ଏପ୍ରିଲ ପହିଲାରୁ ବନ୍ଦ ପଡ଼ିଥିବା ମୋବାଇଲ୍‌ ନମ୍ବରରେ କାମ କରିବନି ୟୁପିଆଇ: ବନ୍ଦ ହୋଇପାରେ ପୁଲ୍ ଟ୍ରାଞ୍ଜାକ୍ସନ

Published By : Prameya-News7 Bureau | March 21, 2025 IST

internet

ନୂଆଦିଲ୍ଲୀ: ବ୍ୟାଙ୍କରେ ଲିଙ୍କ୍ ଥିବା ଆପଣଙ୍କ ମୋବାଇଲ୍ ନମ୍ବର ଦୀର୍ଘଦିନ ହେଲା ବନ୍ଦ ପଡ଼ିଛି କି? ତେବେ ତୁରନ୍ତ ରିଚାର୍ଜ କରି ଆକ୍ଟିଭ୍ କରି ନିଅନ୍ତୁ। ନହେଲେ ଆପଣ ଏହି ନମ୍ବରରୁ ଆଉ ୟୁପିଆଇ ଟ୍ରାଞ୍ଜାକ୍ସନ କରିପାରିବେ ନାହିଁ। ଏପ୍ରିଲ ୧ ତାରିଖ ଠାରୁ ପେମେଣ୍ଟ ସର୍ଭିସ୍ ସହିତ ଜଡ଼ିତ ଏହି ନିୟମ ଲାଗୁ ହେବାକୁ ଯାଉଛି। 

ଏହି ନୂଆ ନିୟମରେ ଯଦି ଆପଣଙ୍କ ମୋବାଇଲ ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ଅଛି, ଆଉ ଏହା ଦୀର୍ଘଦିନ ହେଲା ବନ୍ଦ ହୋଇ ପଡ଼ିଛି ତେବେ ଏହି ନମ୍ବରରୁ ୟୁପିଆଇ ସେବା ହଟାଇ ଦିଆଯିବ। ସେହିପରି ଦୀର୍ଘଦିନ ବନ୍ଦ ପଡ଼ିବା ପରେ ପୁଣି ଆକ୍ଟିଭ କରାଯାଇଥିବା ନମ୍ବରରୁ ମଧ୍ୟ ସେବା କାଢ଼ି ନିଆଯିବ। ଏହି ନୂଆ ନିୟମ ବିଶେଷ କରି ସେମାନଙ୍କୁ ପ୍ରଭାବିତ କରିବ ଯେଉଁ ଗ୍ରାହକମାନଙ୍କର ବ୍ୟାଙ୍କ୍ ଆକାଉଣ୍ଟରେ ବହୁ ପୁରୁଣା ଓ ବନ୍ଦ ଥିବା ମୋବାଇଲ୍ ନମ୍ବର ଲିଙ୍କ୍ ହୋଇ ରହିଛି।   

UPI ନିୟନ୍ତ୍ରଣ କରୁଥିବା ସଂଗଠନ, ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ବ୍ୟାଙ୍କ ଏବଂ ପେମେଣ୍ଟ ସେବା ପ୍ରଦାନକାରୀମାନଙ୍କୁ ଏପରି ମୋବାଇଲ୍ ନମ୍ବରଗୁଡ଼ିକୁ ଡିଲିଙ୍କ୍ କରିବାକୁ ନିର୍ଦ୍ଦେଶ ଦେଇଛି। ସେହିପରି NPCI ଖୁବ୍ ଶୀଘ୍ର ପୁଲ୍ ଟ୍ରାଞ୍ଜାକ୍ସନ୍ ଫିଚରକୁ ମଧ୍ୟ ବନ୍ଦ କରିପାରେ ବୋଲି କୁହାଯାଉଛି।

ପଢ଼ନ୍ତୁ- ବ୍ୟାଙ୍କ ଧର୍ମଘଟ ନିଷ୍ପତ୍ତି ପ୍ରତ୍ୟାହାର, କେନ୍ଦ୍ର ଶ୍ରମ କମିଶନରଙ୍କ ସହ ବୈଠକ ପରେ UFBUର ଘୋଷଣା

