ନୂଆଦିଲ୍ଲୀ ୧୬।୭: ବିଶ୍ୱର ୩୦ ଦେଶଙ୍କ ମିଲେଟ୍ରି ସଙ୍ଗଠନ ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ (ନାଟୋ) ମୁଖ୍ୟ ଋଷିଆ ନାଁ ନେଇ ଭାରତ ଓ ଚୀନ୍ କୁ ସାର୍ବଜନିକ ଧମକ ଦେଇଛନ୍ତି। ନାଟୋ ଚିଫ ଦମ୍ଭର ସହ କହିଛନ୍ତି ଯେ ଆପଣ ଚୀନ୍ ରାଷ୍ଟ୍ରପତି ହୁଅନ୍ତୁ କି ଭାରତର ପ୍ରଧାନମନ୍ତ୍ରୀ ଅଥବା ବ୍ରାଜିଲ ରାଷ୍ଟ୍ରପତି ଯଦି ଆପଣ ଏବେବି ଋଷିଆ ସହିତ ବାଣିଜ୍ୟ କରୁଛନ୍ତି ତା ଠାରୁ ତୈଳ ଓ ଗ୍ୟାସ୍ କିଣୁଛନ୍ତି ଜାଣିରଖନ୍ତୁ ଋଷିଆରେ ବସିଥିବା ବ୍ୟକ୍ତି (ଭ୍ଲାଦିମୀର ପୁଟିନ) ଶାନ୍ତି ବାର୍ତ୍ତା ଉପରେ ଗୁରୁତ୍ୱ ଦେବ ନାହିଁ, ଯାହାର ପରିଣାମ ତମକୁ ଭୋଗିବାକୁ ପଡିବ।
ଭାରତ ଓ ଚୀନ୍ କୁ ଧମକ ନାଟୋ ମୁଖ୍ୟ ମାର୍କ ରୁଟେ ଦେଇଛନ୍ତି। ନାଟୋ ମୁଖ୍ୟ ଅଣ କୂଟନୈତିକ ଶବ୍ଦ ଉପଯୋଗ କରି ଭାରତ, ଚୀନ୍ ଓ ବ୍ରାଜିଲକୁ ଋଷିଆ ସହ ବାଣିଜ୍ୟ ନ କରିବାକୁ ଧମକ ଦେଇଛନ୍ତି। ମାର୍କ ରୁଟୋ ଖାସ କରି କହିଛନ୍ତି ଯେ ଚୀନ୍ ଓ ଭାରତ ଭଳି ଦେଶ ଯଦି ଋଷିଆ ସହିତ ବାଣିଜ୍ୟ ଜାରି ରଖନ୍ତି ସେମାନଙ୍କ ଉପରେ ୧୦୦% ସେକେଣ୍ଡାରୀ ସାଂକ୍ସନ ଲଗାଯିବ। ତେବେ ଭାରତ ଓ ଚୀନ୍ କୁ ଧମକାଇବା ପଛରେ ଏକ ବଡ଼ ଚାଲ ରହିଛି।
ଯଦିଓ ମାର୍କ ରୁଟୋ ଏହି ଧମକ ଦେଇଛନ୍ତି ତେବେ ସେ ଡୋନାଲ୍ଡ ଟ୍ରମ୍ପଙ୍କ ଭାଷା କହୁଛନ୍ତି। ଟ୍ରମ୍ପ ବାରମ୍ବାର ଭାରତ ଓ ଚୀନ୍ ଉପରେ ଆମେରିକା ସହ ଟ୍ରେଡ ଡିଲ କରିବାକୁ ଚାପ ପକାଉଛନ୍ତି। ଟ୍ରମ୍ପ ଚାହୁଁଛନ୍ତି ବିଶ୍ୱର ଦୁଇ ବୃହତ ବଜାର ଭାରତ ଓ ଚୀନ୍ ଋୁଷିଆ ନୁହେଁ ଆମେରିକା ସହିତ ବାଣିଜ୍ୟ କରନ୍ତୁ ଓ ତାହା ବି ଆମେରିକାର ସର୍ତ୍ତରେ। ତେବେ ଟ୍ରମ୍ପଙ୍କ ଧମକ ଭାରତ ଓ ଚୀନ ଉପରେ ସାମାନ୍ୟତମ ପ୍ରଭାବ ରଖୁନି। ଏଣୁ ଭାରତ ଓ ଚୀନ୍ ଲଗାତାର ଋଷିଆ ସହ କାରବାର କରିଆସୁଛନ୍ତି।
