LIVE TV

ଦିଲ୍ଲୀ ବାୟୁ ପ୍ରଦୂଷଣ: ମୁଖ୍ୟମନ୍ତ୍ରୀ ବଦଳାଇଲେ ସରକାରୀ ଦପ୍ତର ସମୟ, ନିଗମ କାର୍ଯ୍ୟାଳୟ ପାଇଁ ମଧ୍ୟ ନିଷ୍ପତ୍ତି ଲାଗୁ ହେବ

NEWS7
husband-threw-acid-on-wife-face-after-she-asked-for-divorce

ନୂଆଦିଲ୍ଲୀ ୭।୧୧:  ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଓ ନଗର ନିଗମ କାର୍ଯ୍ୟାଳୟଙ୍କ ୱାର୍କିଂ ଆୱାର୍ସ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁସାରେ ଏବେ ଦିଲ୍ଲୀ ସରକାରୀ କାର୍ଯ୍ୟାଳୟମାନଙ୍କ ସମୟ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ କରାଯାଇଛି। ସେହିପରି ଦିଲ୍ଲୀ ନଗର ନିଗମ କାର୍ଯ୍ୟାଳୟ ସକାଳ ସାଢେ ୮ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ରାଜଧାନୀ ଦିଲ୍ଲୀରେ ନଭେମ୍ବର ୧୫ ତାରିଖରୁ କାର୍ଯ୍ୟକାରୀ ହେବ।

ଦିଲ୍ଲୀ ବାୟୁ ପ୍ରଦୂଷଣ ଏବେ ଚିନ୍ତା ଜନକ ପରିସ୍ଥିତିରେ ପହଞ୍ଚିଛି। ଏଣୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସରକାର କାର୍ଯ୍ୟାଳୟ ସମୟ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛନ୍ତି। ନଗର ନିଗମ ଓ ସରକାରୀ କାର୍ଯ୍ୟାଳୟ ସମୟ ପରିବର୍ତ୍ତନ ଯୋଗୁ ସଡକରେ ଯାନବାହନ ସଂଖ୍ୟା ନିୟନ୍ତ୍ରିତ ରହିବ ଓ ପ୍ରଦୂଷଣ ନିୟନ୍ତ୍ରଣରେ ରହିବ। ଏହା ଦ୍ୱାରା ଯାତାୟାତ ବୋଝ ସମାନ ରୂପେ ବିଭାଜିତ ହୋଇ ପ୍ରଦୂଷଣ ସ୍ତର ହ୍ରାସ କରିବାରେ ସହାୟକ ହେବ। ଶୁକ୍ରବାର କୁହାଯାଇଛି ଯେ ଆମ ସରକାର ବାୟୁ ପ୍ରଦୂଷଣ ମୁକାବିଲା ନିମନ୍ତେ ଲଗାତାର ପ୍ରୟାସ ଜାରି ରଖିଛି। ଏହି କ୍ରମରେ ସରକାର ସକ୍ରିୟତାର ସହ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ନିକଟରେ ପରିବେଶ ବିଭାଗ ବରିଷ୍ଠ ବୈଜ୍ଞାନିକ ଓ ଅଧିକାରୀଙ୍କ ଏକ ବୈଠକରେ ରାଜଧାନୀର ପ୍ରଦୂଷଣକୁ ନେଇ ବିଚାର କରାଯାଇଥିଲା। ଏଥିରେ ଶୀତ ଋତୁରେ (୧୫ନଭେମ୍ବର ୨୦୨୫ରୁ ୧୫ ଫେବୃଆରୀ ୨୦୨୬) ଦିଲ୍ଲୀ ସରକାରଙ୍କ ବିଭିନ୍ନ ବିଭାଗ ଓ ନଗରନିଗମ କାର୍ଯ୍ୟାଳୟର ସମୟରେ ପର୍ଯ୍ୟାୟକ୍ରମେ ପରିବର୍ତ୍ତନ କରାଯାଉ। ବୈଠକରେ ଏହା ବି କୁହାଯାଇଥିଲା ଯେ ପିଛିଲା ସରକାରରେ ମଧ୍ୟ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କାର୍ଯ୍ୟାଳୟ ସମୟ ବଦଳା ଯାଉଥିଲା।

ଏଣୁ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ କାର୍ଯ୍ୟାଳୟ ଖୋଲିବା ଓ ବନ୍ଦ ହେବା ସମୟରେ ଏତିକି ଅନ୍ତର ରଖା ଯାଉ ଯାହାଦ୍ୱାରା ଟ୍ରାଫିକ ଚାପ ଏକ ସଙ୍ଗରେ ସଡ଼କ ଉପରେ ନ ପଡିବ। ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ କାର୍ଯ୍ୟାଳୟ ଖୋଲିବା ଓ ବନ୍ଦ ହେବା ସମୟ ପୂର୍ବାହ୍ନ ସାଢେ ୯ଟା ଓ ସନ୍ଧ୍ୟା ୬ଟା ରହିଛି। ସେହିପରି ନଗରନିଗମ କାର୍ଯ୍ୟାଳୟମାନଙ୍କ ସମୟ ପୂର୍ବାହ୍ନ ୯ଟାରୁ ସନ୍ଧ୍ୟା ୫ଟା ୩୦ ମିନିଟ୍ ପର୍ଯ୍ୟନ୍ତ ରହୁଛି। ଏହି ଦୁଇ ସମୟରେ ମାତ୍ର ୩୦ ମିନିଟ୍ ର ଅନ୍ତର ରହୁଥିବାରୁ ସକାଳ ଓ ସନ୍ଧ୍ୟାରେ ଜାମ ଓ ଭିଡ ଭଳି ପରିସ୍ଥିତି ଉପୁଜୁଛି।