ଭାରତରେ ରହିଛି ହିରୋସୀମାର ନ୍ୟୁକ୍ଲିୟର ବମ୍‌ ! ଚେତାବନୀ ଦେଲେ ବୈଜ୍ଞାନିକ, ଗଙ୍ଗା ପାଲଟିବ ଜହର

NEWS7
huge-quantity-of-ganja-seized-in-baliguda

ନୂଆଦିଲ୍ଲୀ: ଭାରତରେ ରହିଛି ହିରୋସୀମାର ନ୍ୟୁକ୍ଲିୟର ବମ୍‌। ହିମାଳୟ ବରଫରୁ ବାହାରିବ ଶୀତଳ ଯୁଦ୍ଧର ଅଦୃଶ୍ୟ ବିପଦ। ଚେତାବନୀ ଦେଲେ ବୈଜ୍ଞାନିକ। ସିକ୍ରେଟ ମିଶନକୁ ଖୁଲାସା କର, ନହେଲେ ଗଙ୍ଗା ପାଲଟିବ ଜହର। ୧୯୬୫ ମସିହା। ହିମାଳୟର ଉଚ୍ଚ ଶିଖର ନନ୍ଦା ଦେବୀ ଉପରେ ଚାଲିଥିଲା ସିକ୍ରେଟ ମିଶନ। ଆମେରିକୀୟ ଏବଂ ଭାରତୀୟ ପର୍ବତାରୋହୀଙ୍କ ଏକ ଅଭିଜ୍ଞ ଟିମ୍‌ ପଠାଇଥିଲା ଆମେରିକାର ଗୁପ୍ତଚର ସଂସ୍ଥା CIA। ଏହା ପଛରେ ବଡ଼ ଉଦ୍ଦେଶ୍ୟ ଲୁଚି ରହିଥିଲା। ଚୀନ୍ ଉପରେ ଗୁପ୍ତଚର ଭାବେ ନଜର ରଖିବା। କାରଣ ଏହାର ଠିକ୍‌ ଗୋଟିଏ ବର୍ଷ ପୂର୍ବରୁ ଅର୍ଥାତ ୧୯୬୪ ମସିହାରେ ପ୍ରଥମ ପରମାଣୁ ବୋମା ପରୀକ୍ଷଣ କରିଥିଲା ଚୀନ୍। ଯାହା ଆମେରିକାରେ ଚିନ୍ତାର କାରଣ ହୋଇଥିଲା।

ସେଥିପାଇଁ ଏହି ଟିମ୍‌କୁ ହିମାଳୟର ଶିଖରରେ ଏକ ସ୍ୱତନ୍ତ୍ର ଡିଭାଇସ ସ୍ଥାପନ କରିବାକୁ ପଡିଲା। SNAP-19C ନାମକ ଏକ ପୋର୍ଟେବଲ୍ ନ୍ୟୁକ୍ଲିୟର ଜେନେରେଟର। ଏହା ପ୍ଲୁଟୋନିୟମ୍ ଦ୍ୱାରା ପରିଚାଳିତ ଏବଂ ଏକ ଆଣ୍ଟେନାକୁ ଏନର୍ଜି ପ୍ରଦାନ କରିବ। ଏହି ଡିଭାଇସ ଚୀନ୍ କ୍ଷେପଣାସ୍ତ୍ର ପରୀକ୍ଷଣରୁ ସିଗନାଲ ଚିହ୍ନଟ କରିବ। ଡିଭାଇସଟି ପ୍ରାୟ ୫୦ ପାଉଣ୍ଡ ଓଜନର ଥିଲା। ଏଥିରେ ପ୍ଲୁଟୋନିୟମ୍-238 ଏବଂ ପ୍ଲୁଟୋନିୟମ୍-239 ଥିଲା। ହିରୋସୀମା ଏବଂ ନାଗାସାକି ବୋମାରେ ବ୍ୟବହୃତ ପ୍ଲୁଟୋନିୟମର ଏକ ତୃତୀୟାଂଶ।

