ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧିରେ କେବଳ ଭାରତ ନୁହେଁ ସାରା ବିଶ୍ୱର ଉପକାର ହେବ। ଏକଥା ଆମେ କହୁ ନାହୁଁ ଦିନେ ବିଶ୍ୱର ନମ୍ବର ୱାନ ଧନୀ ଥିବା ଆମେରିକା ଶିଳ୍ପପତି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ କହିଛନ୍ତି। ଗୁରୁବାର ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଲ୍ ଗେଟ୍ସ ଏପରି କହିଛନ୍ତି। କେବଳ ଏତିକି ନୁହେଁ, ସେ ଭାରତରେ ଦ୍ରୁତ ନବସୃଜନ (ଇନୋଭେସନ)କୁ ମଧ୍ୟ ପ୍ରଶଂସା କରିଛନ୍ତି।
ବିଲ୍ ଗେଟ୍ସ କହିଛନ୍ତି ଯେ ୨୦୪୭ ସୁଦ୍ଧା ଦେଶ ଏକ ବିକଶିତ ରାଷ୍ଟ୍ର ଭାବରେ ଉଭା ହେବା କେବଳ ଭାରତକୁ ପରିବର୍ତ୍ତନ କରିବ ନାହିଁ ବରଂ ବିଶ୍ୱ ଉପରେ ମଧ୍ୟ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ। 'ଭାରତରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦିଆଯିବା ଏକ ଅତ୍ୟନ୍ତ ସକାରାତ୍ମକ ଗତି ସୃଷ୍ଟି କରିଛି ବୋଲି ସେ କହିଛନ୍ତି।
ଭାରତର ଆର୍ଥିକ ଅଭିବୃଦ୍ଧି ସମ୍ଭାବନାକୁ ଆଶାଜନକ ବୋଲି ବର୍ଣ୍ଣନା କରି ଗେଟ୍ସ କହିଛନ୍ତି, 'ଅଭିବୃଦ୍ଧି ହାର ୫% ହେବ କି ୧୦% ହେବ ସେ ବିଷୟରେ ବିତର୍କ ଚାଲିଛି ଏହା ଏକ ଭଲ କଥା।' ତେବେ ଅଭିବୃଦ୍ଧି ହାର ୧୦% ପର୍ଯ୍ୟନ୍ତ ପହଞ୍ଚିବ ବୋଲି ମୁଁ ଭାବୁନାହିଁ, କିନ୍ତୁ ଏହା ୫% ତଳକୁ ମଧ୍ୟ ଯିବ ନାହିଁ।
ପଢନ୍ତୁ- ପିଆଜ ଉପରେ ୨୦ ପ୍ରତିଶତ ରପ୍ତାନୀ ଶୁଳ୍କ ହଟାଇଲେ କେନ୍ଦ୍ର ସରକାର
ବିଲ୍ ଗେଟ୍ସ କହିଛନ୍ତି ଯେ ଆର୍ଥିକ ବିସ୍ତାର ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷାରେ ଅଧିକ ସରକାରୀ ନିବେଶକୁ ସକ୍ଷମ କରିବ, ଯାହା ଫଳରେ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସୃଷ୍ଟି ହେବ। କୃତ୍ରିମ ବୁଦ୍ଧିମତ୍ତା (AI) ଉପରେ, ଗେଟ୍ସ କହିଛନ୍ତି ଯେ ଏହି ପ୍ରଯୁକ୍ତିବିଦ୍ୟା ବିରାଟ ପରିବର୍ତ୍ତନ ଆଣିବ। ତେବେ ଏଆଇ ଯୋଗୁ ଯେ ଚାକିରି ଯିବ ଗେଟ୍ସ ଏକଥାକୁ ଅସ୍ୱୀକାର କରିଛନ୍ତି। ଭାରତର ଏଆଇ ବିକାଶ ପଦ୍ଧତିକୁ ମଧ୍ୟ ଗେଟ୍ସ ପ୍ରଶଂସା କରିଚନ୍ତି। ଏହା ଭଲ ଯେ ଭାରତ ସ୍ଥାନୀୟ ଆବଶ୍ୟକତା ଅନୁସାରେ ଓପନ୍-ସୋର୍ସ ଫାଉଣ୍ଡେସନ୍ ମଡେଲକୁ ଗ୍ରହଣ କରିଛି, ଯେଉଁଥିରେ ଭାରତୀୟ ଭାଷାର ସପୋର୍ଟ ରହିଛି ବୋଲି ସେ କହିଛନ୍ତି।
କେବଳ ସିତିକି ନୁହେଁ, ଭାରତର ଆଧାର ଓ UPI ସମେତ ଡିଜିଟାଲ୍ ସାର୍ବଜନୀନ ବିକାଶ ଭିତ୍ତିଭୂମିର ସେ ପ୍ରଶଂସା କରିଛନ୍ତି। ଏବଂ ଏହା ସାରା ବିଶ୍ୱକୁ ଭାରତର ଏକ ବଡ଼ ଅବଦାନ ବୋଲି କହିଛନ୍ତି।
ପଢନ୍ତୁ- ଏପ୍ରିଲ ପହିଲାରୁ ବନ୍ଦ ପଡ଼ିଥିବା ମୋବାଇଲ୍ ନମ୍ବରରେ କାମ କରିବନି ୟୁପିଆଇ: ବନ୍ଦ ହୋଇପାରେ ପୁଲ୍ ଟ୍ରାଞ୍ଜାକ୍ସନ
ଗେଟ୍ସ କହିଥିଲେ, 'ମୁଁ ଯେତେବେଳେ ଭାରତ ଆସେ, ମୁଁ ଅନେକ କମ୍ପାନୀଙ୍କୁ ଏହି ଭିତ୍ତିଭୂମିର ଲାଭ ନେଉଥିବାର ଦେଖେ।' ତାହା ବ୍ୟାଙ୍କିଙ୍ଗ ହେଉ, ସରକାରୀ ସୁବିଧା ହେଉ କିମ୍ବା ଷ୍ଟକ୍ ବାଣିଜ୍ୟ ହେଉ। ଭାରତରେ ନବସୃଜନ ମୋ ଆଶାଠାରୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି।”
ସୂଚନା ଥାଉକି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ବିଶ୍ୱର ୧୧ତମ ଧନୀ ବ୍ୟକ୍ତି। ଫୋବର୍ସ ଅନୁଯାୟୀ, ତାଙ୍କର ସମ୍ପତ୍ତି ମୂଲ୍ୟ ୧୦୭.୧ ବିଲିୟନ ଡଲାର। ଭାରତୀୟ ମୂଲ୍ୟରେ ପ୍ରାୟ ୯.୨୧ ଲକ୍ଷ କୋଟି ଟଙ୍କା। ବିଲ୍ ଗେଟ୍ସ ୧୯୭୫ ମସିହାରେ ମାଇକ୍ରୋସଫ୍ଟ ପ୍ରତିଷ୍ଠା କରିଥିଲେ। ସେ ୨୦୦୦ ମସିହା ପର୍ଯ୍ୟନ୍ତ କମ୍ପାନୀର ସିଇଓ ପଦବୀରେ ରହିଥିଲେ।