ଗଛକୁ ଆଲିଙ୍ଗନ କରିବାକୁ ୧୫୦୦ ଟଙ୍କାର ଟିକଟ୍‌, କମ୍ପାନୀ ଦେଲା ନିଆରା ବିଜ୍ଞାପନ

Published By : Prameya-News7 Bureau | April 18, 2024 IST

ମୁମ୍ଵାଇ ୧୮।୦୪: ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ କାମରୁ  ଟିକେ ବିରତି ପାଇଲେ ମନ ଶାନ୍ତି ଖୋଜିଥାଏ ।  କିଛି ଲୋକେ ଏଥିଲାଗି ଯୋଗ, ଧ୍ୟାନ ପ୍ରଭୃତି  କରୁଥିବାବେଳେ ଆଉ କିଛି ପାର୍କ ତଥା  ପ୍ରାକୃତିକ ପରିବେଶପୂର୍ଣ୍ଣ ସ୍ଥାନକୁ ବୁଲିଯିବାକୁ  ପସନ୍ଦ କରନ୍ତି । ଏହି ପରିପ୍ରେକ୍ଷୀରେ ଦେଶର  ଆଇଟି ହବ୍‌ ବେଙ୍ଗାଲୁରୁରୁ ଏକ ଅଜବ ଖବର  ସାମ୍ନାକୁ ଆସିଛି । ଜଣେ ସୋସିଆଲ ମିଡିଆ  ୟୁଜର ତାକୁ ନିଜର ଏକ୍ସ ଆକାଉଣ୍ଟରେ  ସେୟାର କରିଛନ୍ତି । ସେ ଅନୁସାରେ, ମାନସିକ  ଚାପ ହ୍ରାସ ଲାଗି ସହରର ଏକ ପାର୍କରେ ଏକ  କଂପାନି ପକ୍ଷରୁ ‘ଫରେଷ୍ଟ ବାଥିଂ’(ବନ ସ୍ନାନ) ର ବ୍ୟବସ୍ଥା କରାଯାଇଛି । ସେଥିରେ ଗଛକୁ  ଆଲିଙ୍ଗନ କରିବା ଓ ଅନ୍ୟ କିଛି କାର୍ଯ୍ୟକ୍ରମ  ଅନ୍ତର୍ଭୁକ୍ତ ରହିଛି । ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ବ୍ୟକ୍ତି ପିଛା ଟିକଟର ପରିମାଣ ଯେତିକି  ଟଙ୍କା ଧାର୍ଯ୍ୟ କରାଯାଇଛି ତାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । 

ସେଥିଲାଗି ଟିକଟର  ଦାମ୍‌ ରହିଛି ୧୫୦୦ ଟଙ୍କା । ବେଙ୍ଗାଲୁରର କୁବ୍ୱନ ପାର୍କରେ ସେହି କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି ।  ତାହା ଆସନ୍ତା ୨୮ ତାରିଖ ସକାଳ ୧୦.୩୦ରେ ଆୟୋଜିତ ହେବ । ସୋସିଆଲ ମିଡିଆରେ ଏହି  ଖବର ଏବେ ଖୁବ୍‌ ଭାଇରାଲ ହେଉଥିବାବେଳେ ଏଥିଲାଗି ସ୍ଥିରୀକୃତ ହୋଇଥିବା ଟିକଟ ପରିମାଣକୁ  କିନ୍ତୁ ଅନେକ ସମାଲୋଚନା କରୁଛନ୍ତି । ସୂଚନାଥାଉକି, ‘ଫରେଷ୍ଟ୍‌ ବାଥିଂ’ ବା ବନ ସ୍ନାନ ଜାପାନରେ  ପ୍ରଚଳିତ ଏକ ଅଭ୍ୟାସ । ସେ ଅନୁସାରେ, ପ୍ରକୃତି ମଧ୍ୟରେ ଯଥାସମ୍ଭବ ଆରାମ କରିବାକୁ  ଉଦ୍ୟମ କରାଯାଇଥାଏ । 

ଲୋକମାନେ ଶାନ୍ତ ମନରେ ଗଛମୂଳରେ ବସି ଦୀର୍ଘଶ୍ୱାସ  ନେଇଥାନ୍ତି । ନ ହେଲେ ନିରବରେ ବସି ଗଛଲତାକୁ ଅବଲୋକନ କରିଥାନ୍ତି ।  ଏହାଦ୍ୱାରା ମାନସିକ ଚାପ ବହୁ ପରିମାଣରେ କମିଯାଇଥାଏ ବୋଲି ବିଶ୍ୱାସ  ରହିଛି । ସାଧାରଣତଃ ଏଭଳି ଗତିବିଧି ୧୫ ମିନିଟ୍‌ରୁ ନେଇ କିଛି ଘଣ୍ଟା  ଯାଏ କରାଯାଇଥାଏ । ସ୍ଥଳ ବିଶେଷରେ ଏହା ଗୋଟିଏ ଦିନରୁ ନେଇ  କିଛି ସପ୍ତାହବ୍ୟାପୀ ବି ଜାରି ରହେ । ଏହି ସମୟରେ କୌଣସି ପ୍ରକାର  ଗ୍ୟାଜେଟ୍‌ ବ୍ୟବହାର କରିବାରୁ ବିରତ ରହିଥାନ୍ତି ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.