ନୂଆଦିଲ୍ଲୀ ୧୬/୦୭: ଭାରତରେ ନାଗରିକ ପରିଚୟ ଆଧାରକାର୍ଡ । ଏହାକୁ ସବୁଠୁ ବଡ଼ ପ୍ରମାଣ ଭାବେ କରାଯାଉଛି ବ୍ୟବହାର । ଏକଥା ଆମେ କହୁନୁ ବରଂ ବର୍ତ୍ତମାନର ଆସିଥିବା ସଦ୍ୟ ସୂଚନାରୁ ତଥ୍ୟ ମିଳିଛି । କାରଣ ଆଧାରକାର୍ଡକୁ ନେଇ RTI ସୂଚନା ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ମୁତାବକ ଗତ ୧୪ ବର୍ଷ ମଧ୍ୟରେ ୧୧.୭ କୋଟି ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ମାତ୍ର ୧.୧୫ କୋଟି ଲୋକଙ୍କ ଆଧାରକାର୍ଡ ମୃତ୍ୟୁ ଅଧାରରେ ଡିଲିଟ ହୋଇଛି ।
ସଂଯୁକ୍ତ ଜନସଂଖ୍ୟା କୋଷ ମୁତାବକ ୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଦେଶର ଜନସଂଖ୍ୟା ୧୪୬.୩୯ କୋଟି । ହେଲେ ଆଧାରକାର୍ଡ ଧାରକଙ୍କ ସଂଖ୍ୟା ୧୪୨.୩୯ କୋଟି । ଭାରତର ନାଗରିକ ପଞ୍ଜିକରଣ ସିଷ୍ଟମ ବା ସିଏସଆର ମୁତାବକ ୨୦୦୭-୨୦୧୯ ପର୍ଯ୍ୟନ୍ତ ପ୍ରତିବର୍ଷ ହାରାହାରି ୮୩.୫ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି ।
ଏହି ଆଧାରରେ ଗତ ୧୪ ବର୍ଷ ମଧ୍ୟରେ ୧୧.୬୯ କୋଟି ଲୋକଙ୍କର ମୃତ୍ୟୁ ହୋଇଥାଇପାରେ । ହେଲେ ଆଧାର ପରିଚାଳନା ସଂସ୍ଥା ୟୁଆଇଡିଏଆଇ ମାତ୍ର ୧.୧୫ କୋଟି ଲୋକଙ୍କର ଆଧାରକାର୍ଡ ନିଷ୍କ୍ରିୟ ବା ଡିଲଟି୍ କରିଛି । ଅର୍ଥାତ ମୃତକଙ୍କ ତୁଳନାରେ ମାତ୍ର ୧୦ ପ୍ରତିଶତ ମୃତ ଲୋକଙ୍କର ଅଧାରକାର୍ଡ ଡିଲିଟ୍ କରାଯାଇଛି ।
ସବୁଠାରୁ ବଡ଼ ଦୁଃଖର କଥା କି ମୃତ୍ୟୁ ଆଧାରରେ କେତେ ଆଧାରକାର୍ଡକୁ ଗତ ୫ ବର୍ଷରେ ନିଷ୍କ୍ରିୟ କରାଯାଇଛି ତା'ର ତଥ୍ୟ ୟୁଆଇଡିଏଆଇ ପାଖରେ ଉପଲବ୍ଧ ନାହିଁ । ୟୁଆଇଡିଏଆଇ କେବଳ ଏତିକି ତଥ୍ୟ ଦେବାରେ ସମର୍ଥ ହୋଇଛି କି, ୨୦୨୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ମୃତ୍ୟୁ ଆଧାରରେ ୧.୧୫ କୋଟି ଲୋକଙ୍କର ଅଧାରକାର୍ଡ ଡିଲିଟ୍ କରାଯାଇଛି ।
ଆରଟିଆଇ ତଥ୍ୟ ଅଧାରରେ ଏହା ସ୍ପଷ୍ଟ ହୋଇଛି କି, ୟୁଆଇଡିଏଆଇ ପାଖରେ ନା ଅଧାରକାର୍ଡ ନଥିବା ଲୋକଙ୍କର ତଥ୍ୟ ରହିଛି, ନା ମୃତ ଲୋକଙ୍କ ଅଧାରକାର୍ଡ ନିଷ୍କ୍ରିୟ କରିବାରେ ପ୍ରଭାବୀ ବ୍ୟବସ୍ଥା ରହିଛି । ଏହାଫଳରେ ତଥ୍ୟ ସଠିକତା ଉପରେ ପ୍ରଶ୍ନ ଉଠିଥିବା ବେଳେ ନୀତି ନିର୍ମାଣ, ଜନସଂଖ୍ୟା ପରିସଂଖ୍ୟାନରେ ଥିବା ତ୍ରୁଟିକୁ ଉଜାଗର କରିଛି ।