ତେବେ ହଠାତ୍ ଏନ୍‌ପିସିଆଇ ଏଭଳି ଏକ ନିଷ୍ପତ୍ତି କାହିଁକି ନେଲା ଆସନ୍ତୁ ଜାଣିବା।  

ସାଇବର ଠକେଇ ଏବଂ ଅନଧିକୃତ କାରବାରକୁ ରୋକିବା ପାଇଁ ଏନ୍‌ପିସିଆଇ ଏହି ନିଷ୍ପତ୍ତି ନେଇଛି। ଅନେକ ସମୟରେ, ମୋବାଇଲ୍ ନମ୍ବରଗୁଡ଼ିକ ଦୀର୍ଘଦିନ ଧରି ବନ୍ଦ ରହିବା ପରେ, ଟେଲିକମ୍ କମ୍ପାନୀଗୁଡ଼ିକ ଏହାକୁ ଅନ୍ୟ କୌଣସି ଗ୍ରାହକ ପାଇଁ ଆଲଟ୍ କରିଦିଅନ୍ତି। ଏଭଳି ପରିସ୍ଥିତିରେ ପୁରୁଣା ନମ୍ବର ସହିତ ଜଡିତ ବ୍ୟାଙ୍କ ଆକାଉଣ୍ଟରେ ଠକେଇ ହେବାର ଆଶଙ୍କା ରହୁଛି। 

ତେଣୁ ଏହି କାରଣରୁ, NPCI ବ୍ୟାଙ୍କ ଏବଂ Google Pay, PhonePe କିମ୍ବା Paytm ଭଳି UPI ଆପ୍‌ଗୁଡ଼ିକୁ ପ୍ରତି ସପ୍ତାହରେ ନିଷ୍କ୍ରିୟ ମୋବାଇଲ୍ ନମ୍ବରଗୁଡ଼ିକୁ ଚିହ୍ନଟ କରି ସେମାନଙ୍କ ସିଷ୍ଟମରୁ ସେଗୁଡ଼ିକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛି। ଏହାର ଅର୍ଥ ହେଉଛି ଯଦି ଆପଣଙ୍କର ନମ୍ବର ଦୀର୍ଘଦିନ ଧରି ଧରି ଆକ୍ଟିଭ୍ ନଥିବ ତେବେ ଏହା ଅଟୋମେଟିକ ଭାବେ ବ୍ୟାଙ୍କ ରେକର୍ଡରୁ ହଟିଯାଇପାରେ। 

ତେବେ ମୋବାଇଲ୍ ନମ୍ବର ହଟାଇବା ପୂର୍ବରୁ ଗ୍ରାହକଙ୍କୁ ପ୍ରଥମେ ଆଲର୍ଟ ମେସେଜ୍ ପଠାଯିବ। ଏହା ସତ୍ତ୍ୱେ ବି ଯଦି କୌଣସି ମୋବାଇଲ୍ ନମ୍ବର ବନ୍ଦ ରହେ ତେବେ ଏହାକୁ ୟୁପିଆଇ ସିଷ୍ଟମରୁ ହଟାଇ ଦିଆଯିବ। 

 

ପୁଲ ଟ୍ରାଞ୍ଜାକ୍ସନ ଫିଚର ବନ୍ଦ କରିପାରେ ଏନ୍‌ପିସିଆଇ

ୟୁପିଆଇ ମାଧ୍ୟମରେ ପୁଲ୍ ଟ୍ରାଞ୍ଜାକ୍ସନ ଯୋଗୁ ଠକେଇ ମାମଲା ବୃଦ୍ଧି ପାଉଛି। ଏପରି ପରିସ୍ଥିତିରେ, ଏନ୍‌ପିସିଆଇ ପେମେଣ୍ଟ ଆପରୁ ପୁଲ୍ ଟ୍ରାଞ୍ଜାକ୍ସନ୍ ଫିଚର ଉପରେ ଏକ ସୀମା ସ୍ଥିର କରିବାକୁ କିମ୍ବା ଏହାକୁ ବନ୍ଦ କରିବାକୁ ଯୋଜନା କରୁଛି। ଏନ୍‌ଡିଟିଭିର ଏକ ରିପୋର୍ଟ ଅନୁଯାୟୀ, ଏନ୍‌ପିସିଆଇ ପୁଲ୍ ଟ୍ରାଞ୍ଜାକ୍ସନ ବନ୍ଦ କରିବା କିମ୍ବା ସମାପ୍ତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିବାକୁ ବ୍ୟାଙ୍କଗୁଡ଼ିକ ସହିତ ମିଶି କାମ କରୁଛି। ତେବେ ଏହି ଯୋଜନା ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ତେଣୁ କିପରି କାର୍ଯ୍ୟକାରୀ ହେବ ସେ ବିଷୟରେ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ।

ଏବେ ଆସନ୍ତୁ ବୁଝିବା ଏହି ପୁଲ ଟ୍ରାଞ୍ଜାକ୍ସନ କ’ଣ?

