୨୦୨୫ରେ ପ୍ଲେନ୍ କ୍ରାସରେ ଯାଇଛି ସବୁଠୁ ଅଧିକ ଜୀବନ, ବିମାନ ଦୁର୍ଘଟଣାରେ ପ୍ରତିଦିନ ୨ରୁ ଅଧିକ ଲୋକଙ୍କ ମୃତ୍ୟୁ

Published By : Prameya-News7 Bureau | July 24, 2025 IST

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ସୁରକ୍ଷିତ ଯାତ୍ରା ଭାବେ ବିବେଚନା ହେଉଥିବା ବିମାନ ଯାତ୍ରା ଲୋକଙ୍କ ପାଇଁ ମୃତ୍ୟୁଫାଶ ପାଲଟିଛି । ଗତ ୭ ମାସ ମଧ୍ୟରେ ବିମାନ ଯାତ୍ରାରେ ୪୯୯ ଜଣ ପ୍ରାଣ ହରାଇଛନ୍ତି । ପ୍ରତିଦିନ ହାରାହାରି ୨ରୁ ଅଧିକ ଲୋକ ବିମାନ ଯାତ୍ରାରେ ପ୍ରାଣ ହରାଉଛନ୍ତି । ଗୁରୁବାର ରୁଷରେ ଆଉ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ଅଙ୍ଗାରା ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୪୯ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ହୋଇଥିବ। ଆଶଂକା କରାଯାଉଛି ।

ଭାରତରୁ ଆରମ୍ଭ କରି ରୁଷ, ବ୍ରିଟେନ, ଆମେରିକା ସବୁ ଦେଶରେ ବିମାନ ଦୁର୍ଘଟଣା ବୃଦ୍ଧି ପାଇଛି । ଗତ କିଛି ବର୍ଷ ମଧ୍ୟରେ ଏହି ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି । ଏଥିରେ ଅନେକ ଗୁରୁତର ଦୁର୍ଘଟଣା ମଧ୍ୟ ଘଟିଛି । IATA ଅର୍ଥାତ୍ ଇଣ୍ଟରନ୍ୟାସନାଲ ଏୟାର ଟ୍ରାଫିକ୍ ଆସୋସିଏସନ୍ ଅନୁଯାୟୀ, ୨୦୨୧ରୁ ୨୦୨୫ ଜୁଲାଇ ୨୪ ସୁଦ୍ଧା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୧୦୯୯ । ଏଥି ମଧ୍ୟରୁ ଚଳିତ ବର୍ଷ ୪୯୯ ଲୋକ ପ୍ରାଣ ହରାଇଛନ୍ତି । ଯଦି ଆମେ ଗତ ବର୍ଷକୁ ଦେଖିବା ତେବେ, ୧୨ ମାସରେ ୨୪୪ ଜଣ ପ୍ରାଣ ହରାଇଥିଲେ । କିନ୍ତୁ ଏହି ସଂଖ୍ୟା ଚଳିତ ବର୍ଷ ସାତ ମାସରେ ହିଁ ଦ୍ୱିଗୁଣ ହୋଇଛି ।

୨୦୨୫ର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା ଜୁନ୍ ୧୨ରେ ଅହମ୍ମଦାବାଦରେ ଘଟିଥିଲା । ବିମାନଟି ଉଡ଼ାଣ ଆରମ୍ଭ କରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା, ଯେଉଁଥିରେ ୨୪୨ ଜଣ ଯାତ୍ରା କରୁଥିଲେ । ଜଣେ ଯାତ୍ରୀଙ୍କୁ ଛାଡ଼ି ଅନ୍ୟ ସମସ୍ତେ ପ୍ରାଣ ହରାଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତକଙ୍କ ଡିଏନଏ ପରୀକ୍ଷା ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।

