ମେକ୍ ଇନ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଏବଂ ନିଯୁକ୍ତି...୨୦୧୪ ପରଠୁ କେତେ ବଦଳିଛି ଭାରତ, ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | February 04, 2025 IST

ନୂଆଦିଲ୍ଲୀ: ଭାରତରେ ମୋବାଇଲ୍ ଏବଂ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫାକ୍ଚରିଂ କ୍ଷେତ୍ରରେ ଏକ ଦଶନ୍ଧିରେ ଅନେକ ଅଗ୍ରଗତି ହୋଇଛି । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ୍ସରେ ଏକ ପୋଷ୍ଟ କରି ଗତ ୧୦ ବର୍ଷରେ ମେକ୍ ଇନ୍ ଇଣ୍ଡିଆ ପ୍ରୋଗ୍ରାମ ଅଧିନରେ ମୋବାଇଲ୍ ନିର୍ମାଣରେ ଦେଶ କେତେ ଆଗକୁ ବଢିଛି ତାହା କହିଛନ୍ତି । ଏହାସହ ଏକ୍ସପୋର୍ଟ ସେକ୍ଟରରେ କେତେ ଅଧିକ ଅଭିବୃଦ୍ଧି ହୋଇଛି ତାହାର ବି ଡାଟା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଯେ ୨୦୧୪ ମସିହାରେ ଦେଶରେ କେବଳ ୨ଟି ମୋବାଇଲ୍ ମ୍ୟାନୁଫେକ୍ଚରିଂ ୟୁନିଟ୍ ଥିଲା, ଆଜି ସାରା ଦେଶରେ ଏହାର ସଂଖ୍ୟା ଏବେ ୩୦୦ ଟପିଛି । ଏହାସହ ଏହି କ୍ଷେତ୍ରରେ ନିବେଶ ଏବଂ ଉତ୍ପାଦନରେ ମଧ୍ୟ ବୃଦ୍ଧି ହୋଇଛି । ଏହାଦ୍ୱାରା ଭାରତ ବୈଶ୍ୱିକ ସ୍ତରରେ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫାକ୍ଚରିଂରେ ଭାରତର ନୂଆ କେନ୍ଦ୍ର ହେବାରେ ଲାଗିଛି ।

ଅଶ୍ୱିନୀ ବୈଷ୍ଣବ ଲେଖିଛନ୍ତି, ମୋବାଇଲ୍ ଫୋନ ନିର୍ମାଣର ମୋଟ ମୂଲ୍ୟ ୨୦୧୪ରେ ମାତ୍ର ୧୮,୯୦୦ କୋଟି ଟଙ୍କା ଥିଲା, ଯାହା ଆର୍ଥିକ ବର୍ଷ ୨୦୨୩-୨୪ରେ ବଢି ୪,୨୨,୦୦୦ କୋଟି ଟଙ୍କାରେ ପହଞ୍ଚିଥିଲା । ଏହା ବ୍ୟତୀତ ୨୦୧୪ ମସିହାରେ ମୋବାଇଲ ରପ୍ତାନୀ ଶୂନ ଥିଲା, ଏବେ ତାହା ବଢି ୧,୨୯,୦୦୦ କୋଟି ପାର୍ କରିଛି । ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଅଭିଯାନରେ ଦେଶରେ ଉତ୍ପାଦନକୁ ପ୍ରୋତ୍ସାହିତ କରାଯାଇଛି, ଯାହାଦ୍ୱାରା ଭାରତ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫାକ୍ଚରିଂର ପ୍ରମୁଖ କେନ୍ଦ୍ର ହୋଇଛି ।

କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଭାରତ ଏବେ କେବଳ ମୋବାଇଲ୍ ଫୋନ ହିଁ ନୁହେଁ, ବରଂ ଖେଳନା, ପ୍ରତିରକ୍ଷା ଉପକରଣ ଏବଂ ଇଭି ମୋଟର୍ସ ଉତ୍ପାଦନରେ ଆତ୍ମନିର୍ଭର ହେବା ଦିଗରେ ଆଗକୁ ବଢୁଛି । ସରକାରଙ୍କ ଲକ୍ଷ୍ୟ ଭାରତକୁ ବୈଶ୍ୱିକ ମ୍ୟାନୁଫାକ୍ଚରିଂ ହବ୍ ରୂପେ ପରିଗଣିତ କରିବା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଭାରତରେ ଉତ୍ପାଦନ ବଢାଇବା, ଆତ୍ମନିର୍ଭର ହେବା ଏବଂ ଅଧିକ ରୋଜଗାର ସୃଷ୍ଟି କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଆଶ୍ୱିନୀ ବୈଷ୍ଣବ ଲେଖିଛନ୍ତି, ମୋବାଇଲ ଫୋନ ନିର୍ମାଣ କ୍ଷେତ୍ରରେ ଗତ ଏକ ଦଶନ୍ଧିରେ ