Live Live
LIVE

IRGCର ନୂଆ କମାଣ୍ଡର ବ୍ରିଗେଡିୟର ଜେନେରାଲ ଅହମଦ ୱାହିଦୀ ...ସେ ଇସ୍ରାଏଲ ଓ ଆମେରିକାର ବଡ଼ ଶତ୍ରୁ କି?

NEWS7
in-laws-marries-off-widowed-daughter-in-law-as-parents-in-dehradun

ତେହେରାନ ୭।୩: ଆମେରିକା-ଇସ୍ରାଏଲ ବିରୋଧୀ ଯୁଦ୍ଧରେ ଇରାନ ତାର ସବୁଠୁ ଗୁପ୍ତ ଅଭିଯାନରେ ଜଣେ ଅଭିଜ୍ଞ ଅଧିକାରୀଙ୍କୁ ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପ (ଆଇଆରଜିସି)ର ନେତୃତ୍ୱ ପ୍ରଦାନ କରିଛି। ବ୍ରିଗେଡିୟର ଜେନେରାଲ ଅହମଦ ୱାହିଦୀ ଯିଏ କୁଦ୍ଦସ୍ ଫୋର୍ସ ସଂସ୍ଥାପକଙ୍କ ମଧ୍ୟରେ ଜଣେ ଏବେ ଆଇଆରଜିସିର କମାଣ୍ଡ ସମ୍ଭାଳିଛନ୍ତି। ତାଙ୍କ ପଦୋନ୍ନତୀ ଏପରି ସମୟରେ ହୋଇଛି ଯେତେବେଳେ ଇସ୍ଲାମିକ ଗଣରାଜ୍ୟ ନିଜ ଅସ୍ତିତ୍ୱର ଲଢେଇ ଲଢୁଛି। ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ ବିରୋଧରେ ଏହି ଲଢେଇ ଶନିବାର ଦ୍ୱିତୀୟ ସପ୍ତାହକୁ ପ୍ରବେଶ କରିଛି।

ୱାହିଦୀ ଦୀର୍ଘ ସମୟରୁ ବିବାଦରେ ଘେରି ରହିଛନ୍ତି। କାରଣ ୧୯୯୪ ବୁଏନାସ ଆୟରସ୍ଥିତ ଆର୍ଜେଣ୍ଟିନା-ଇସ୍ରାଏଲ ମ୍ୟୁଚୁଆଲ ଆସୋସିଏସନ (ଏଏମଆଇଏ) କମ୍ୟୁନିଟି ସେଣ୍ଟର ବିସ୍ଫୋରଣରେ ତାଙ୍କର କଥିତ ହାତ ଥିବାର ଅଭିଯୋଗ ରହିଛି। ଏହି ବିସ୍ଫୋରଣ ଜଣେ ଆତ୍ମଘାତୀ ଆକ୍ରମଣକାରୀ କରିଥିଲା, ଯିଏ ବିସ୍ଫୋରକ ବୋଝେଇ ଟ୍ରକକୁ ବିଲ୍ଡିଂରେ ପଶେଇ ଦେଇଥିଲା। ଏହି ବିସ୍ଫୋରଣରେ ୮୫ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୩୦୦ରୁ ଅଧିକ ଲୋକେ ଆହତ ହୋଇଥିଲେ। ସେ ସମୟରେ ଜେନେରାଲ ୱାହିଦୀ କୁଦ୍ଦସ୍ ଫୋର୍ସର ଜଣେ ବରିଷ୍ଠ ଅଧିକାରୀ ଥିଲେ। ତେବେ ଏହି ବିସ୍ଫୋରଣକୁ ଇରାନ ବାରମ୍ବାର ଅସ୍ୱୀକାର କରିଆସିଛି।