୨୦୨୫ରେ ଘଟିଥିବା କିଛି ବଡ଼ ଦୁର୍ଘଟଣା

  1. ବର୍ଷ ଆରମ୍ଭରେ, ୱାଶିଂଟନ ନିକଟରେ ଏକ ଆମେରିକୀୟ ଏୟାରଲାଇନ୍ସର ବିମାନ ଏକ ଆମେରିକୀୟ ସେନା ହେଲିକପ୍ଟର ସହିତ ଧକ୍କା ହୋଇଥିଲା । ଜାନୁଆରୀ ୨୯ରେ ହୋଇଥିବା ଏହି ଦୁର୍ଘଟଣାରେ କ୍ରୁ ସଦସ୍ୟଙ୍କୁ ମିଶାଇ ୬୭ ଜଣଙ୍କର ମୃତ୍ୟୁ ହୋଇଥିଲା ।
  2. ଜାନୁଆରୀ ୨୯ରେ ହିଁ ଆଫ୍ରିକୀୟ ଦେଶ ସୁଦାନରେ, ୨୧ ଜଣଙ୍କୁ ନେଇ ଯାଉଥିବା ଏକ ଚାର୍ଟର ବିମାନ ଉଡ଼ାଣ ଭରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା ।
  3. ଜାନୁଆରୀ ୩୦ରେ ଆମେରିକାରେ ଆଉ ଏକ ଦୁର୍ଘଟଣା ଘଟିଥିଲା । ଫିଲାଡେଲଫିଆରେ ଏକ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଥିଲେ ।
  4. ଫେବ୍ରୁଆରୀ ୭ରେ, ବେରିଂ ଏୟାରର ବିମାନ ଆଲାସ୍କାରେ ନିଖୋଜ ହୋଇଗଲା । ବିମାନରେ ୧୦ ଜଣ ଥିଲେ, ସମସ୍ତଙ୍କ ମୃତ୍ୟୁ ହୋଇଥିଲା । ପରେ ବିମାନର ଭଗ୍ନାବଶେଷ ମିଳିଥିଲା ।
  5. ହଣ୍ଡୁରାସରେ ଏକ ଚାର୍ଟର ବିମାନ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ବିମାନର ଭଗ୍ନାବଶେଷ ସମୁଦ୍ର ଭିତରେ ପ୍ରାୟ ୧ କିଲୋମିଟର ଭିତରେ ମିଳିଥିଲା ।
  6. ଏପ୍ରିଲ୍ ୧୦ରେ ଆମେରିକାର ନ୍ୟୁ ଜର୍ସିରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ହଡ୍‌ସନ୍ ନଦୀରେ ଖସି ପଡ଼ିଥିଲା । ଦୁର୍ଘଟଣାରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।
  7. ମେ ୩ରେ, ସୁଦାନ ସେନା ନ୍ୟାଲା ସହରରେ ଏକ ମାଲବାହୀ ବୋଇଂ ୭୩୭-୨୯୦ Cକୁ ଗୁଳି କରି ଖସାଇ ଦେଇଥିଲା । ସନ୍ଦେହ କରାଯାଉଛି ଯେ ବିମାନଟି ଗୃହଯୁଦ୍ଧରେ ସାମିଲ ବିଦ୍ରୋହୀ ରାପିଡ୍ ସପୋର୍ଟ ଫୋର୍ସ ପାଇଁ ଅସ୍ତ୍ରଶସ୍ତ୍ର ନେଇଯାଉଥିଲା । ଏହି ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା ।
  8. ମେ ୨୨ ତାରିଖରେ ଆମେରିକାର ସାନ ଡିଏଗୋରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । 
  9. ଜୁଲାଇ ୧୩ରେ ୟୁକେର ଏସେକ୍ସର ଏକ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ଏକ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ।
  10. ଜୁଲାଇ ୨୧ରେ ବାଂଲାଦେଶର ରାଜଧାନୀ ଢାକାରେ ଏକ ବାୟୁସେନାର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.