ଟ୍ରେନରେ ଯାତ୍ରା କରୁଥିଲେ ବିଚାରପତିଙ୍କ ସ୍ତ୍ରୀ, ବାଥରୁମରୁ ମିଳିଲା ମୃତଦେହ...ଷ୍ଟେସନରେ ଅପେକ୍ଷା କରିଥିଲେ ସ୍ୱାମୀ

NEWS7
income-tax-slabs-fy-2025-26-new-versus-old-income-tax-regime

ଭୋପାଳ, ୦୬ /୦୩: ଟ୍ରେନରେ ଜୀବନ ହାରିଲେ ବିଚାରପତିଙ୍କ ପତ୍ନୀ । ଟ୍ରେନର ଓ୍ୱାଶ୍ ରୁମ୍ ବା ବାଥରୁମରେ ଜଣେ ବିଚାରପତିଙ୍କ ପତ୍ନୀ ପ୍ରାଣ ହରାଇଛନ୍ତି । ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରୁ ଏହି ଖବର ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି । ସବୁଠୁ ବଡ କଥା ହେଉଛି ଯେ ଷ୍ଟେସନରେ ମହିଳାଙ୍କ ପତି ତଥା ବିଚାରପତି ଅପେକ୍ଷା କରିଥିଲେ । ହେଲେ ତାଙ୍କୁ ପତ୍ନୀଙ୍କ ମୃତ୍ୟୁ ଖବର ମିଳିଥିଲା । ଦୀର୍ଘ ସମୟ ଧରି ଅପେକ୍ଷା କରି ରହିରା ପରେ ହିଁ ପତ୍ନୀ ଆଉ ଦୁନିଆରେ ନଥିବା ସେ ଜାଣିବାକୁ ପାଇଥିଲେ ।

କୁହାଯାଏ ଟ୍ରେନ୍ ଯାତ୍ରା ହେଉଛି ଅନ୍ୟତମ ସୁରକ୍ଷିତ ଯାତ୍ରା । ଏଠାରେ ଅପରାଧ କମ୍ । କିନ୍ତୁ କାଞ୍ଚିଗୁଡା-ଭଗତ କୋଠି ଏକ୍ସପ୍ରେସର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ରିପୋର୍ଟ ଅନୁସାରେ, ଯାତ୍ରା କରୁଥିବା ବେଳେ ଜଣେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡି ଯାଇଥିଲା । ତାଙ୍କୁ ହୃଦଘାତ ହୋଇଥିବା କୁହାଯାଉଛି । ସେ ଟ୍ରେନ୍ ଓ୍ୱାଶ୍ ରୁମରେ ହିଁ ପ୍ରାଣ ହରାଇଛନ୍ତି । ଘଟଣାକୁ ନେଇ ରେଳବାଇ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ତଦନ୍ତ ଆରମ୍ଭ କରିଛି ।

ରିପୋର୍ଟ ଅନୁସାରେ, ରାଜସ୍ଥାନର ନିମ୍ବାହେଡାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ରାଜକୁମାର ଚୌହାନଙ୍କ ପତ୍ନୀ ଉଷାଙ୍କୁ ନେଇ ଯୋଧପୁରରୁ ନିମ୍ବାହେଡା ଫେରୁଥିଲେ । ଉଭୟ ଏକାଠି ଟ୍ରେନରେ ବସିଥିଲେ ମଧ୍ୟ ରିଜର୍ଭେସନ ଭିନ୍ନ କୋଚରେ ହୋଇଥିଲା । ତେଣୁ ସେମାନେ ଅଲଗା ବଗିରେ ଯାତ୍ରା କରୁଥିଲେ । ରାସ୍ତାରେ ଉଭୟ ଫୋନରେ ଅନେକ ଆଲୋଚନା କରୁଥିଲେ । ଷ୍ଟେସନରେ ପହଁଚିବାର କିଛି ସମୟ ପୂର୍ବରୁ ଉଷା ପତିଙ୍କୁ ଓ୍ୱାଶ୍ ରୁମ୍ ଯିବେ ବୋଲି କହିଥିଲେ । କିନ୍ତୁ ରାଜକୁମାର ଏହା ପତ୍ନୀଙ୍କ ସହ ଶେଷ କଲ୍ ବୋଲି ଜାଣିନଥିଲେ ।

କିଛି ସମୟ ପରେ ଟ୍ରେନ୍ ନିମ୍ବାହେଡା ଷ୍ଟେସନରେ ପହଁଚିଥିଲା । ପ୍ଲାଟଫର୍ମରେ ଓହ୍ଲାଇ ରାଜକୁମାର ଉଷାଙ୍କୁ ଅପେକ୍ଷା କରିଥିଲେ । ପତ୍ନୀ ନିଜ ବଗିରୁ ଓହ୍ଲାଇବେ ବୋଲି ସେ ଆଶା କରିଥିଲେ । କିନ୍ତୁ ବହୁତ ସମୟ ବିତି ଯାଇଥିଲା ହେଲେ ଉଷା ବାହାରିନଥିଲେ । ଯାହାକୁ ନେଇ ତାଙ୍କର ଚିନ୍ତା ବଢିଥିଲା । ପ୍ଲାଟଫର୍ମରେ ସେ କିଛି ସମୟ ଖୋଜାଖୋଜି କରି ଆଖପାଖ ଯାତ୍ରୀ ଏବଂ ରେଳ କର୍ମଚାରୀଙ୍କୁ ପଚାରିଥିଲେ । ଏନେଇ ରେଳବାଇ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା । ଏହି ସମୟରେ ଟ୍ରେନଟି ଛାଡି ଦେଇଥିଲା । ଆଗାମୀ ଷ୍ଟେସନରେ ଟ୍ରେନକୁ କିଛି ସମୟ ଅଟକିବାକୁ କୁହାଯାଇଥିଲା ।

ତେବେ ପୋଲିସ ମହିଳାଙ୍କ ଲୋକେସନ ଟ୍ରାକ୍ କରିଥିଲା । ଯେଉଁଥିରେ ଉଷା ଟ୍ରେନରେ ଥିବା ଜଣା ପଡୁଥିଲା । ସବୁ ବଗି ଖୋଜା ଖୋଜି ପରେ ଶେଷରେ ବଗିରେ ଥିବା ଓ୍ୱାଶ୍ ରୁମ୍ ଭିତରୁ ବନ୍ଦ ଥିବା ପୋଲିସ ଦେଖିଥିଲା । ଏହାକୁ ଧକ୍କା ମାରି ଖୋଲିବା ସମୟରେ ସେଠାରେ ଉଷା ତଳେ ପଡିଥିବା ସମସ୍ତେ ଦେଖିଥିଲେ । ତୁରନ୍ତ ପାଖରେ ଥିବା ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳକୁ ବିଳମ୍ବ ହୋଇଯାଇଥିଲା । ଡାକ୍ତର ଉଷାଙ୍କୁ ମୃତ ଘୋଷଣା କରିଥିଲେ ।