ଓସିଏର ସ୍ବତନ୍ତ୍ର ସାଧାରଣ ବୈଠକରେ ଅସନ୍ତୋଷ, ୨୫ ବର୍ଷ ଧରି ଓସିଏ ପଦରେ ମନମାନୀ ଅଭିଯୋଗ

NEWS7
hps-centurion-voter-dies-after-casting-ballot

କଟକ: ୨୦୨୫ ମସିହା ଅକ୍ଟୋବର ମସିହାରୁ ଓଡ଼ିଶା କ୍ରିକେଟ ଆସୋସିଏନର ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ସରିଯାଇଛି। ତେଣୁ ଆଗକୁ କିଭଳି ନିର୍ବାଚନ କରାଯିବ, ସେନେଇ ରବିବାର ଓଡ଼ିଶା କ୍ରିକେଟ ଆସୋସିଏସନର କନଫରେନ୍ସ ହଲରେ ବସିଥିଲା ସ୍ବତନ୍ତ୍ର ସାଧାରଣ ବୈଠକ। ବୈଠକରେ ଓସିଏର ସମସ୍ତ ସଦସ୍ୟମାନେ ଯୋଗ ଦେଇଥିଲେ।

ହେଲେ ଏହି ବୈଠକରେ ଏପର୍ଯ୍ୟନ୍ତ ନିର୍ବାଚନ ନହେବାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା। ବୈଠକକୁ ବର୍ଜନ କରିବା ସହ ଓସିଏ ନେତୃତ୍ବ ଉପରେ ବର୍ଷିଛନ୍ତି ସଦସ୍ୟ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ଅକ୍ଟୋବରରୁ କାର୍ଯ୍ୟକାଳ ସାରିଥିଲେ ବି କାହିଁକି ଗାଦି ମାଡ଼ି ବସିଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ଲଳିତେନ୍ଦୁ। ସେ ଅଭିଯୋଗ କରିଛନ୍ତି ୨୫ ବର୍ଷ ଧରି ଯେଉଁମାନେ ଓସିଏ ଦାୟିତ୍ୱରେ ଅଛନ୍ତି ସେମାନଙ୍କ ମନମାନୀ ଚାଲିଛି ଓ ସେମାନେ ବ୍ୟାପକ ପରିମାଣର ଦୁର୍ନୀତି ଚଳାଇ ଆସିଛନ୍ତି। ଯାହାର ପରିଣାମ ସ୍ୱରୂପ କୌଣସି ଖେଳାଳି ଆଜି ଜାତୀୟ ସ୍ତରକୁ ଯାଇପାରୁନାହାନ୍ତି। ବିଶେଷ କରି ଏହି ଶକ୍ତିମାନେ ନିର୍ବାଚନ ନକରାଇବା ପାଇଁ ଯୋଜନା ଯୋଜନା କରାଯାଉଛି।ଏଥିପାଇଁ ଅନେକ ବାହାନା କରାଯାଉଛି। ଏନେଇ ମୁଖ୍ୟମନ୍ତ୍ରୀ ଓ ବିସିସିଆଇକୁ ଅବଗତ କରିବି ଏବଂ ଆବଶ୍ୟକ ପଡ଼ିଲେ ଆଇନର ଆଶ୍ରୟ ନେବି ବୋଲି କହିଛନ୍ତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର।

ଅନ୍ୟପଟେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ସଞ୍ଜୟ କହିଛନ୍ତି, ଯେପର୍ଯ୍ୟନ୍ତ ବିସିସିଆଇ ନୂଆ ନ୍ୟାସନାଲ ସ୍ପୋର୍ଟସ ଲ’କୁ ଅନୁମୋଦନ କରିନାହାଁନ୍ତି ସେପର୍ଯ୍ୟନ୍ତ ନିର୍ବାଚନ ହେବ ନାହିଁ। ଡିସେମ୍ବରରେ ଆନ୍ତର୍ଜାତୀୟ ମ୍ୟାଚ୍ ଥିବାରୁ ଇଲେକ୍ସନକୁ ନଯିବା ପାଇଁ ମେମ୍ବରମାନେ ମତ ଦେଇଥିଲେ। ଆଜି ଏହି ନୂଆ ଖେଳ ଆକ୍ଟ ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ବୈଠକ ବସିଥିଲା। ମିଟିଂର ଅଧାରୁ ଲଳିତେନ୍ଦୁ ମହାପାତ୍ର ଉଠି ଆସିଥିଲେ। ଯାହା ହାଉସ ପାଇଁ ଅପମାନ ଥିଲା। ସେ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରିବାକୁ ଥିବା ବେଳେ ମୁଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବି।ଅନ୍ୟ ରାଜ୍ୟରେ ତାଙ୍କର କ’ଣ ଆଇନ ଅଛି ସେ ସମ୍ପର୍କରେ ଜାଣିନାହିଁ ବୋଲି କହିଛନ୍ତି ଓସିଏ ସମ୍ପାଦକ ।