କୌଣସି ବ୍ୟବସାୟୀ କିମ୍ବା ବ୍ୟକ୍ତି ଆପଣଙ୍କ ୟୁପିଆଇ ଆପରେ ପେମେଣ୍ଟ ରିକ୍ୟୁଏଷ୍ଟ ପଠାଇବାକୁ ପୁଲ୍ ଟ୍ରାଞ୍ଜାକ୍ସନ୍ କୁହାଯାଏ। ଏଥିରେ, ପେମେଣ୍ଟ ଆପରେ ଏକ ନୋଟିଫିକେସନ ଆସେ। ଯେଉଁଥିରେ କ୍ଲିକ୍ କରିବା ମାତ୍ରେ ଆପଣ ପେମେଣ୍ଟ ଆମାଉଣ୍ଟଟ ସହିତ ଏକ ଟ୍ରାଞ୍ଜାକ୍ସନ୍ ପପଅପ୍ ଦେଖିବାକୁ ମିଳେ। ଆପଣ ଏହା ଉପରେ କ୍ଲିକ୍ କରି ନିଜର ପିନ ଦେବା ପରେ ପେମେଣ୍ଟ ରାଶି ରିକୁଏଷ୍ଟ ପଠାଇଥିବା ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଏ। 

UPI NCPI ଦ୍ୱାରା ପରିଚାଳିତ।

ଭାରତରେ, RTGS ଏବଂ NEFT ପେମେଣ୍ଟ ସିଷ୍ଟମର ଅପରେସନ RBI ପାଖରେ ରହିଛି। ସେହିପରି IMPS, RuPay, UPI ଭଳି ସିଷ୍ଟମଗୁଡ଼ିକ ଭାରତୀୟ ଜାତୀୟ ପେମେଣ୍ଟ ନିଗମ (NPCI) ଦ୍ୱାରା ପରିଚାଳିତ ହୁଏ। ସରକାର ୧ ଜାନୁଆରୀ, ୨୦୨୦ ରୁ ୟୁପିଆଇ କାରବାର ପାଇଁ ଏକ ଜିରୋ-ଚାର୍ଜ ଫ୍ରେମୱାର୍କ ବାଧ୍ୟତାମୂଳକ କରିଥିଲେ।

କେମିତି କାମ କରେ ୟୁପିଆଇ?

UPI ସେବା ପାଇଁ ଆପଣଙ୍କୁ ଏକ ଭର୍ଚୁଆଲ୍ ପେମେଣ୍ଟ ଆଡ୍ରେସ ତିଆରି କରିବାକୁ ପଡିବ। ଏହା ପରେ ଏହାକୁ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ କରିବାକୁ ପଡିବ। ବାସ୍ ଏତିକିରେ ଆପଣ ନେଣଦେଣ କରିପାରିବେ। ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ବ୍ୟାଙ୍କ ନାଁ କିମ୍ବା IFSC କୋଡ୍ ମନେ ରଖିବାର ଆବଶ୍ୟକତା ନାହିଁ। ପେମେଣ୍ଟ କରିବାକୁ ଥିବା ଲୋକ କେବଳ ଆପଣଙ୍କ ମୋବାଇଲ୍ ନମ୍ବରରେ ପେମେଣ୍ଟ କରିପାରିବ।

ପଢ଼ନ୍ତୁ- ଭାରତ ସରକାରଙ୍କ ବିରୋଧରେ କୋର୍ଟରେ କେସ୍ କଲା ଏଲନ ମସ୍କଙ୍କ କମ୍ପାନୀ ଏକ୍ସ

ଯଦି ଆପଣଙ୍କ ପାଖରେ ତାଙ୍କର UPI ID (ଇମେଲ୍ ID, ମୋବାଇଲ୍ ନମ୍ବର କିମ୍ବା ଆଧାର ନମ୍ବର) ଅଛି, ତେବେ ଆପଣ ଆପଣଙ୍କ ସ୍ମାର୍ଟଫୋନ୍ ମାଧ୍ୟମରେ ସହଜରେ ଟଙ୍କା ପଠାଇ ପାରିବେ। କେବଳ ଟଙ୍କା ନୁହେଁ, ଆପଣଙ୍କୁ ୟୁଟିଲିଟି ବିଲ୍ ପେମେଣ୍ଟ, ଅନଲାଇନ୍ ସପିଂ, କିଣାକିଣି ଇତ୍ୟାଦି ପାଇଁ ନେଟ୍ ବ୍ୟାଙ୍କିଂ, କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ। ଆପଣ ଏହି ସମସ୍ତ କାର୍ଯ୍ୟ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ସିଷ୍ଟମ ମାଧ୍ୟମରେ କରିପାରିବେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.