ନୂଆଦିଲ୍ଲୀ : କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ମଧ୍ୟରେ ରାଜ୍ୟର ଜଣେ ବରିଷ୍ଠ ବିଧାୟକଙ୍କ ଏକ ଅଡ଼ିଓ ମଧ୍ୟ ସାମ୍ନାକୁ ଆସିଛି। ଦାବି କରାଯାଇଛି ଯେ, ଏହି ଅଡିଓରେ ବିଧାୟକ ବିଆର୍ ପାଟିଲ୍ ନିଜର କେହି ସଂପର୍କୀୟଙ୍କ ସହ ଫୋନ୍ରେ କଥା ହେଉଛନ୍ତି। ସେ କହିଛନ୍ତି ତାଙ୍କ ଯୋଗୁଁ ହିଁ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ହିଁ ସିଦ୍ଦରମୈୟାଙ୍କୁ ସୋନିଆ ଗାନ୍ଧୀଙ୍କ ସହ ଭେଟ କରାଇ ଥିଲେ। ଏହି କାରଣରୁ ତାଙ୍କର ଲଟେରୀ ଲାଗି ଯାଇଛି ଏବଂ ସେ ସିଏମ୍ ହୋଇଗଲେ। ସେ କହିଛନ୍ତି , ସିଦ୍ଦରମୈୟାଙ୍କ ଗ୍ରହ ଭଲ ଥିଲା ଏବଂ ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇଗଲେ।
ପାଟିଲ ଆହୁରି କହିଛନ୍ତି , ଦେଖନ୍ତୁ, ଆମର କେହି ଗଡଫାଦର ନାହାନ୍ତି। ନା ଆମର ଭଗବାନ ଅଛନ୍ତି ନା ହିଁ ପିତା। ସେ ପାର୍ଟି ମହାସଚିବ ରଣଦୀପ ସିଂହ ସୁରଜେୱାଲାଙ୍କୁ ସାକ୍ଷାତ୍ କରିବା କଥା ବିଷୟରେ କହିଛନ୍ତି ଯେ,ମୋ କଥା ସେ ଗୁରୁତର ସହ ଶୁଣିଲେ। ଏବେ ଦେଖିବା କଣ ହେଉଛି। ମୁଁ ଯାହା ବି କହିଲି, ଏହା ଉପରେ ସେ ଧ୍ୟାନ ଦେଲେ। ସେ କହିଛନ୍ତି, ମୁଁ ଆପଣଙ୍କ ପ୍ରତି କୃତଜ୍ଞ। ରିପୋର୍ଟ ମୁତାବିକ୍ , କେଆର୍ ପେଟ୍ ମାଣ୍ଡ୍ୟା ଗସ୍ତ ସମୟରେ ସେ ଏହି ଫୋନ୍ କରି ଥିଲେ। ସେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ନିଷ୍ପତ୍ତି ପାର୍ଟି ହାଇ କମାଣ୍ଡଙ୍କ ଉପରେ ଛାଡ଼ି ଦେଇଛନ୍ତି। ଏହା ପୂର୍ବରୁ ପାଟିଲ୍ଙ୍କର ଆଉ ଏକ ଅଡ଼ିଓ ଭାଇରାଲ ହେଉଥିଲା, ଯେଉଁଥିରେ ସେ ରାଜୀବ ଗାନ୍ଧୀ ହାଇସିଂ କର୍ପୋରେସନରେ ବଡ଼ ଦୁର୍ନୀତିର କଥା କହିଥିଲେ।
ବିଆର୍ ପାଟିଲ୍ କର୍ଣ୍ଣାଟକ ରାଜ୍ୟ ନୀତି ଓ ଯୋଜନା ଆୟୋଗର ଉପାଧ୍ୟକ୍ଷ ଅଛନ୍ତି। ସେ କହିଥିଲେ ଯେ ସେହି ଲୋକଙ୍କୁ ହିଁ ଘର ଦିଆ ଯାଇଛି, ଯେଉଁ ଲୋକେ ଲାଞ୍ଚ ଦେଇଛନ୍ତି। ନିର୍ବାଚିତ ପ୍ରତିନିଧିଙ୍କ ଚିଠିର ପ୍ରଭାବ ମଧ୍ୟ ଅଧିକାରୀଙ୍କ ଉପରେ ପଡ଼ି ନଥିଲା।
କହି ରଖୁଛୁ କି, ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆଭ୍ୟନ୍ତରୀଣ ବିବାଦ ମଧ୍ୟରେ କଂଗ୍ରେସ ନେତା ଓ କର୍ଣ୍ଣାଟକ ପ୍ରଭାରୀ ରଣଦୀପ୍ ସୁରଜେୱାଲ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ସେ ପାର୍ଟି ବିଧାୟକଙ୍କ ସହ ବୈଠକ କରିଛନ୍ତି। ହେଲେ ସୁରଜେୱାଲା କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ଆଲୋଚନା କରି ନାହାନ୍ତି। ଅନ୍ୟପଟେ ଡେପୁଟୀ ସିଏମ୍ ଡିକେ ଶିବକୁମାରଙ୍କ ନିକଟତର ବିଧାୟକ ଇକବାଲ ହୁସେନଙ୍କର କହିବା ହେଲା ଯେ, ୧୦୦ ବିଧାୟକ ଚାହାନ୍ତି ଯେ , ମୁଖ୍ୟମନ୍ତ୍ରୀ ବଦଳି ଯାଆନ୍ତୁ। ୨୦୨୩ରେ କର୍ଣ୍ଣାଟକ ବିଧାନସଭାର ନିର୍ବାଚନ ହୋଇ ଥିଲା। ଏହି ସମୟରେ କୁହାଯାଉ ଥିଲା ଯେ, ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦର ଦୃଢ ଦାବିଦାର। ତଥାପି, ଏହି ଦାୟିତ୍ୱ ସିଦ୍ଦରମୈୟାଙ୍କୁ ଦିଆ ଯାଇଥିଲା ଏବଂ ସେ ରାଜ୍ୟରେ ଦଳର କମାଣ୍ଡ ଗ୍ରହଣ କରିଥିଲେ।
ଅନ୍ୟପଟେ ସୋମବାର ଯେବେ ରଣଦୀପ୍ ସୁରଜେୱାଲ ବେଙ୍ଗାଲୁରୁରେ ପହଞ୍ଚିଲେ ତ ଏହାକୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲୁଥିବା ବିବାଦ ସହ ଯୋଡ଼ି ଦେଖାଯାଇ ଥିଲା। ହେଲେ ସେ ଏହି କଳ୍ପନାଜଳ୍ପନାକୁ ଖାରଜ କରି କହିଥିଲେ ଯେ,ସେ ସଙ୍ଗଠନର ସମୀକ୍ଷା ପାଇଁ ଆସି ଥିଲେ। ମହୀଶୂରରେ ସିଦ୍ଦରମୈୟା କହିଥିଲେ , ତାଙ୍କ ସରକାର ପଥର ପରି ଏବଂ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଟଳିବ ନାହିଁ।