ଫୋନରେ ତିନିଥର ତଲାକ୍ କହି କାଟି ଦେଲେ ସଂପର୍କ, ପତ୍ନୀଙ୍କୁ ନ କହି ଦ୍ୱିତୀୟ ବିବାହ କଲେ ସ୍ୱାମୀ

Published By : Prameya-News7 Bureau | August 06, 2025 IST

ଉମରକୋଟ : ତିନି ତଲାକ...ବେଆଇନ ବୋଲି ଘୋଷଣା ପରେ ବି ଆଇନକୁ କାହାର ଖାତିର ନାହିଁ। ଚାଲିଛି ଲୋକଙ୍କ ମନମାନି। ଆଉ ଜଣେ ମହିଳା ପସନ୍ଦ ଆସିଲେ ସିଧାସଳଖ ତିନିଥର ତଲାକ କହି କାଟିଦେଉଛନ୍ତି ସମ୍ପର୍କ। ଛତିଶଗଡ଼ରେ ତିନିତଲାକର ଏପରି ଏକ ମାମଲା ଆସିଛି ସାମ୍ନାକୁ। ଅନ୍ୟ ମହିଳାଙ୍କୁ ବିବାହ କରିବେ ବୋଲି ପ୍ରଥମ ସ୍ତ୍ରୀକୁ ସ୍ୱାମୀ ମୋବାଇଲ୍ ମାଧ୍ୟମରେ ତିନିଥର ତଲାକ୍ କହି ବିବାହ ବନ୍ଧନରେ ପୂର୍ଣ୍ଣଛେଦ ପକାଇଦେଇଛନ୍ତି। ଏନେଇ ସ୍ୱାମୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ସ୍ତ୍ରୀ। 

 ଛତିଶଗଡ଼ ଗାରିଆବନ୍ଦ ନିବାସୀ ଇରଫାନ ୱାରସି 2017ରେ କାଙ୍କେରର ଏକ ମୁସଲିମ ପରିବାରର ଜଣେ ମହିଳାଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର କିଛି ବର୍ଷ ପରେ ଇରଫାନ୍ ନିଜ ପତ୍ନୀଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କଲେ। ଆଉ ସେପଟେ ଅନ୍ୟ ମହିଳାଙ୍କ ସହ ସଂପର୍କ ସ୍ଥାପନ କଲେ। ଯେଉଁଥିପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ  ବିବାଦ ହେଉଥିଲା। ଶେଷରେ ସ୍ତ୍ରୀ ସେଠାରୁ କାଙ୍କେରର  ନିଜ ବାପା ମା ଘରେ ଆସି ରହିଲେ । କିଛି ଦିନ ଗଲା ପରେ ଇରଫାନ ତାଙ୍କ ପ୍ରେମିକାଙ୍କୁ ମଧ୍ୟ ବିବାହ କରି ଘରକୁ ଆଣିଥିଲେ। ଏହି ଭିତରେ, 20 ଜୁନ୍ 2025 ରେ, ଇରଫାନ ୱାରସି ହଠାତ୍ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଫୋନ୍ କରି ତିନିଥର ତଲାକ୍ କହି ଛାଡପତ୍ର ଦେଇଥିଲେ। ଏହା ସହ ସେ ଦ୍ୱିତୀୟ ବିବାହ କରିଛି ବୋଲି କହିଥିଲେ । ମହିଳାଙ୍କ ଭାଇ ସେହି ସମୟରେ ହଜ୍ ପାଇଁ ସାଉଦି ଆରବ ଯାଇଥିଲେ। ମହିଳା ଜଣକ ତାଙ୍କ ଭାଇଙ୍କୁ ଆସିବା ପରେ ସବୁକିଛି କହିଥିଲେ। ଭାଇ ସାଉଦିରୁ ଆସି ତାଙ୍କ ଜ୍ୱାଇଁ ଇରଫାନଙ୍କୁ ଡାକି ବୁଝାଇବାକୁ ଚେଷ୍ଟା କଲେ କିନ୍ତୁ ଫଳାଫଳ ଶୂନ୍ୟ ହେଲା। ଏବେ ପୀଡିତ ମହିଳାଙ୍କ ଭାଇ କାଙ୍କେରର ମୁସଲିମ ସମ୍ପ୍ରଦାୟର ଲୋକଙ୍କ ସହିତ କୋତୱାଲି ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୁକ୍ତ ଇରଫାନ ୱାରସିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ମହିଳାଙ୍କ ଭାଇ ଅଭିଯୁକ୍ତଙ୍କ ବିରୋଧରେ କହିଛନ୍ତି ଯେ ଏବେ ତିନି ତଲାକ ଉପରେ ଆଇନ ତିଆରି ହୋଇଛି, ତେଣୁ ସାମାଜିକ ଭାବରେ ମଧ୍ୟ ତିନି ତଲାକ ଦେବା ଅପରାଧ ବର୍ଗରେ ଆସେ।  ତେଣୁ କାଙ୍କେର ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ସ୍ଥାନୀୟ ଅଞ୍ଜୁମାନ ଇସଲାମିଆ କମିଟି କାଙ୍କେରର ସଭାପତି ଜାଭେଦ ମେମନ କହିଛନ୍ତି ଯେ ତିନି ତଲାକ ମାଧ୍ୟମରେ ଛାଡପତ୍ର ଦେବା ଏକ ଅପରାଧ। ତେଣୁ ତୁରନ୍ତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି ଅଞ୍ଜୁମାନ ଇସଲାମିଆ କମିଟି କାଙ୍କେରର ସଭାପତି ଜାଭେଦ ମେମନ । ସେପଟେ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟଷ୍ଟାନ ଗ୍ରହଣ କରିବାକୁ କହିଛନ୍ତି କାଙ୍କେର  SDPO। 


ସଂପର୍କକୁ ଶସ୍ତା ଭାବୁଥିବା କିଛି ଲୋକଙ୍କ ପାଇଁ ଏମିତି ସବୁ ଘଟଣା ଘଟୁଛି।  ତେଣୁ ଦୋଷୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନନେଲେ ଆଗକୁ ଆହୁରି ଏଭଳି ଘଟଣା ଦେଖିବାକୁ ମିଳିବ।


 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.