LIVE TV

ଅଭିଷେକ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ, ପୁଣି ପାକିସ୍ତାନକୁ ଧୂଳି ଚଟାଇଲା ଭାରତ

NEWS7
IND vs PAK

ଦୁବାଇ: ଏସିଆ କପ୍ ୨୦୨୫ରେ ପୁଣି ପାକିସ୍ତାନକୁ ଧୂଳି ଚଟାଇଲା ଭାରତ। ଓପନର ଅଭିଷେକ ଶର୍ମାଙ୍କ ବିଧ୍ଵଂସୀ ବ୍ୟାଟିଂ ବଳରେ  ସୂର୍ଯ୍ୟ ବାହିନୀ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୬ ଓ୍ଵିକେଟ୍‌ରେ ହରାଇଛି। ବିଜୟ ସହ ଫାଇନାଲ୍ ଦିଗରେ ପାଦେ ଆଗେଇଛି ଭାରତ। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଶାହିନଜାଦ ଫରହାନଙ୍କ ୫୮ ରନ ବଳରେ ୫ ଓ୍ଵିକେଟ୍ ହରାଇ ୧୭୧ ରନ କରିଥିଲା। ଜବାବରେ ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ୭୪ ରନ ଓ ଗିଲ୍‌ଙ୍କ ୪୭ ରନ ବଳରେ ମ୍ୟାଚ୍‌କୁ ୧୮.୫ ଓଭରରେ ୪ ଓ୍ଵିକେଟ୍ ହରାଇ ଜିତି ନେଇଛି। ତିଳକ ବର୍ମା ୩୦ ରନର ମହତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଚଳିତ ଏସିଆ କପରେ ଭାରତଠୁ ପାକିସ୍ତାନର ଏହା ଦ୍ଵିତୀୟ ପରାଜୟ।

୧୭୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଦୁଇ ଓପନର ଅଭିଷେକ ଶର୍ମା ଓ ଶୁଭମନ ଗିଲ୍‌ ଆରମ୍ଭରୁ ଧୂଆଁଧାର ବ୍ୟାଟିଂ କରିଥିଲେ। ଦୁହେଁ ପାକ୍ ବୋଲରଙ୍କୁ କୌଣସି ସୁଯୋଗ ନ ଦେଇ ନିର୍ଧୁମ ପ୍ରହାର କରିଥିଲେ। ଓପନିଂରେ ଶତକୀୟ ଭାଗିଦାରୀ ଯୋଡ଼ି ଭାରତର ବିଜୟ ସହଜ କରିଥିଲେ। ତେବେ ଭାରତ ଶୀଘ୍ର ଦୁଇଟି ଓ୍ଵିକେଟ୍ ହରାଇବାରୁ ଭାରତର ରନ ଗତି ସାମାନ୍ୟ ଧିମେଇ ଯାଇଥିଲା। ଗିଲ୍ ୨୮ ବଲରୁ ୮ ଚୌକା ସହ ୪୭ ରନ କରିଥିଲେ। ବଡ଼ ସଟ୍ ଖେଳିବାକୁ ଉଦ୍ୟମ କରି ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୦)ରେ ଆଉଟ୍ ହୋଇଥିଲେ।

ଅନ୍ୟପଟେ ଅଭିଷେକ ଶର୍ମା ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ ଜାରି ରଖିଥିଲେ। ଅଭିଷେକ ଶର୍ମା ୩୯ ବଲ୍‌ରୁ ୬ ଚୌକା ଓ ୫ ଛକା ସହ ୭୪ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳି ଆଉଟ୍ ହୋଇଛନ୍ତି। ଏହା ପରେ ଭାରତର ରନ ଗତି ଧିମେଇ ଯାଇଥିଲା। ସଞ୍ଜୁ ସାମସନ ୧୭ ବଲରୁ ମାତ୍ର ୧୩ ରନର ଧିମା ଇନିଂସ ଖେଳିଥିଲେ। ଶେଷ ଆଡ଼କୁ ମ୍ୟାଚ୍ ରୋମାଞ୍ଚକର  ହୋଇଥିଲା। ହେଲେ ତିଳକ ବର୍ମା ଲଗାତାର ଛକା ଓ ବିଜୟ ସୂଚକ ଚୌକା ମାରି ଭାରତକୁ ୧୮.୫ ଓଭରରେ ଜିତାଇଛନ୍ତି। ବୋଲିଂରେ ପାକିସ୍ତାନ ପକ୍ଷରୁ ସଫଳ ବୋଲର ଭାବେ ହାରିସ ରଉଫ ୨୬ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।