୨୦୦୭ରେ ଆର୍ଜେଣ୍ଟିନା ଅନୁରୋଧରେ ଇଣ୍ଟରପୋଲ ୱାହିଦୀଙ୍କ ବିରୋଧରେ ରେଡକର୍ଣ୍ଣର ନୋଟିସ୍ ଜାରି କରିଥିଲା। ଏଥିପାଇଁ ଅତୀତରେ ଅନେକବାର କୂଟନୈତିକ ଉତ୍ତେଜନା ମଧ୍ୟ ଦେଖାଦେଇଛି। ୨୦୧୧ରେ ଆର୍ଜେଣ୍ଟିନା ଓ ଇହୁଦୀ ସଙ୍ଗଠନଙ୍କ ବିରୋଧ କାରଣରୁ ବୋଲିଭିଆ ୱାହିଦୀଙ୍କୁ ଅଧିକାରୀକ ଗସ୍ତ କାଳରେ ଦେଶ ଛାଡିବାକୁ କହିଥିଲା। ଏହି ବିବାଦ ସତ୍ତ୍ୱେ ଇରାନ ୱାହିଦୀଙ୍କୁ ଜଣେ ବିଶ୍ୱସ୍ଥ ଓ ଅଭିଜ୍ଞ ବ୍ୟକ୍ତି ରୂପେ ଦେଖି ଆସୁଛି ଓ କଠିନ ସମୟରେ ସେ ଦେଶକୁ ଉପଯୁକ୍ତ ମାର୍ଗଦର୍ଶନ କରିପାରିବେ ବୋଲି ଆଶା ରଖିଛି।

ବିଶ୍ଲେଷକଙ୍କ କହିବା କଥା ହେଉଛି ତାଙ୍କ ନିଯୁକ୍ତି ତେହେରାନର ସେହି ପ୍ରୟାସକୁ ଦର୍ଶାଉଛି ଯେଉଁଥିରେ ସୈନ୍ୟ ନେତୃତ୍ୱ ଉପରେ ଚାପ ସତ୍ତ୍ୱେ ନିଜର ସାମର୍ଥ୍ୟ ଓ ସ୍ଥିରତାକୁ ପ୍ରଦର୍ଶନ କରିବାକୁ ଚାହୁଁଛି। ଏହି ପଦୋନ୍ନତୀର କିଛି ସମୟ ପୂର୍ବରୁ ଅୟାତୋଲା ଅଲି ଖାମେନି ୱାହିଦୀଙ୍କୁ ଗତ ଡିସେମ୍ବର ମାସରେ ଆଇଆରଜିସିର ଉପ କମାଣ୍ଡର ନିଯୁକ୍ତ କରିଥିଲେ। ଏଥିରୁ ଜଣାପଡୁଛି ଶୀର୍ଷ ପଦବୀରେ ତାଙ୍କର ନିଯୁକ୍ତି ପୂର୍ବରୁ ନିର୍ଦ୍ଧାରିତ ଥିଲା। ଇରାନରେ ୱାହିଦୀଙ୍କ ସମର୍ଥକ ତାଙ୍କୁ ଜଣେ କୁଶଳ ସାମରିକ ରଣନୀତିକାର ଭାବେ ଜାଣନ୍ତି, ଯିଏ ହିଜବୁଲ୍ଲା ଓ ହୁତୀ ଭଳି ସହଯୋଗୀ ସମୂହଙ୍କୁ ଏକଜୁଟ କରିପାରିବେ। ତେବେ ବିଦେଶରେ ତାଙ୍କ ସମାଲୋଚକ ତାଙ୍କୁ ଜଣେ ଦମନକାରୀ ବିବାଦୀୟ ବ୍ୟକ୍ତି ଭାବନ୍ତି।