ଏଥିରେ ଟ୍ରମ୍ପଙ୍କ ମୁହଁ ହୋଇ ଏବେ ନାଟୋ ମୁଖ୍ୟ ସାମ୍ନାକୁ ଆସିଛନ୍ତି। ନାଟୋ ଚିଫ୍ ଙ୍କ ବୟାନ ସ୍ପଷ୍ଟ କରୁଛି ଭାରତ ଓ ଚୀନକୁ ବିଶ୍ୱର ସବୁଠୁ ବଡ଼ ମିଲେଟ୍ରି ସଙ୍ଗଠନ ପକ୍ଷରୁ ଧମକ ଦିଆଯାଉଛି। ଅର୍ଥାତ ଭାରତ ଓ ଚୀନକୁ ଡରାଣ ଦିଆଯାଉଛି। ହେଲେ ଏହି ଚେତାବନୀର ପ୍ରଭାବକୁ ଭାରତ ଓ ଚୀନ୍ ଖାତିର କରୁନାହାନ୍ତି। ବଦଳରେ ଭାରତ ଏପରି ଏକ ବୟାନ ଦେଇଛି ଯାହା ଏବେ ନାଟୋ ମୁଖ୍ୟଙ୍କ ସହ ଆମେରିକାକୁ ମଧ୍ୟ ଚୁପ କରିଦେଇଛି।
ଭାରତ କହିଛି ଯଦି ଆମେ ଋଷିଆରୁ ଅଶୋଧିତ ତୈଳ କିଣୁ ନଥାନ୍ତୁ ଏବେ ସାରା ବିଶ୍ୱରେ ଇନ୍ଧନ ମୂଲ୍ୟ ଆକାଶ ଛୁଉଁଥାନ୍ତା। ଯଦି କୌଣସି ଦେଶ ଋଷିଆରୁ ତୈଳ କିଣୁ ନଥାନ୍ତେ ତେବେ ବାରଲ ପିଛା କ୍ରୁଡ ୧୨୦ରୁ ୧୩୦ ଡଲାରକୁ ପହଞ୍ଚନ୍ତାଣି। ଋଷିଆରୁ ଭାରତ ୬୦ ବିଲିୟନ ଡଲାରର ତୈଳ କ୍ରୟ କରୁଛି। ଏଥିରେ ସବୁଠୁ ମଜାଦାର କଥା ହେଉଛି ଆମେରିକା ଯେଉଁ ୟୁରେନିୟମ କିଣୁଛି ତାହା ଋଷିଆରୁ ଆସୁଛି। ଏଥିରୁ ଆମେରିକାର ଦୋମୁହାଁ ନୀତି ସ୍ପଷ୍ଟ ବାରି ହୋଇଯାଉଛି।
ଆମେରିକା ସମେତ ପାଶ୍ଚାତ୍ୟ ଦେଶମାନେ ଋଷିଆ ଉପରେ ୨୧ ହଜାରରୁ ଅଧିକ କଟକଣା ଜାରି କରିଛନ୍ତି। କିନ୍ତୁ ଆମେରିକା ନିଜେ ଋଷିଆରୁ ୟୁରେନିୟମ କିଣୁଛି। ସେହିପରି ଋଷିଆରୁ ୟୁରୋପୀୟ ୟୁନିୟନ ତୈଳ କି ଗ୍ୟାସ କିଣୁ ନାହାନ୍ତି, ହେଲେ ଭାରତ ଓ ଚୀନରୁ ରିଫାଇନ କୃତ ତେଲ କିଣୁଛନ୍ତି। ସେମାନଙ୍କ ତେଲ କିଣା ବନ୍ଦ ହେବନି କାରଣ ସେମାନଙ୍କୁ ଅନ୍ୟ କେଉଁଠୁ ତୈଳ ମିଳି ନାହିଁ, ହେଲେ ଭାରତ ଓ ଚୀନ୍ ଉପରେ କଟକଣା ଲଗାଇବାକୁ ଧମକେ ଦେବେ।