ଭାରତଠାରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ପାଇଲା ଫିଲପାଇନ୍ସ, ଏବେ ଚୀନ୍ କୁ ଦେଇ ପାରିବ ଜବାବ

Published By : Prameya-News7 Bureau | April 19, 2024 IST

ନୂଆଦିଲ୍ଲୀ ୧୯।୪: ଚୀନ୍‌ ଦ୍ୱାରା ହଇାଣ ହେଉଥିବା ଏକ ଛୋଟ ଦେଶ ଭାରତର ସହାୟତା ନେଇଛି। ଏହି ଦେଶ ହେଉଛି ଫିଲପାଇନ୍ସ। ଭାରତ ସହ ୨୦୨୨ ମସିହାରେ ଫିଲପାଇନ୍ସ ୩,୧୩୧ କୋଟି ଟଙ୍କାର ଏକ ରାଜିନାମା କରିଥିଲା। ଏହି ରାଜିନାମା ଅନୁସାରେ ଫିଲପାଇନ୍ସକୁ ବିଶ୍ୱର ସବୁଠୁ ଦ୍ରୁତ କ୍ଷେପଣାସ୍ତ୍ର ପ୍ରଦାନ କରିଛି ଭାରତ। ଫିଲପାଇନ୍ସ ଆକାରରେ ଭାରତ ଠାରୁ ଅନେକ ଛୋଟ ଦେଶ। ଏହାର ଜନସଂଖ୍ୟା ମାତ୍ର ୧୧.୪୬ କୋଟି। ଫିଲପାଇନ୍ସ ଭାରତ ଠାରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ନେଇଛି। 

ଭାରତରୁ ବ୍ରହ୍ମୋସ ପାଇବା ପରେ ଫିଲପାଇନ୍ସର ସୈନ୍ୟ ଶକ୍ତି ଅନେକଗୁଣା ବଢିଯାଇଛି। ବ୍ରହ୍ମୋସ ବିଶ୍ୱର ହାତଗଣତି ସୁପରସୋନିକ କ୍ରୁଜ ମିସାଇଲ ମଧ୍ୟରେ ଅନ୍ୟତମ। ଯାହାକୁ ଯେ କୌଣସି ସ୍ଥାନରୁ ପ୍ରୟୋଗ କରାଯାଇପାରେ। ଫିଲପାଇନ୍ସକୁ ଆଣ୍ଟିସିପ୍ ଓ ଲ୍ୟାଣ୍ଡ ଆଟାକ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଆବଶ୍ୟକତା ଥିଲା। ଏହି କ୍ଷେପଣାସ୍ତ୍ର ଗୁଡିକ ୨୦ରୁ ୨୮ ଫୁଟ ଲମ୍ବା। ଏହି କ୍ଷେପଣାସ୍ତ୍ର ୨୦୦ରୁ ୩୦୦ କେଜି ପରମାଣୁ ଅଥବା ପାରମ୍ପରିକ ଅସ୍ତ୍ର ସାଙ୍ଗରେ ନେଇଯାଇପାରିବ। 

ଏହି କ୍ଷେପଣାସ୍ତ୍ର ୧୫ କିଲୋମିଟର ଉଚ୍ଚତାକୁ ଯାଇ ପାରିବ। ୨୯୦ରୁ ୮୦୦ କିଲୋମିଟର ରେଞ୍ଜର ଏହି କ୍ଷେପଣାସ୍ତ୍ରର ସବୁଠୁ ଯାହା ବଡ଼ ବିଶେଷତା ତାହା ହେଉଛି ଏହା ସମୁଦ୍ର ପୃଷ୍ଠରୁ ମାତ୍ର କିଛି ଫୁଟ ଉଚ୍ଚତାରେ ଉଡିପାରେ। ଏଣୁ ଏହା ରାଡାରରେ ଧରାପଡିବନି। ଦକ୍ଷିଣ ଚୀନ ସାଗରରେ ୭୬୪୧ଟି ଦ୍ୱୀପର ସମାହାର ହେଉଛି ଫିଲପାଇନ୍ସ।  ଏହି ଦେଶଟି ଛୋଟ ହୋଇଥିଲେ ବି ଏହାର ସମୁଦ୍ର ସୀମା ତାଇୱାନ, ଜାପାନ, ପଲାଉ, ଇଣ୍ଡୋନେସିଆ, ମାଲେସିଆ, ଭିଏତନାମ ଓ ଚୀନ୍‌ କୁ ଲାଗି ରହିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.