ଇରାନ ଏପରି ଜଣେ ରଣନୀତିକାରଙ୍କ ଉପରେ ବାଜି ଲଗାଇଛି ଯାହାଙ୍କ କ୍ୟାରିୟର ଇରାନ-ଇରାକ ଯୁଦ୍ଧରେ ଗଢା ହୋଇଥିଲା। ଏବେ ତାଙ୍କ ପୂର୍ବବର୍ତ୍ତିଙ୍କ ମୃତ୍ୟୁ ଯୋଗୁ ଧ୍ୱଂସ୍ତ କମାଣ୍ଡ ସଂରଚନାକୁ ସ୍ଥିର କରିବାର କାର୍ଯ୍ୟ ସମର୍ପଣ କରାଯାଇଛି। ଅହମଦ ୱାହିଦୀଙ୍କୁ ଗୁପ୍ତ ଅଭିଯାନରେ ପ୍ରବୀଣ କୁହାଯାଏ, କାରଣ ତାଙ୍କ କ୍ୟାରିୟରର ଅଧିକାଂଶ ସମୟ ଗୁଇନ୍ଦା କାର୍ଯ୍ୟ, ଗୋପନ ଅନ୍ତର୍ଜାତୀୟ ଗତିବିଦ୍ଧି ଓ ସାର୍ବଜନିକ ନଜରରୁ ଦୂରରେ କରାଯାଇଥିବା ଅଭିଯାନ ସମ୍ପର୍କିତ ଥିଲା। ୱାହିଦୀ ଇରାନ ସୁରକ୍ଷା ବ୍ୟବସ୍ଥାର ଗୁପ୍ତ ସଂରଚନା ଭିତରେ ନିଜକୁ ପ୍ରତିଷ୍ଠା କରିଛନ୍ତି।

ୱାହିଦୀ ୧୯୮୮-୧୯୯୭ କୁଦସ୍ ଫୋର୍ସର ସଂସ୍ଥାପକ କମାଣ୍ଡର ଭାବେ କାମ କରିଥିଲେ। କୁଦସ୍ ଫୋର୍ସ ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କୋରର ବାହ୍ୟ ସଞ୍ଚାଳନ ଶାଖା ଓ ଇରାନ ସୀମାପାର ସାମରିକ ଗତିବିଦ୍ଧି ସହ ସମ୍ପୃକ୍ତ। ଏହାର ମୁଖ୍ୟ କାର୍ଯ୍ୟ ଅଣପାରମ୍ପରିକ ଯୁଦ୍ଧ, ଗୁଇନ୍ଦା ସୂଚନା ଏକତ୍ର କରିବା ଓ ସହଯୋଗୀଙ୍କୁ ସମର୍ଥନ ଯୋଗାଇ ଦେବା। ୱାହିଦୀଙ୍କ ନେତୃତ୍ୱରେ କୁଦସ୍ ଫୋର୍ସ ଲେବାନନରେ ହିଜବୁଲା ଭଳି କ୍ଷେତ୍ରୀୟ ସହଯୋଗୀ ସୃଷ୍ଟି କରିବା ସହ ପରେ ୟେମେନରେ ହୁତୀ ଭଳି ସମୂହଙ୍କ ସହ ନେଟୱାର୍କ ବିକଶିତ ହୋଇଥିଲା। ଏହି ସମ୍ପର୍କ ଯୋଗୁ ଇରାନକୁ ମଧ୍ୟପ୍ରାଚ୍ୟରେ ନିଜର କୂଟନୈତିକ ଓ ସାମରିକ ପ୍ରଭାବ ବଢାଇବାକୁ ସହଯୋଗ ମିଳିଥିଲା।

ସେ ଆଇଆରଜିସିର ଗୁଇନ୍ଦା ନେଟୱାର୍କକୁ ମଜଭୁତ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୧୯୮୦ ଦଶକର ରିପୋର୍ଟରୁ ଜଣାପଡେ ଯେ ସେ ଇରାନ କଣ୍ଟ୍ରା କାଣ୍ଡ କାଳରେ ଗୁପ୍ତ ଅଭିଯାନରେ ସାମିଲ ଥିଲେ। ତାଙ୍କର ଏପରି ପ୍ରୟାସ କାରଣରୁ ୱାହିଦୀ ଇରାନ ସୁରକ୍ଷା ତନ୍ତ୍ରରେ ଜଣେ ଏପରି ରଣନୀତିକାର ପାଲଟିଥିଲେ ଯିଏ ଗୋପନ ଓ ଅପ୍ରତ୍ୟକ୍ଷ ରୂପେ କରାଯାଉଥିବା ଅଭିଯାନରେ ପ୍ରବୀଣ ଥିଲେ।