ସ୍ଥାୟୀ ବିକାଶ ଲକ୍ଷ୍ୟରେ ପ୍ରଗତି ହାସଲ କରିବାରେ ସଫଳ ହେଉଛି ଭାରତ, ପ୍ରଥମ ଥର SDR ରିପୋର୍ଟର ଟପ୍ ୧୦୦ରେ ପାଇଲା ସ୍ଥାନ

Published By : Prameya-News7 Bureau | June 27, 2025 IST

ନୂଆଦିଲ୍ଲୀ: ସ୍ଥାୟୀ ବିକାଶ ଲକ୍ଷ୍ୟ ବା (SDG)ରେ ପ୍ରଗତି ହାସଲ କରିବାରେ ସଫଳ ହେଉଛି ଭାରତ। କାରଣ ଭାରତ ପ୍ରଥମ ଥର, ସ୍ଥାୟୀ ବିକାଶ ଲକ୍ଷ୍ୟରେ ପ୍ରଗତି ହାସଲ କରିଥିବା ୧୬୭ ଦେଶ ମଧ୍ୟରୁ ଶ୍ରେଷ୍ଠ ୧୦୦ରେ ସ୍ଥାନ ପାଇଛି। ମଙ୍ଗଳବାର ଜାତିସଂଘର ସ୍ଥାୟୀ ବିକାଶ ସମାଧାନ ନେଟୱାର୍କର ଦଶମ ଏବଂ ସଦ୍ୟତମ ସ୍ଥାୟୀ ବିକାଶ ରିପୋର୍ଟ (SDR)ରେ ଏହା ଉଲ୍ଲେଖ ରହିଛି। 

ରିପୋର୍ଟ ଅନୁଯାୟୀ, ଭାରତ ୨୦୨୫ SDG ସୂଚକାଙ୍କରେ ୬୭ ସ୍କୋର ସହିତ ୯୯ ତମ ସ୍ଥାନରେ ଅଛି। ଯେତେବେଳେକି ଚୀନ୍ ୭୪.୪ ପଏଣ୍ଟ ସହିତ ୪୯ ତମ ଏବଂ ଆମେରିକା ୭୫.୩ ପଏଣ୍ଟ ସହିତ ୪୪ ତମ ସ୍ଥାନରେ ଅଛି। ପୂର୍ବରୁ ଭାରତ ୨୦୨୪ରେ ୧୦୯ତମ, ୨୦୨୩ରେ ୧୧୨ତମ, ୨୦୨୨ରେ ୧୨୧ତମ, ୨୦୨୧ରେ ୧୨୦ତମ, ୨୦୨୦ରେ ୧୧୭ତମ, ୨୦୧୯ରେ ୧୧୫ତମ, ୨୦୧୮ରେ ୧୧୨ତମ ଏବଂ ୨୦୧୭ରେ ୧୧୬ତମ ସ୍ଥାନରେ ଥିଲା।

ସେହିଭଳି ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଭୁଟାନ ୭୦.୫ ପଏଣ୍ଟ ସହିତ ୭୪ ତମ ସ୍ଥାନ ଅଧିକାର କରିଛି।ନେପାଳ ୬୮.୬ ପଏଣ୍ଟ ସହିତ ୮୫ ତମ, ବାଂଲାଦେଶ ୬୩.୯ ପଏଣ୍ଟ ସହିତ ୧୧୪ ତମ ଏବଂ ପାକିସ୍ତାନ ୫୭ ପଏଣ୍ଟ ସହିତ ୧୪୦ ତମ ସ୍ଥାନରେ ଅଛି।

ୟୁରୋପୀୟ ଦେଶଗୁଡ଼ିକ, ବିଶେଷକରି ନର୍ଡିକ ଦେଶଗୁଡ଼ିକ SDG ସୂଚକାଙ୍କରେ ଶୀର୍ଷରେ ରହିଛନ୍ତି। ଫିନଲ୍ୟାଣ୍ଡ ପ୍ରଥମ ସ୍ଥାନରେ ରହିଥିବାବେଳେ ସ୍ୱିଡେନ ଦ୍ୱିତୀୟ ଏବଂ ଡେନମାର୍କ ତୃତୀୟ ସ୍ଥାନରେ ଅଛନ୍ତି। ଶ୍ରେଷ୍ଠ ୨୦ ଦେଶ ମଧ୍ୟରୁ ମୋଟ ୧୯ଟି ୟୁରୋପର।

ସୂଚନାଥାଉକି, SDGକୁ ୨୦୧୫ରେ ଗ୍ରହଣ କରାଯାଇଥିଲା। ଏହାର ଲକ୍ଷ୍ୟ ରହିଛି ୨୦୩୦ ସୁଦ୍ଧା ବିଶ୍ବର ସାମଗ୍ରିକ ବିକାଶ, ଯେପରି କେହି ଜଣେବି ବିକାଶରୁ ବଞ୍ଚିତ ନହେବେ। ୨୦୧୫ ପରଠାରୁ ଦ୍ରୁତ ସାମାଜିକ- ଅର୍ଥନୈତିକ ବିକାଶ ଯୋଗୁ ପୂର୍ବ ଏବଂ ଦକ୍ଷିଣ ଏସିଆ, ସ୍ଥାୟୀ ବିକାଶ ଲକ୍ଷ୍ୟରେ ପ୍ରଗତି କ୍ଷେତ୍ରରେ ବିଶ୍ବ ହାରକୁ ମଧ୍ୟ ପଛରେ ପକାଇଛନ୍ତି। ପୂର୍ବ ଏବଂ ଦକ୍ଷିଣ ଏସିଆର ଯେଉଁ ଦେଶଗୁଡ଼ିକ ୨୦୧୫ ପରଠାରୁ ଦ୍ରୁତ ବିକାଶ କରିଛନ୍ତି ସେମାନେ ହେଲେ ନେପାଳ, କାମ୍ବୋଡ଼ିଆ, ଫିଲିପାଇନ୍ସ, ବାଂଲାଦେଶ ଏବଂ ମଙ୍ଗୋଲିଆ।

ତେବେ ରିପୋର୍ଟକୁ ନେଇ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି। ବିଶେଷଜ୍ଞ କହିଛନ୍ତି, ବିଶ୍ୱ ସ୍ତରରେ SDGର ପ୍ରଗତି ଅଟକିଯାଇଛି, ଫଳରେ ୨୦୩୦ ସୁଦ୍ଧା ପୂରା କରାଯିବାକୁ ଥିବା ୧୭ଟି ଲକ୍ଷ୍ୟର କେବଳ ୧୭ % ହାସଲ ହୋଇପାରିବ ବୋଲି ଆକଳନ କରାଯାଇଛି। ରିପୋର୍ଟରେ କୁହାଯାଇଛି "ବିଶ୍ୱର ଅନେକ ସ୍ଥାନରେ ବିବାଦ, ସାଂଗଠନିକ ଦୁର୍ବଳତା ଏବଂ ସୀମିତ ଆର୍ଥିକ ସ୍ଥାନ SDG ପ୍ରଗତିକୁ ବାଧା ଦେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.