ଏକ ଟଙ୍କାରେ ମିଳୁଥିବା ପଲ୍ସ ଚୋକୋଲେଟ୍: ମାତ୍ର ୯ ବର୍ଷରେ ମାର୍କେଟ୍ ଲିଡର୍

Published By : Prameya-News7 Bureau | June 26, 2025 IST

cnn

ନୂଆଦିଲ୍ଲୀପଲ୍ସ ଚୋକୋଲେଟ୍, ଯାହାକୁ ଆପଣ ମାତ୍ର ଏକ ଟଙ୍କାରେ କିଣୁଛନ୍ତି, ମାତ୍ର ୯ ବର୍ଷର ଯାତ୍ରାରେ ଏହି କମ୍ପାନୀ ଶତାଧିକ କୋଟି ଟଙ୍କାର ବ୍ରାଣ୍ଡ ହୋଇପାରିଛି। ଧରମପାଲ ସତ୍ୟପାଲ ଗ୍ରୁପର ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଯେ ଆର୍ଥିକ ବର୍ଷ ୨୦୨୫ ରେ କମ୍ପାନୀ ୭୫୦ କୋଟି ଟଙ୍କାର ସଫଳ ମାଇଲଖୁଣ୍ଟ ଅତିକ୍ରମ କରି ସାରିଛି। ଆଉ ଦୁଇ ବର୍ଷ ମଧ୍ୟରେ ପଲ୍ସ କ୍ୟାଣ୍ଡି ବ୍ରାଣ୍ଡ ୧୦୦୦ କୋଟି ଟଙ୍କାର ରାଜସ୍ୱ ହାସଲ କରିବ ବୋଲି ସେମାନଙ୍କର ଆଶା।

ପଲ୍ସ ଚୋକୋଲେଟ୍‌ର ଏହି ସଫଳ ଯାତ୍ରା ବିଷୟରେ ଆଜି ଆସନ୍ତୁ ଜାଣିବା।   

କମ୍ପାନୀ ପ୍ରତି ଚୋକୋଲେଟ୍ ଏକ ଟଙ୍କାର ବିକ୍ରି କରି ୨୦୨୪-୨୫ ମଧ୍ୟରେ ମୋଟ ୭୫୦ କୋଟି ୟୁନିଟ୍ ବିକ୍ରି କରିଛି। ଯାହା ଦ୍ୱାରା ୭୫୦ କୋଟି ଟଙ୍କାର ରାଜସ୍ୱ ମିଳିଛି। ଭାରତର ହାର୍ଡ ବଏଲ୍ଡ କ୍ୟାଣ୍ଡି ମାର୍କେଟ୍‌ ବର୍ତ୍ତମାନ ୪ ହଜାର କୋଟିର ରହିଥିବା ବେଳେ ସେଥିରୁ ପଲ୍ସର ମାର୍କେଟ ଭାଲ୍ୟୁ ୭୫୦ କୋଟିରେ ପହଞ୍ଚିଛି। ଯାହା ଏହି ଚୋକୋଲେଟ କମ୍ପାନୀ ପାଇଁ ଏକ ବଡ଼ ସଫଳତା ନିଶ୍ଚୟ।

ଏନେଇ ଡିଏସ୍‌ ଗ୍ରୁପ ଉପାଧ୍ୟକ୍ଷ ରାଜୀବ କୁମାର ପିଟିଆଇକୁ କହିଛନ୍ତି ଯେ ଭାରତୀୟ ପାରମ୍ପରିକ ମିଠା ବ୍ରାଣ୍ଡ୍‌ ଭାବରେ କମ୍ପାନୀ ଏହାର ବର୍ତ୍ତମାନର ସ୍ଥିତିକୁ ମଜଭୁତ କରିବାକୁ ନୂଆ ପଲ୍ସ ଚୋକୋଲେଟର୍‌ ପ୍ରଡକ୍ଟ ଆଣିବ। ଏଥିରେ ଲୋକାଲ ଫ୍ଲେବର ଭ୍ୟାରିଏଣ୍ଟ ରହିବ। କୁମାର କହିଛନ୍ତି “ଦେଶର ହାର୍ଡ ବଏଲ୍ଡ କ୍ୟାଣ୍ଡି କ୍ଷେତ୍ରରେ ଆମେ ସବୁଠାରୁ ବଡ଼ ବ୍ୟବସାୟୀ। ଆମର ବଜାର ଅଂଶ ୧୯ ପ୍ରତିଶତ। ଦେଶରେ ମୋଟ ହାର୍ଡ ବଏଲ୍ଡ କ୍ୟାଣ୍ଡି  ଶିଳ୍ପର ଅଭିବୃଦ୍ଧି ମାତ୍ର ୯ ପ୍ରତିଶତ ରହିଥିବା ବେଳେ ଗତ ତିନି ବର୍ଷ ମଧ୍ୟରେ ଆମର ୧୫ ପ୍ରତିଶତ CAGR ରେ ଅଭିବୃଦ୍ଧି ହୋଇଛି।” କମ୍ପାନୀର ଅଭିବୃଦ୍ଧି ବିଷୟରେ ଶ୍ରୀ କୁମାର କହିଛନ୍ତି ଆମେ ୧୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିଛୁ ଏବଂ ଏହି ପ୍ରକାରର ଅଭିବୃଦ୍ଧି ସହିତ ଆମେ ଖୁବ୍ ଶୀଘ୍ର ୧୦୦୦ କୋଟି ଟଙ୍କାରେ ପହଞ୍ଚିପାରିବୁ।

