ସୀମା ବିବାଦରୁ ଯୁଦ୍ଧ ! କାମ୍ବୋଡିଆରେ ଥିବା ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କଲା ଭାରତ

Published By : Prameya-News7 Bureau | July 26, 2025 IST

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡ ଏବଂ  କାମ୍ବୋଡିଆ ମଧ୍ୟରେ ସୀମା ବିବାଦ ଏବେ ଯୁଦ୍ଧରେ ପରିଣତ ହୋଇଛି।  ଗତ ତିନି ଦିନ ଧରି ଉଭୟ ଦେଶର ସୈନିକଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। କାମ୍ବୋଡିଆର ସାମରିକ ଘାଟି ଉପରେ ବିମାନ ଆକ୍ରମଣ ମଧ୍ୟ କରିଛି ଥାଇଲ୍ୟାଣ୍ଡ। ଉଭୟ ଦେଶ ମଧ୍ୟରେ ଯୁଦ୍ଧରେ ଏପର୍ଯ୍ୟନ୍ତ ୩୩ ଜଣଙ୍କ ଜୀବନ ଯାଇଛି। ଥାଇଲ୍ୟାଣ୍ଡରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଜଣେ ସୈନିକ ଏବଂ ୧୯ ସାଧାରଣ ନାଗରିକ ଅଛନ୍ତି। ଏପର୍ଯ୍ୟନ୍ତ କାମ୍ବୋଡିଆରେ ୫ ସୈନିକ ଏବଂ ୮ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। 

ଏହି ଯୁଦ୍ଧ ଯୋଗୁଁ ଉଭୟ ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୧୩୦ ଜଣ ଆହତ ହୋଇଛନ୍ତି। ଯୁଦ୍ଧ ବୃଦ୍ଧି ପାଉଥିବା ଦେଖି ଜାତିସଂଘରେ କାମ୍ବୋଡିଆର ପ୍ରତିନିଧି ମଧ୍ୟ ଯୁଦ୍ଧବିରତି ପାଇଁ ଦାବି ଉଠାଇଛନ୍ତି। ଏହି ସମୟରେ, କାମ୍ବୋଡିଆରେ ଭାରତୀୟ ଦୂତାବାସ ଦ୍ୱାରା ଏକ ଆଡଭାଇଜରି ଜାରି କରାଯାଇଛି। 

କମ୍ବୋଡିଆର ରାଜଧାନୀ ନୋମ ପେନ୍‌ରେ ଥିବା ଭାରତୀୟ ଦୂତାବାସ ଆଜି ଏକ ଆଡଭାଇଜରି ଜାରି କରିଛି। ଏଥିରେ ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ସୀମାରେ ବଢ଼ୁଥିବା ଯୁଦ୍ଧ ଯୋଗୁଁ ଭାରତୀୟ ନାଗରିକମାନଙ୍କୁ ସୀମା ନିକଟବର୍ତ୍ତୀ ଅଞ୍ଚଳକୁ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଜରୁରୀକାଳୀନ ପରିସ୍ଥିତିରେ, ଭାରତୀୟ ନାଗରିକମାନଙ୍କୁ ଦୂତାବାସ ନମ୍ବର +855 92881676 ସହିତ ଯୋଗାଯୋଗ କରିବାକୁ କିମ୍ବା [email protected]ରେ ଇମେଲ୍ କରିବାକୁ ପରାମର୍ଶ ଦିଆଯାଇଛି।

ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ବଢ଼ୁଥିବା ଯୁଦ୍ଧ ଉଭୟ ଦେଶର ସୀମାରେ ରହୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ। ସୀମା ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଥାଇଲ୍ୟାଣ୍ଡର ପ୍ରାୟ ୧.୩ ଲକ୍ଷ ଲୋକ ନିଜ ଘର ଛାଡି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ଏହି ଲୋକଙ୍କ ପାଇଁ ୩୦୦ରୁ ଅଧିକ ଆଶ୍ରୟସ୍ଥଳ ବ୍ୟବସ୍ଥା କରାଯାଇଛି। ସେହିପରି, କାମ୍ବୋଡିଆରୁ ପ୍ରାୟ ୩୫ ହଜାର ଲୋକଙ୍କୁ ସୀମା ନିକଟରେ ଥିବା ନିଜ ଘର ଛାଡି ସୁରକ୍ଷିତ ସ୍ଥାନକୁ ପଳାଇବାକୁ ପଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.