ନୂଆଦିଲ୍ଲୀ ୨୧।୬: ଇସ୍ରାଏଲ ଓ ଇରାନ ଯୁଦ୍ଧ ନବମ ଦିନରେ ଜାରି ରହିଛି। ଏ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ଇସ୍ରାଏଲର ୨୪ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଇରାନରେ ଯୁଦ୍ଧ ଜନିତ ମୃତ୍ୟୁ ସଂଖ୍ୟା ୬୦୦ ପାର କରିଯାଇଛି। ଏଥିରେ ଅନେକ ସାମରିକ ଅଧିକାରୀ ଓ ବୈଜ୍ଞାନିକ ଅଛନ୍ତି। ତେବେ ଧନଜନ ହାନୀ ଠାରୁ ଅଧିକ ପ୍ରଭାବ ଦୁଇ ଦେଶଙ୍କ ଅର୍ଥ ନୀତି ଉପରେ ପଡିଛି। ଖାସ କରି ଇସ୍ରାଏଲ ପାଇଁ ଏହି ଯୁଦ୍ଧ ଏବେ ମହଙ୍ଗା ସାବ୍ୟସ୍ତ ହେଉଛି।
ଇରାନ ଓ ଇସ୍ରାଏଲର ଅର୍ଥବ୍ୟବସ୍ଥାକୁ ତୁଳନା କଲେ ଇସ୍ରାଏଲର ସ୍ଥିତି ବେଶ୍ ମଜଭୁତ। ୨୦୨୪ରେ ଇସ୍ରାଏଲର ଅର୍ଥନୀତି ୫୬୪ ବିଲିୟନ ଡଲାର ଥିଲା। ଏହି ସମୟରେ ଇରାନର ୩୮୮ ବିଲିୟନ ଡଲାର ଥିବା ଦେଖାଯାଇଛି। ପ୍ରତି ବ୍ୟକ୍ତି ଆୟରେ ମଧ୍ୟ ଇସ୍ରାଏଲ ଇରାନଠାରୁ ଢେର ଆଗରେ ରହିଛି। ଇସ୍ରାଏଲର ପ୍ରତି ବ୍ୟକ୍ତି ଆୟ ୫୮ ହଜାର ଡଲାର ହୋଇଥିବା ବେଳେ ଇରାନରେ ପ୍ରତି ବ୍ୟକ୍ତି ଆୟ ୪,୪୦୦ ଡଲାର ଆଖପାଖରେ ରହୁଛି।
ତେବେ ଗାଜା ଯୁଦ୍ଧ ପରେ ଇରାନ ସହିତ ସଂଘର୍ଷ ଏବେ ଇସ୍ରାଏଲକୁ ମହଙ୍ଗା ପଡୁଛି। ଗାଜା ଯୁଦ୍ଧ ବାବଦ ବ୍ୟୟ ଏବେ ୬୭ ବିଲିୟନ ଡଲାରରୁ ଅଧିକକୁ ପହଞ୍ଚିଲାଣି। ଇରାନ ସହିତ ଦୁଇ ଦିନ ଯୁଦ୍ଧରେ ଇସ୍ରାଏଲକୁ ୧.୪୫ ବିଲିୟନ ଡଲାରର କ୍ଷତି ହୋଇଛି। ଅର୍ଥାତ ଯୁଦ୍ଧରେ ଇସ୍ରାଏଲ ଦୈନିକ ୬ ହଜାର କୋଟି ଟଙ୍କା ବ୍ୟୟ କରୁଛି। ଏଥିରୁ ଇସ୍ରାଏଲର ଯୁଦ୍ଧ ବାବଦ ବ୍ୟୟ ଏବେ ୫୪ ହଜାର କୋଟି ଟଙ୍କା ପାର କରିଗଲାଣି। ଯଦି ଏହି ସଂଘର୍ଷ ଦୀର୍ଘ ହେଲା ତେବେ ଇସ୍ରାଏଲର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହେବା ସୁନିଶ୍ଚିତ।
୨୦୨୫ରେ ଇସ୍ରାଏଲର ବୃଦ୍ଧି ହାର ଅନୁମାନକୁ ୪.୩%ରୁ ହ୍ରାସ କରି ୩.୬% କରି ଦିଆଯାଇଛି। ଏହା ଛଡା ଏସ ଆଣ୍ଡ ପି ଗ୍ଲୋବାଲ ରେଟିଂ ଯୁଦ୍ଧ ଲମ୍ବା ଚାଲିଲେ ଇସ୍ରାଏଲର କ୍ରେଡିଟ ରେଟିଂ ଏ(+)ରୁ ଏ (-) ହୋଇଯିବ ବୋଲି ଚେତାଇ ଦେଇଛି। ଅନ୍ୟପଟେ ଯୁଦ୍ଧ ଯୋଗୁ ଇରାନର ତୈଳ ରପ୍ତାନୀ ହ୍ରାସ ହୋଇଛି। ଖାର୍ଗ ଦ୍ୱୀପ ଯେଉଁଠୁ ଇରାନ ୯୦% ତୈଳ ରପ୍ତାନୀ କରିଥାଏ ସେଠାରେ ଏବେ ରପ୍ତାନୀ ବନ୍ଦ ହୋଇ ଯାଇଛି। ଏହା ଛଡା ଇସ୍ରାଏଲ ଆକ୍ରମଣର ଯୋଗୁ ସାଉଥ୍ ପାର୍ସ ଗ୍ୟାସ୍ କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି। ଯଦି ଏହି ଯୁଦ୍ଧ ଦୀର୍ଘ କାଳ ପର୍ଯ୍ୟନ୍ତ ଲାଗି ରହିଲା ତେବେ ଇରାନର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇପାରେ।
ଇରାନ ପ୍ରଥମରୁ ଆମେରିକା କଟକଣା କାରଣରୁ ଆର୍ଥିକ ସଂକଟ ଦେଇ ଗତି କରୁଛି। ଇରାନୀ ମୁଦ୍ରା ରିୟଲର ମୂଲ୍ୟ ଲଗାତାର ହ୍ରାସ ହେବାରେ ଲାଗିଛି। ଏପରି ସ୍ଥଳରେ ଯୁଦ୍ଧର ବ୍ୟୟ ବହନ କରିବା ଇରାନ ପାଇଁ କଷ୍ଟକର ହୋଇ ପଡିବ ବୋଲି ଅନୁମାନ କରାଯାଉଛି। ଇସ୍ରାଏଲର ମଜଭୁତ ଅର୍ଥ ବ୍ୟବସ୍ଥା ରହିଛି, ହେଲେ ପ୍ରତିରକ୍ଷା ବାବଦ ବ୍ଯୟ ବୃଦ୍ଧି ଯୋଗୁ ଆର୍ଥିକ ଘାଟା ବଢି ଯାଇପାରେ। ଏଥିରେ ଇରାନ ପୂର୍ବରୁ ଆର୍ଥିକ୍ ସମସ୍ୟାରେ ଘେରି ରହିଛି। ଏହା ଛଡା ଇରାନର ଯୁଦ୍ଧ ପାଇଁ ସେମିତି ବେଶି କରିଛି ସଂସାଧନ ବି ନାହିଁ। ଏଣୁ ଯୁଦ୍ଧ ଆଉ ଦୀର୍ଘ ହେଲେ ଦୁଇ ଦେଶଙ୍କ ଆର୍ଥିକ ପରିସ୍ଥିତି ବିଗିଡି ପାରେ।