ଆତଙ୍କବାଦ ବିରୋଧରେ ଅମିତ ଶାହଙ୍କ ବଡ଼ ପଦକ୍ଷେପ, ସବୁ ରାଜ୍ୟରେ ଗଠିତ ହେବ ଏକ ପ୍ରକାରର ATS

NEWS7
in-laws-marries-off-widowed-daughter-in-law-as-parents-in-dehradun

ନୂଆଦିଲ୍ଲୀ ୨୭।୧୨: ଆତଙ୍କବାଦ ବିରୋଧୀ ଅଭିଯାନରେ ପୋଲିସ ଫୋର୍ସ ଙ୍କୁ ସମାନ ସ୍ତରର କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାରା ଦେଶର ସବୁ ପୋଲିସ ଫୋର୍ସରେ ଗୋଟିଏ ପ୍ରକାରର ଆତଙ୍କବାଦ ବିରୋଧୀ ସ୍କ୍ୱାର୍ଡ (ଏଟିଏସ) ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି ଓ ଏହାକୁ ଭାରତର ଆତଙ୍କାବଦ ବିରୋଧୀ କ୍ଷମତାକୁ ମଜଭୁତ କରିବା ଦିଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଏଥିପାଇଁ ସବୁ ରାଜ୍ୟର ପୋଲିସ ଡିଜିମାନଙ୍କୁ ଯେତେ ଶୀଘ୍ର ସମ୍ଭବ ଗୋଟିଏ ପ୍ରକାରର ଏଟିଏସ୍ ଢାଞ୍ଚା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀରେ ଆତଙ୍କବାଦ ବିରୋଧୀ ସମ୍ମିଳନୀ-୨୦୨୫ ଉଦଘାଟନ ଅବସରରେ ଶାହା ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏଥିରେ ଷ୍ଟାଣ୍ଡାର୍ଡାଇଜ୍ କାଉଣ୍ଟର ଟେରରିଜିମ ସିକ୍ୟୁରିଟି ଫୋର୍ସ ସଂରଚନା କରାଗଲେ ସବୁ ସ୍ତରରେ ଆଇନ ପ୍ରବର୍ତ୍ତନର ସମାନ ପ୍ରସ୍ତୁତି ସୁନିଶ୍ଚିତ ହେବ ବୋଲି ସେ କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରାଳୟ ଅନୁସାରେ ଜାତୀୟ ତଦନ୍ତ ଏଜେନ୍ସୀ (ଏନଆଇଏ) ଏକ ମିଳିତ ଢାଞ୍ଚା ବିକଶିତ କରିବା ଲାଗି ବ୍ୟାପକ କାର୍ଯ୍ୟ କରିଛି ଓ ପୂର୍ବରୁ ଏହାକୁ ରାଜ୍ୟ ପୋଲିସ ସହ ସେୟାର କରିଛି।

ଗୃହମନ୍ତ୍ରୀ କହିଛନ୍ତି ଯେ ସାରା ଦେଶରେ ଏକ ସମାନ ଆତଙ୍କବାଦ ବିରୋଧୀ ପ୍ରଣାଳୀ (ଏଟିଏସ୍) ଲାଗୁ କରାଯିବା ଦ୍ୱାରା ସୁରକ୍ଷା ଏଜେନ୍ସୀଙ୍କୁ ସମନ୍ୱୟ ଓ ଦକ୍ଷତାର ସହ କାମ କରିବାର ଅବସର ମିଳିବ। ସେ କହିଛନ୍ତି ଯେ ଏହି ପ୍ରକାରର ସାମଞ୍ଜସ୍ୟ ଏଜେନ୍ସୀମାନଙ୍କୁ ବିପଦର ସଠିକ ଆକଳନ କରିବା, ଗୁଇନ୍ଦା ସୂଚନାକୁ ପ୍ରଭାବୀ ଢଙ୍ଗରେ ସେୟାର କରିବା ଓ ସମନ୍ୱିତ ଆତଙ୍କବାଦ ବିରୋଧୀ ଅଭିଯାନ ଚଳାଇବାର କ୍ଷମତା ବଢିବ।

ଗୃହମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ କେତେକ ଶ୍ରେଣୀର ଯାଞ୍ଚରେ ଜାତୀୟ ଗୁଇନ୍ଦା ଗ୍ରୀଡ (ଏନଏଟି ଗ୍ରୀଡ)ର ଉପଯୋଗ ଅନିବାର୍ଯ୍ୟ କରାଯିବା ଦରକାର। ସେହିପରି ବିଶେଷ ମାମଲାରେ ଜାତୀୟ ସମନ୍ୱିତ ଡାଟା ବେସ୍ (ଏନଆଇଡିଏଏନ)ର ଉପଯୋଗ ବାଧ୍ୟତାମୂଳକ ହେବା ଆବଶ୍ୟକ। ଇଣ୍ଟର-ଏଜେନ୍ସୀ ସମନ୍ୱୟର ଗୁରୁତ୍ୱ ଉପରେ ଜୋର ଦେଇ ଗୃହମନ୍ତ୍ରୀ କହିଛନ୍ତି ଯେ ତଦନ୍ତରୁ ଆରମ୍ଭ କରି ପ୍ରୋସିକ୍ୟୁସନ ଓ ଜବାବୀ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ପରିଚାଳନାରେ ଏକତ୍ୱ ଆତଙ୍କବାଦୀଙ୍କ ବିରୋଧରେ ସଫଳତା ପୂର୍ବକ ମକଦ୍ଦମା ଚଳାଇବାରେ ଗୁରୁତ୍ୱପୂର୍ଣ୍ଣ ଲାଭ ଦେଇ ପାରିବ।