ଆତଙ୍କୀ ଦେଶକୁ ବଡ଼ ପ୍ରହାର: ପାକିସ୍ତାନ ସହ ଆମଦାନୀ ବ୍ୟାନ୍‌ କଲା ଭାରତ

Published By : Prameya-News7 Bureau | May 03, 2025 IST

News7

ନୂଆଦିଲ୍ଲୀ: ପାକିସ୍ତାନ ଏବେ ବଡ଼ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି। ଆଉ ବଡ଼ ପଦକ୍ଷେପ ନେଇଛନ୍ତି ଭାରତ ସରକାର। ପାକିସ୍ତାନ ସହ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ। ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ, ରପ୍ତାନୀକୁ ମଧ୍ୟ ବ୍ୟାନ୍ କରାଯାଇଛି। ପାକିସ୍ତାନରୁ ଉତ୍ପାଦିତ କିମ୍ବା ପାକିସ୍ତାନରୁ ରପ୍ତାନୀ ହେଉଥିବା ପ୍ରତ୍ୟେକ ଜିନିଷ ଉପରେ ତୁରନ୍ତ ଏହି ନିୟମ ଲାଗୁ କରାଯାଇଛି। 

ତେବେ ଅତ୍ୟାବଶ୍ୟକ ଭିତ୍ତିରେ ଯଦି ସେଭଳି କୌଣସି ଜିନିଷର ଆମଦାନୀ ଆବଶ୍ୟକତା ଥାଏ, ତେବେ ସେ କ୍ଷେତ୍ରରେ ସରକାରଙ୍କ ଆଗୁଆ ଅନୁମତି ନେବାକୁ ପଡ଼ିବ ବୋଲି ବାଣିଜ୍ୟ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । 

ପୂର୍ବରୁ ପ୍ରତ୍ୟକ୍ଷ ବାଣିଜ୍ୟ କାରାବାର ବନ୍ଦ ଥିଲା, କିନ୍ତୁ ଏବେ ପରୋକ୍ଷରେ ବାଣିଜ୍ୟ ମଧ୍ୟ ବନ୍ଦ ହୋଇଯାଇଛି। ଏହା ପାକିସ୍ତାନ ପାଇଁ ଏକ ବଡ଼ ଆଘାତ ସାବ୍ୟସ୍ତ ହେବ। ଭାରତର ବାଣିଜ୍ୟ ମନ୍ତ୍ରଣାଳୟ ଭାରତରୁ ଆମଦାନି କିମ୍ବା ରପ୍ତାନି କରାଯିବ ନାହିଁ ଏପରି ଉତ୍ପାଦଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରାଯାଇଛି।

ବାଣିଜ୍ୟ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ, ଭାରତ ପାକିସ୍ତାନରୁ ସମସ୍ତ ସାମଗ୍ରୀର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆମଦାନୀକୁ ତତ୍କାଳ ନିଷେଧ କରାଯାଇଛି। ବୈଦେଶିକ ବାଣିଜ୍ୟ ନୀତି (FTP)-2023 ଅନୁସାରେ କୁହାଯାଇଛି ଯେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ, ପାକିସ୍ତାନରୁ ଆସୁଥିବା କିମ୍ବା ରପ୍ତାନି ହେଉଥିବା ସମସ୍ତ ସାମଗ୍ରୀର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆମଦାନୀ ଉପରେ ନିଷେଧ କରାଯାଉଛି। ଏହି ସୂଚନା ମେ ୨ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତିରେ ଦିଆଯାଇଛି।

ଜାତୀୟ ସୁରକ୍ଷା ଏବଂ ସାର୍ବଜନୀନ ନୀତିର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରତିବନ୍ଧକ ଲଗାଯାଇଛି ବୋଲି ବିଜ୍ଞପ୍ତିରେ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (DGFT) କହିଛି। ଏହି ପ୍ରତିବନ୍ଧକର ଯେକୌଣସି ବ୍ୟତିକ୍ରମ ପାଇଁ ଭାରତ ସରକାରଙ୍କ ଅନୁମୋଦନ ଆବଶ୍ୟକ ହେବ। ଏହାର ଅର୍ଥ ହେଉଛି ଯଦି ବାଣିଜ୍ୟ ଉଦ୍ଦେଶ୍ୟରେ ପାକିସ୍ତାନକୁ କିଛି ପଠାଯାଏ କିମ୍ବା ସେଠାରୁ ଆସେ, ତେବେ ଭାରତ ସରକାରଙ୍କ ଅନୁମୋଦନ ଆବଶ୍ୟକ ହେବ।

  • Pahalgam Terror Attack
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.