ରୁଟ୍‌ଙ୍କ ଶତକ, ବୁମରାଙ୍କୁ ୫ ୱିକେଟ୍; ଲର୍ଡ୍ସ ଟେଷ୍ଟର ପ୍ରଥମ ଇନିଂସରେ ୩୮୭ ରନ୍‌ରେ ଇଂଲଣ୍ଡ ଅଲ୍‌ଆଉଟ୍

Published By : Prameya-News7 Bureau | July 11, 2025 IST

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫିର ତୃତୀୟ ମୁକାବିଲା ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯାଉଛି । ଆଜି ମୁକାବିଲାର ଦ୍ୱିତୀୟ ଦିନ । ଇଂଲଣ୍ଡ ଟିମ୍ ପ୍ରଥମ ଇନିଂସରେ ୩୮୭ ରନ୍‌ରେ ଅଲ୍‌ଆଉଟ୍ ହୋଇଛି । ଜୋ ରୁଟ୍‌ଙ୍କ ଶତକୀୟ ଇନିଂସ ଓ ଜେମି ସ୍ମିଥ୍ ଓ ବ୍ରାୟଡନ କାର୍ସେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଭାରତ ପାଇଁ ଜଶପ୍ରିତ ବୁମରା ପାଞ୍ଚଟି ୱିକେଟ୍ ନେଇଥିଲେ । 

ଚାରି ୱିକେଟ୍ ହରାଇ ୨୫୧ ରନ୍‌ରେ ପ୍ରଥମ ଦିନର ଖେଳ ଶେଷ କରିଥିଲା ଇଂଲଣ୍ଡ । ଜୋ ରୁଟ୍ ୯୯ ରନ୍ ଓ ବେନ୍ ଷ୍ଟୋକ୍ସ ୩୯ ରନରୁ ଦ୍ୱିତୀୟ ଦିନର ଖେଳ ଆରମ୍ଭ କରିଥିଲେ । ଦ୍ୱିତୀୟ ଦିନରେ ଭାରତ ଦମଦାର ଆରମ୍ଭ କରିଥିଲା । ବୁମରା ପ୍ରଥମ ସେସନରେ ହିଁ ତିନି ୱିକେଟ୍ ନେଇଥିଲେ । ସେ ବେନ୍ ଷ୍ଟୋକ୍ସ (୪୪), ଜୋ ରୁଟ୍ (୧୦୪) ଓ କ୍ରିସ୍ ୱକ୍ସଙ୍କୁ (୦) ଆଉଟ୍ କରିଥିଲେ । ଏହା ପରେ ଜେମି ସ୍ମିଥ୍ ଏବଂ ବ୍ରାଇଡନ୍ କାର୍ସେ ଦାୟିତ୍ୱ ନେଇଥିଲେ । ଅଷ୍ଟମ ୱିକେଟ୍ ପାଇଁ ଉଭୟଙ୍କ ମଧ୍ୟରେ ୮୦ରୁ ଅଧିକ ରନ୍‌ର ପାର୍ଟନରଶିପ୍ ହୋଇଥିଲା, ଯାହାକୁ ସିରାଜ ଭାଙ୍ଗି ଦେଇଥିଲେ । ସେ ଜେମି ସ୍ମିଥ୍ (୫୬)ଙ୍କୁ ନିଜର ଶିକାର କରିଥିଲେ ।

ଏହା ପରେ ବୁମରା ଜୋଫ୍ରା ଆର୍ଚରଙ୍କ ରୂପରେ ଇଂଲଣ୍ଡକୁ ନବମ ଝଟକା ଦେଇଥିଲେ । ସେ କେବଳ ଚାରି ରନ୍ ଆଉଟ୍ ହୋଇଥିଲେ ।ଭାରତ ବିପକ୍ଷରେ ପ୍ରଥମ ଇନିଂସରେ ବ୍ରାଇଡନ୍ କାର୍ସେ ତାଙ୍କର ପ୍ରଥମ ଅର୍ଦ୍ଧଶତକ ପୂରଣ କରିବାରେ ସଫଳ ହୋଇଥିଲେ । ସେ ୮୩ ବଲରେ ୬ ଚୌକା ଏବଂ ୧ ଛକା ସହାୟତାରେ ୫୬ ରନ୍ କରିଥିଲେ । ଶେଷରେ ସିରାଜଙ୍କ ବଲରେ ସେ ବୋଲ୍ଡ ହୋଇଥିଲେ । ସୋଏବ୍ ବଶିର ଏକ ରନ୍ କରି ଅପରାଜିତ ରହିଥିଲେ । ପ୍ରଥମ ଦିନରେ ଜ୍ୟାକ୍ କ୍ରାଉଲି ୧୮, ବେନ୍ ଡକେଟ ୨୩, ଓଲି ପୋପ୍ ୪୪ ରନ୍ କରିଥିଲେ । ଭାରତ ପାଇଁ ଜଶପ୍ରିତ ବୁମରା ପାଞ୍ଚଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ଏବଂ ନୀତୀଶ କୁମାର ରେଡ୍ଡୀ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍ ନେଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.