ସେ ଉଲ୍ଲେଖ କରିଥିଲେ ଯେ ୨୦୧୫ ମସିହାରେ ପଲ୍ସ ଲଞ୍ଚ ହେବା ପରଠାରୁ ୯ ବର୍ଷ ଧରି ହାର୍ଡ ବଏଲ୍ଡ କ୍ୟାଣ୍ଡି ସେଗ୍‌ମେଣ୍ଟରେ ଏହାର ସ୍ଥିତି ବଜାୟ ରଖିଛି। ଭବିଷ୍ୟତରେ ପଲ୍ସକୁ ଭର୍ସାଟାଇଲ୍ ବ୍ରାଣ୍ଡରେ ପରିଣତ କରିବାକୁ କାମ ଜାରି ରହିଛି ବୋଲି ସେ କହିଛନ୍ତି। ତା ଛଡ଼ା କମ୍ପାନୀ ଦେଶରେ ଓ ବିଦେଶରେ ବି ନିଜର ନେଟୱର୍କ ବିସ୍ତାର କରିବା ଦିଗରେ କାର୍ଯ୍ୟ କରୁଛି। ଭାରତରେ କମ୍ପାନୀର ଦୃଢ଼ ନେଟୱର୍କ ରହିଥିବା ହେତୁ ୩୫ ଲକ୍ଷ ଦୋକାନରେ କମ୍ପାନୀ ଚୋକୋଲେଟ ପହଞ୍ଚାଉଛି ବୋଲି ଶ୍ରୀ କୁମାର କହିଛନ୍ତି। 

ପଲ୍ସର ମାଷ୍ଟର ଷ୍ଟ୍ରୋକ୍

ଦେଶରେ ଅଧିକାଂଶ ଚୋକୋଲେଟ୍ କମ୍ପାନୀ ଛୋଟପିଲାଙ୍କୁ ଧ୍ୟାନରେ ରଖି ଚୋକୋଲୋଟେ୍ ତିଆରି କରୁଥିଲେ। ଏଥିପାଇଁ ପଶ୍ଚିମ ସଭ୍ୟତାକୁ ଧ୍ୟାନରେ ରଖି ଏଥିରେ ମିଠା ଅଂଶ ଅଧିକ ବ୍ୟବହାର କରୁଥିଲେ। ହେଲେ ପଲ୍ସ ପୂରା ସ୍କ୍ରିପ୍ଟ ଓଲଟାଇ ଦେଲା। କଞ୍ଚା ଆମ୍ଭର ଫ୍ଲେବର ସାଂଗକୁ  ଖଟାମିଠା ମସଲା ଯୁକ୍ତ ଚଟପଟି ସ୍ୱାଦର ସହ ଚୋକୋଲେଟ୍ ଲଞ୍ଚ କଲା କମ୍ପାନୀ। ଯାହା ପୂର୍ବରୁ କୌଣସି କମ୍ପାନୀ କରି ନଥିଲେ। ଏହା ହିଁ ପଲ୍ସକୁ ଅଭୂତପୂର୍ବ ସଫଳତା ଦେଲା। ଖାଲି ଛୋଟପିଲା ନୁହଁନ୍ତି ବଡ଼ମାନଙ୍କୁ ବି ଏହି ଚୋକୋଲୋଟ୍ ଭଲ ଲାଗିଲା।  

ଏନେଇ ରାଜୀବ କୁମାର କହିଛନ୍ତି " ହାର୍ଡ ବଏଲ୍ଡ ଚୋକୋଲେଟ ମାର୍କେଟ୍‌ରେ ଦିନେ ମ୍ୟାଙ୍ଗୋ ୫୦ ପ୍ରତିଶତ ମାର୍କେଟ୍ କବ୍ଜା କରିଥିଲା। ହେଲେ ଏକଲା କଚ୍ଚା ଆମ୍ବ ୨୬ ପ୍ରତିଶତ ମାର୍କେଟ୍ ନେଇଥିଲା। ପଲ୍ସ ଖଟାମିଠା ସ୍ୱାଦରେ ଚୋକୋଲେଟ୍ ତିଆରି କରିବା ପରେ ଏହା ସବୁ ବର୍ଗକୁ ଛୁଇଁଲା। ଏନେଇ ରାଜୀବ କୁମାର ମଜାରେ କହିଛନ୍ତି କେବଳ ପିଲାମାନେ କାହିଁକି ମଜା ନେବେ ବୟସ୍କ ଲୋକବି ନିଅନ୍ତୁ।

ବର୍ତ୍ତମାନ ପଲ୍ସ ପିଜୁଳି, କମଳା, ସପୁରୀ, ଲିଚୁ ଓ କଞ୍ଚା ଆମ୍ବ ଫ୍ଲେବରରେ ମାର୍କେଟ୍‌ରେ ବିକ୍ରି ହେଉଛି। ଏଥିସହିତ ପଲ୍ସ ସଟ୍ସ, ପଲ୍ସ ଗୋଲମୋଲ ଓ  ଇମଲି ଭଳି ନୂଆ ଫ୍ଲେବର ମଧ୍ୟ ଏବେ ଏବେ ପ୍ରଚଳନ କରିଛି କମ୍ପାନୀ। ପଲ୍ସର ସଫଳତାର ଷ୍ଟୋରୀ ବ୍ୟବସାୟିକ ପାଠରେ ପଢ଼ାଯାଉଛି। ଆଇଆଇଏମ୍ ଅହମ୍ମଦାବାଦ ଏକ ମାର୍କେଟିଂ କେସ୍ ଷ୍ଟଡିରେ କ୍ୟାଣ୍ଡିର ସଫଳ ଯାତ୍ରା ବିଷୟରେ ଉଲ୍ଲେଖ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.