ପାକିସ୍ତାନ ଇନିଂସ 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୨୧ ରନରେ ଫଖର ଜମାନ(୧୫)ଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଏହା ପରେ ସାହିବଜାଦା ଫରହାନ ଓ ସୈମ ଆୟୁବ ଦମଦାର ବ୍ୟାଟିଂ କରିଥିଲେ। ବିଶେଷ କରି ଫରହାନ  ଯଶପ୍ରୀତ ବୁମରାଙ୍କୁ ଟାର୍ଗେଟ୍ କରିଥିଲେ। ସେ ଦ୍ରୁତ ବ୍ୟାଟିଂ କରି ଆୟୁବଙ୍କ ସହ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୭୨ ରନ ଯୋଡ଼ି ବିଶାଳ ରନ ସ୍କୋରର  ମୂଳଦୁଆ ପକାଇଥିଲେ। ୯୩ ରନ ସ୍କୋରରେ ଆୟୁବ(୨୧ ରନ)ଙ୍କୁ ଆଉଟ୍ କରି ଏହି ଯୋଡ଼ି ଭାଙ୍ଗିବା ସହ ଭାରତୀୟ ଦଳକୁ ବଡ଼ ସଫଳତା ଦେଇଥିଲେ। ଏହା ପରେ ଭାରତୀୟ ଦଳ ସଅଳ ୨ ଓ୍ଵିକେଟ୍ ନେଇ ପାକିସ୍ତାନକୁ ବ୍ୟାକଫୁଟକୁ ଠେଲିଥିଲେ। ହୁସେନ ତଲତ ୧୦ ରନ କରି କୁଲଦୀପଙ୍କ ଶିକାର ହୋଇଥିଲେ। ତେବେ ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ଶାହିବଜାଦା ଫରହାନଙ୍କୁ ଆଉଟ୍ କରି ଶିବମ ଦୁବେ ଭାରତକୁ ବଡ଼ ସଫଳତା ଦେଇଥିଲେ। ଫରହାନ ୪୫ ବଲରୁ ୫ ଚୌକା ଓ ୩ ଛକା ସହ ୫୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ।

​​​​​​​ଏକଦା ୧୦ ଓଭରରେ ୯୦ ରନ କରିଥିବା ପାକିସ୍ତାନ ପରବର୍ତ୍ତୀ ୬ ଓଭରରେ ରନ ଗତି ଧିମେଇ ଯାଇଥିଲା। ସାମ ଆୟୁବ ୨୧ ରନ ଓ ହୁସେନ ତଲତ ୧୦ ରନ କରିଥିଲେ। ଶେଷ ଆଡ଼କୁ ମହମ୍ମଦ ନଓ୍ଵାଜ ୨୧ ରନ, ଅଧିନାୟକ ସଲମାନ ଆଗା ଅପରାଜିତ ୧୭ ରନ ଓ ଫହିମ ଅଶ୍ରଫ  ୮ ବଲରୁ ଦ୍ରୁତ ୨୦ ରନ କରିଥିଲେ। ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୭୧ ରନ କରିଛି। ବୋଲିଂରେ ଭାରତ ପକ୍ଷରୁ ଶିବମ ଦୁବେ ୨ଟି ଓ୍ଵିକେଟ୍ ନେଇଥିବା ବେଳେ କୁଲଦୀପ ଓ ହାର୍ଦ୍ଦିକ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ​​​​​​​

​​​​​​​