ପ୍ରଥମେ ହାତଯୋଡ଼ିଲେ, ତା'ପରେ ୧୭ ମହଲାରୁ ତଳକୁ ଡେଇଁ ପଡ଼ିଲେ; ପ୍ରସିଦ୍ଧ ବେକେରୀ ମାଲିକଙ୍କ ଆତ୍ମହତ୍ୟା

NEWS7
im-sorry-rishi-sunaks-final-speech-as-prime-minister

ମୁମ୍ବାଇ: ସୋଲାପୁର ସହରର ପ୍ରସିଦ୍ଧ ‘ମୁଲତାନୀ ବେକେରୀ’ର ମାଲିକ ସୁନୀଲ ସଦାରଙ୍ଗାନି (୬୦) ଆତ୍ମହତ୍ୟା କରିଛନ୍ତି । ବିଜୟପୁର ରୋଡରେ ଥିବା ପନାଶ ଆପାର୍ଟମେଣ୍ଟର ୧୭ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ସୁନୀଲ । ଆତ୍ମହତ୍ୟା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ସେ ମୃତ୍ୟୁକୁ ଆଲିଙ୍ଗନ କରିବା ପୂର୍ବରୁ ହାତ ଯୋଡ଼ି ପ୍ରାର୍ଥନା କରୁଥିବାର ଦେଖାଯାଇଛି।

ରିପୋର୍ଟ ଅନୁସାରେ, ସୁନୀଲ ସଦାରଙ୍ଗାନି ଗତକାଲି ଅପରାହ୍ନରେ ବିଜୟପୁର ରୋଡରେ ଥିବା ପନାଶ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ। ସେ ଲିଫ୍ଟ ବଦଳରେ ସିଡ଼ି ମାଧ୍ୟମରେ ୧୭ ମହଲାକୁ ଯାଇଥିଲେ। ତାଙ୍କୁ ହାତ ଯୋଡ଼ି ଛାତ ଉପରେ ଠିଆ ହୋଇଥିବା ଦେଖି ତଳେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସ୍ଥାନୀୟ ଲୋକମାନେ ତୁରନ୍ତ ଆପାର୍ଟମେଣ୍ଟର ସୁରକ୍ଷା କର୍ମୀଙ୍କୁ ଖବର ଦେଇଥିଲେ।

ସୂଚନା ପାଇବା ମାତ୍ରେ, ସୁରକ୍ଷା କର୍ମୀ ତୁରନ୍ତ ଉପର ମହଲାକୁ ଯାଇ ସଦାରଙ୍ଗାନିଙ୍କୁ ତଳକୁ ଆସିବାକୁ ବୁଝାଇଥିଲେ। କିନ୍ତୁ ତଳକୁ ଆସିବା ପରେ, ସଦାରଙ୍ଗାନି ସୁରକ୍ଷା କର୍ମୀଙ୍କୁ ତାଙ୍କର ଚାବି ଉପର ମହଲାରେ ଛାଡି ଦେଇଛନ୍ତି ବୋଲି ମିଛ କହିଥିଲେ । ଚାବି ଆଣିବାର ଅଭିନୟ କରି, ସେ ପୁଣି ୧୭ତମ ମହଲାକୁ ଫେରି ଯାଇଥିଲେ । ତାପରେ ସେଠାରୁ ଡେଇଁ ପଡ଼ିଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଆତ୍ମହତ୍ୟାର ପ୍ରକୃତ କାରଣ ବର୍ତ୍ତମାନ ଅସ୍ପଷ୍ଟ। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଜଣେ ବିଶିଷ୍ଟ ବ୍ୟବସାୟୀ କାହିଁକି ଏତେ କଠୋର ପଦକ୍ଷେପ ନେଲେ ? ସେନେଇ ଜାଣିବାକୁ ତଦନ୍ତ କରୁଛି ପୋଲିସ ।