କକଟେଲ ପାର୍ଟିରୁ ଆରମ୍ଭ ହୋଇଥିଲା ଏହି ମିଶନ। ଆମେରିକୀୟ ବାୟୁସେନା ମୁଖ୍ୟ ଜେନେରାଲ କର୍ଟିସ୍ ଲେମେ ନ୍ୟାସନାଲ ଜିଓଗ୍ରାଫିକ୍ ଫଟୋଗ୍ରାଫର ବାରି ବିଶପଙ୍କ ସହ କଥା ହୋଇଥିଲେ। ସେତେବେଳେ ବିଶପ ଏଭରେଷ୍ଟ ବିଜୟ କରିଥିଲେ। ସେଥିପାଇଁ ତାଙ୍କୁ ଟିମ୍‌ ଲିଡର ଭାବେ ନିଯୁକ୍ତ କରିଥିଲା CIA। ସେ ଜିମ୍ ମ୍ୟାକାର୍ଥିଙ୍କ ଭଳି ଟପ ରାଙ୍କର ଆମେରିକୀୟ ପର୍ବତାରୋହୀଙ୍କୁ ବାଛିଥିଲେ। ଆଉ ଠିକ୍‌ ସେହି ସମୟରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ କ୍ୟାପ୍ଟେନ ଏମଏସ କୋହଲି। ଯିଏ ଏଭରେଷ୍ଟ ବିଜୟୀ ଭାରତୀୟ ଦଳର ଲିଡର ଥିଲେ।

ମିଶନକୁ ଲୁଚାଇବା ପାଇଁ ବୈଜ୍ଞାନିକ ଗବେଷଣା ହେବ ବୋଲି ସମସ୍ତଙ୍କୁ କୁହାଯାଇଥିଲା। କିନ୍ତୁ ୧୯୬୫ ମସିହାର ଅକ୍ଟୋବର ମାସରେ, ଯେତେବେଳେ ସେମାନେ ଶିଖର ନିକଟକୁ ଯାଉଥିଲେ, ହଠାତ୍‌ ପାଗ ଖରାପ ହୋଇଗଲା। ପ୍ରବଳ ତୁଷାରପାତ ହୋଇଥିଲା। କ୍ୟାପଟେନ୍ କୋହଲି ସମସ୍ତଙ୍କ ଜୀବନ ବଞ୍ଚାଇବା ପାଇଁ ସେମାନଙ୍କର ବେସ୍ କ୍ୟାମ୍ପ ଛାଡ଼ି ତଳକୁ ଓହ୍ଲାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଡିଭାଇସଟି ଏକ ବରଫ ଗୁମ୍ଫାର ସନ୍ଧିରେ ବାନ୍ଧି ଦେଇ ସେଠାରୁ ଛାଡ଼ି ପଳାଇଥିଲେ।

୧୯୬୬ ମସିହାରେ ସେମାନେ ଫେରିବା ପରେ ସେହି ସ୍ଥାନଟି ଅଦୃଶ୍ୟ ହୋଇଯାଇଥିଲା। ହିମସ୍ଖଳନ ସବୁକିଛି ଉଡ଼ାଇ ନେଇଥିଲା। ଅନେକ ସନ୍ଧାନ କରାଯାଇଥିଲା, କିନ୍ତୁ ଡିଭାଇସଟି ମିଳିନଥିଲା। କ୍ୟାପଟେନ୍ କୋହଲି କହିଥିଲେ ଯଦି ସେ ବିପଦ ବିଷୟରେ ଜାଣିଥାନ୍ତେ, ତେବେ ସେ କେବେବି ସେଠାରୁ ଯାଇ ନଥାନ୍ତେ। ଏହା ତାଙ୍କ ଜୀବନର ଦୁଃଖଦ ଅଧ୍ୟାୟ। ସେହିପରି ଏଭଳି ମିଶନକୁ ନେଇ ପୂର୍ବରୁ ସତର୍କ କରିଦେଇଥିଲେ ଆମେରିକୀୟ ପର୍ବତାରୋହୀ ଜିମ୍ ମ୍ୟାକାର୍ଥି।  ହେଲେ କାହିଁକି ?

