ନୂଆଦିଲ୍ଲୀ: ଆଗାମୀ ବର୍ଷଗୁଡ଼ିକରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇପାରେ ବୋଲି ପିଡବ୍ଲୁସି ଇଣ୍ଡିଆ ଏକ ନୂଆ ରିପୋର୍ଟରେ ଆକଳନ କରିଛି। ଏହି ବିଶ୍ଳେଷଣରେ ଭାରତର ମୋଟ ଜିଭିଏ(ଗ୍ରସ ଭାଲ୍ୟୁ ଆଡେଡ୍) ୨୦୨୩ରେ $୩.୩୯ ଟ୍ରିଲିୟନରୁ ୨୦୩୫ରେ $୯.୮୨ ଟ୍ରିଲିୟନକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଯାହା ୯.୨୭% ସିଏଜିଆର(ଚକ୍ରବୃଦ୍ଧି ବାର୍ଷିକ ଅଭିବୃଦ୍ଧି ହାର)କୁ ଦର୍ଶାଉଛି।
ଜିଭିଏ ବା ମୋଟ ମୂଲ୍ୟ ବର୍ଦ୍ଧନ, ଅର୍ଥନୀତିର ସାମଗ୍ରୀ ଏବଂ ସେବା ଉତ୍ପାଦନ ମୂଲ୍ୟର ଏକ ମାପକ ଭାବରେ କାର୍ଯ୍ୟ କରେ। ଯାହା ଟିକସ ଏବଂ ସବସିଡି ହିସାବ ପରେ ଜିଡିପି ଗଣନାରେ ବ୍ୟବହୃତ ଏକ ଅର୍ଥନୈତିକ କାର୍ଯ୍ୟଦକ୍ଷତା ଏବଂ ଉତ୍ପାଦକତା ସୂଚକ ଭାବରେ କାର୍ଯ୍ୟ କରେ।
ରିପୋର୍ଟ ଅନୁଯାୟୀ, ଭାରତୀୟ ବ୍ୟବସାୟ ପାରମ୍ପରିକ କ୍ଷେତ୍ର-ବିଶିଷ୍ଟ ଦୃଷ୍ଟିକୋଣରୁ ବାହାରକୁ ବାହାରି ମୁଖ୍ୟ ମାନବୀୟ ଏବଂ ଶିଳ୍ପ ଆବଶ୍ୟକତାଉ ପରେ ଧ୍ୟାନ ଦେଇ ୯.୮୨ ଟ୍ରିଲିୟନ ଡଲାରର ଆର୍ଥିକ ମୂଲ୍ୟ ତିଆରି କରିପାରିବ। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ 'ନାଭିଗେଟିଂ ଦ ଭାଲ୍ୟୁ ସିଫ୍ଟ' ଶୀର୍ଷକ ପିଡବ୍ଲୁସି ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ କମ୍ପାନୀଗୁଡ଼ିକ ୯ଟି ଅଭିବୃଦ୍ଧି କ୍ଷେତ୍ରରେ ନିୟୋଜିତ ହୋଇ ୨୦୩୫ ସୁଦ୍ଧା ୯.୮୨ ଟ୍ରିଲିୟନ ଡଲାରର ଜିଭିଏ ହାସଲ କରିପାରିବେ।
ଏହି ବିଶ୍ଳେଷଣଟି ମାନବୀୟ ଆବଶ୍ୟକତା ଯଥା- ସାମାଜିକ ଜୀବନଯାପନ, ଗତିବିଧି, ଯତ୍ନ, ନିର୍ମାଣ ଏବଂ ଶକ୍ତି ଆବଶ୍ୟକତାକୁ ନେଇ ଏକ ଡୋମେନ୍ କେନ୍ଦ୍ରିତ ଏକ ଢାଞ୍ଚା ତିଆରି କରିଛି। ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ଏହି କ୍ଷେତ୍ରଗୁଡ଼ିକ ଜଳବାୟୁ ପରିବର୍ତ୍ତନ, ଜନସଂଖ୍ୟାଗତ ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଗତି ଦ୍ୱାରା ପ୍ରଭାବିତ ହେବା ସତ୍ତ୍ୱେ ବି ଅର୍ଥନୀତିରେ ମୂଲ୍ୟ ସୃଷ୍ଟି କରିବାକୁ ପ୍ରଦର୍ଶିତ କରୁଛି। ପିଡବ୍ଲୁସି ରିପୋର୍ଟରେ କୁହାଯାଇଛି ଯେ ପ୍ରତ୍ୟେକ ଡୋମେନ୍ ବହୁବିଧ ଶିଳ୍ପକୁ ଅନ୍ତର୍ଭୁକ୍ତ କରେ ଏବଂ ବ୍ୟାପକ ସମାଧାନ ପ୍ରଦାନ ପାଇଁ ଆନ୍ତଃ-କ୍ଷେତ୍ର ସହଯୋଗକୁ ପ୍ରୋତ୍ସାହିତ କରେ। ଭାରତର ବ୍ୟବସାୟ ଲିଡରମାନେ ବଜାର ପରିବର୍ତ୍ତନ ସହିତ ସକ୍ରିୟ ଭାବରେ ଖାପ ଖୁଆଇବାରେ ଲାଗି ପଡ଼ିଛନ୍ତି।
ଜାନୁଆରୀ ୨୦୨୫ରେ ପ୍ରକାଶିତ ପଡବ୍ଲୁସିର ୨୮ତମ ବାର୍ଷିକ ଗ୍ଲୋବାଲ୍ ସିଇଓ ସର୍ଭେ: ଇଣ୍ଡିଆ ଦୃଷ୍ଟିକୋଣ ଅନୁଯାୟୀ, "ଭାରତର ୪୦% ସିଇଓ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ସେମାନଙ୍କ କମ୍ପାନୀଗୁଡ଼ିକ ଅତି କମରେ ଗୋଟିଏ ନୂଆ କ୍ଷେତ୍ରରେ ପ୍ରବେଶ କରିଛନ୍ତି, ସେମାନଙ୍କ ମଧ୍ୟରୁ ଅଧା ଏହି ନୂଆ ଉଦ୍ୟୋଗରୁ ସେମାନଙ୍କର ରାଜସ୍ୱର ୨୦% ପର୍ଯ୍ୟନ୍ତ ଉତ୍ପାଦନ କରୁଛନ୍ତି।" ଇଟିକୁ ପ୍ରତିକ୍ରିୟା ଦେଇ ଭାରତରେ ପିଡବ୍ଲୁସି ଅଧ୍ୟକ୍ଷ ସଞ୍ଜୀବ କ୍ରୀଷ୍ଣା କହିଛନ୍ତି। ବିଭିନ୍ନ ଦିଗରେ ପରିବର୍ତ୍ତନ ମୂଳକ ପଦକ୍ଷେପ ସହ ଆଗେଇବା ଯୋଗୁ ଭାରତ ଏହି ସଫଳତା ହାସଲ କରିପାରେ ବୋଲି ସର୍ଭେରେ କୁହାଯାଇଛି।