିଲା।

ଅନ୍ୟପଟେ ଅଷ୍ଟ୍ରେଲିଆ ପକ୍ଷରୁ ମେଗାନ ସ୍କଟ ସବୁଠାରୁ ସଫଳ ବୋଲର ଭାବେ ଓଭରରେ   ୪୫ ରନ ଦେଇ ୨ ୱିକେଟ୍ ନେଇଥିଲେ। ସେହିପରି କିମ୍ ଗାର୍ଥ, ଆନାବେଲ ସଦରଲ୍ୟାଣ୍ଡ, ଆଲାନା କିଙ୍ଗ ଏବଂ ଟାହଲିଆ ମ୍ୟାକଗ୍ରା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

୨୮୨ ରନ୍‌ର ଟାର୍ଗେଟ୍ ନେଇ ବ୍ୟାଟିଂ କରିବାକୁ ଆସିଥିବା ଅଷ୍ଟ୍ରେଲିଆ ଭାରତୀୟ ବୋଲରଙ୍କ ଖରାପ ପ୍ରଦର୍ଶନ ଯୋଗୁ ସହଜରେ ବିଜୟ ହାସଲ କରି ନେଇଥିଲା। ଭାରତ ମାଟିରେ ଅଷ୍ଟ୍ରେଲିଆ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲା। ଦଳ ମାତ୍ର ୨ ୱିକେଟ ହରାଇ ୪୪.୧ ଓଭରରେ ଲକ୍ଷ୍ୟ ହାସଲ କରି ନେଇଥିଲା। ଓପନର ଫୋବି ଲିଚଫିଲ୍ଡ ୮୦ଟି ବଲ୍ ଖେଳି ସର୍ବାଧିକ ୮୮ ରନ୍ କରିଥିଲେ। ସେ ୧୪ ଚୌକା ମାରିଥିଲେ। ଅଧିନାୟିକା ଆଲିସା ହିଲି ୨୩ ବଲ୍‌ରେ ୨୭ ରନ୍ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ।

ଏଲିସ ପେରି ମଧ୍ୟ ୩୮ ବଲ୍‌ରେ ୩୦ ରନ୍ ଯୋଗଦାନ ଦେଇଥିଲେ। କିନ୍ତୁ ସେ ରିଟାୟର୍ଡ ହର୍ଟ ହୋଇ ପ୍ୟାଭିଲିୟନ ଫେରିଯାଇଥିଲେ। ଏହାପରେ ବେଥ୍ ମୁନି ଏବଂ ଆନାବେଲ୍ ସଦରଲ୍ୟାଣ୍ଡ ଦଳକୁ ବିଜୟୀ କରାଇଥିଲେ। ବେଥ୍ ମୁନି ୭୪ ବଲ୍‌ରେ ୭୭ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ଯେଉଁଥିରେ ସେ ୯ ଟି ଚୌକା ମାରିଥିଲେ। ଅନ୍ୟପଟେ ଆନାବେଲ୍ ସଦରଲ୍ୟାଣ୍ଡ ୫୧ ବଲ୍‌ରେ ଅପରାଜିତ ୫୪ ରନ୍‌ କରିଥିଲେ। ସେ ୬ ଚୌକା ମାରିଥିଲେ। ଅନ୍ୟପକ୍ଷରେ, ଭାରତ ପକ୍ଷରୁ କ୍ରାନ୍ତି ଗୌର ଏବଂ ସ୍ନେହ ରାଣା ଗୋଟିଏ ଲେଖାଏ ୱିକେଟ୍ ନେବାର ସଫଳ ହୋଇଥିଲେ। କିନ୍ତୁ ଅନ୍ୟ କୌଣସି ବୋଲରଙ୍କୁ ସଫଳତା ମିଳି ନଥିଲା। ଭାରତର ଖରାପ ପ୍ରଦର୍ଶନ ଯୋଗୁ ଭାରତ ଘରୋଇ ମାଟିରେ ପରାଜିତ ହୋଇଥିଲା।