ନନ୍ଦା ଦେବୀ ହିମବାହ ଗଙ୍ଗା ନଦୀକୁ ଖାଦ୍ୟ ପ୍ରଦାନ କରେ। ଲକ୍ଷ ଲକ୍ଷ ଲୋକ ଗଙ୍ଗା ଉପରେ ନିର୍ଭର କରନ୍ତି। ପ୍ଲୁଟୋନିୟମ୍ ଡିଭାଇସ୍‌ ଅତ୍ୟନ୍ତ ବିଷାକ୍ତ ହୋଇଥିବାରୁ ଏହା କର୍କଟ, ହାଡ଼ ଏବଂ ଫୁସଫୁସ ରୋଗ ସୃଷ୍ଟି କରିପାରେ। ବୈଜ୍ଞାନିକମାନେ କହିଛନ୍ତି ଯେ ଏଠାରେ ପାଣି ଏତେ ପ୍ରଚୁର ଯେ ପ୍ରଦୂଷଣର ସମ୍ଭାବନା କମ୍ କିନ୍ତୁ ଯଦି ଡିଭାଇସଟି ଭାଙ୍ଗିଯାଏ, ତେବେ ଏହା ସ୍ଥାନୀୟ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିବ। ସବୁଠାରୁ ବଡ଼ ଭୟ ହେଉଛି ' ଡାର୍ଟି ବମ୍‌'। ଏହାର ଉପାଦାନକୁ ସଂଗ୍ରହ କରି ଆତଙ୍କବାଦୀମାନେ ବ୍ୟବହାର କରିପାରିବେ।

୧୯୭୮ ମସିହାରେ ଜଣେ ଆମେରିକୀୟ ସାମ୍ବାଦିକ ଏହାକୁ ପ୍ରକାଶ କରିଥିଲେ ଯାହା ଭାରତରେ ହଇଚଇ ସୃଷ୍ଟି କରିଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ଏକ ତଦନ୍ତ କମିଟି ଗଠନ କରିଥିଲେ। କିନ୍ତୁ ଏହାକୁ ଗୁପ୍ତ ରଖିବାକୁ ଆମେରିକାକୁ ନିବେଦନ କରିଥିଲେ। ଆମେରିକାର ରାଷ୍ଟ୍ରପତି ଜିମି କାର୍ଟର ମାମଲାକୁ ଚପାଇ ଦେବା ପାଇଁ ଦେଶାଇଙ୍କୁ ଧନ୍ୟବାଦ ଦେଇଥିଲେ।ଜଳବାୟୁ ପରିବର୍ତ୍ତନ ଯୋଗୁଁ ହିମବାହ ତରଳିବାରେ ଲାଗିଛି। ୨୦୨୧ରେ ଏକ ବଡ଼ ହିମସ୍ଖଳନ ଘଟିଥିଲା, ଯେଉଁଥିରେ ୨୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ଅନେକ ଗବେଷକ ଏହି ଡିଭାଇସକୁ ଦୋଷ ଦେଉଛନ୍ତି।

ଗତ ଜୁନ ୨୩ରେ ମହାନ ପର୍ବାତାରୋହୀ କ୍ୟାପ୍ଟେନ ଏମଏସ କୋହଲିଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ମୃତ୍ୟୁ ପୂର୍ବରୁ ସେ କହିଥିବା କଥା ଆଜିବି ଡରାଉଛି। ହିମାଳୟ ବରଫରେ ଲୁଚି ରହିଥିବା ଶୀତଳ ଯୁଦ୍ଧର ସେଇ ଅଦୃଶ୍ୟ ବିପଦ। ଯଦି ଡିଭାଇସଟି ମିଳେ, ତେବେ ଏହା ଏକ ବଡ଼ ବିପଦ ହେବ ନଚେତ୍ ଅନିଶ୍ଚିତତା ଲାଗି ରହିବ।