ଖୁସିରେ ଲାଗିଗଲା କାହା ନଜର : ନିଜ ବାହାଘର କାର୍ଡ ବାଣ୍ଟିବାକୁ ଯାଇଥିଲେ, ବାଟରେ ଛକିଥିଲା ଯମ

NEWS7
ias-ranjith-2020-batch-unable-to-speak-hear-disabled-aspirant

ଝାରସୁଗୁଡ଼ା ୧୭।୨: ନିଜ ବିବାହର ନିମନ୍ତ୍ରଣ କାର୍ଡ ବାଣ୍ଟି ବାଇକ୍ ଯୋଗେ ଭାଇ ସହ ଫେରୁଥିଲେ । ଦୁର୍ଘଟଣା ନେଇଗଲା କନ୍ୟାର ଜୀବନ । ଗୁରୁତର ଅବସ୍ଥାରେ ଭାଇର ଚାଲିଛି ଚିକିତ୍ସା l ଝାରସୁଗୁଡା ଜିଲ୍ଲା ଗାନ୍ଧୀଛକ ଫାଣ୍ଡି ଅନ୍ତର୍ଗତ ଘୁଷୁରାମୁଣ୍ଡା ଗ୍ରାମ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା l ମୃତ ଯୁବତୀ ଜଣକ ସୁନ୍ଦରଗଡ଼ ଜିଲ୍ଲାର ହିରାବତୀ ରୋହିଦାସ ହୋଇଥିବା ବେଳେ ତାଙ୍କ ଭାଇ ନିରଞ୍ଜନ ରୋହିଦାସ ଗୁରୁତର ଆହତ ହୋଇଛନ୍ତି l ନିରଞ୍ଜନଙ୍କୁ ପ୍ରଥମେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସେଠାରୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି l

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା ଭେଲୁଆଁମୁଣ୍ଡା ଗ୍ରାମର ତୁଳସୀ ରୋହିଦାସଙ୍କ ଝିଅ ହୀରାବତୀ ରୋହିଦାସଙ୍କ ବିବାହ ଆସନ୍ତା ମାର୍ଚ୍ଚ ୧ ତାରିଖ ଦିନ ଅନୁଷ୍ଠିତ ହେବାର ଥିଲା । ହୀରାବତୀ ଏବଂ ତାଙ୍କ ଭାଇ ନିରଞ୍ଜନ ରୋହିଦାସ ସୋମବାର ଦିନ ଠାରୁ ଝାରସୁଗୁଡାର ବିଭିନ୍ନ ଅଞ୍ଚଳକୁ ନିମନ୍ତ୍ରଣ କାର୍ଡ ବାଣ୍ଟିବା ପାଇଁ ଆସିଥିଲେ । ମଙ୍ଗଳବାର ସକାଳୁ ଝାରସୁଗୁଡା ସଦର ବ୍ଲକ୍ ଚନ୍ଦନୀମାଲ ଗ୍ରାମ ପଞ୍ଚାୟତର ଘୁଷୁରାମୁଣ୍ଡାରୁ ନିମନ୍ତ୍ରଣ କାର୍ଡ ଦେଇ ଫେରୁଥିବା ବେଳେ ବାଇକ୍ଟି ଭାରସାମ୍ୟ ହରାଇ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା l ହିରବତୀ ଏବଂ ନିରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ହୀରାବତୀଙ୍କୁ ମୃତ ଘୋଷଣା କରିଥିବା ବେଳେ ନିରଞ୍ଜନଙ୍କ ଅବସ୍ଥା ସଙ୍କଟାପ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି l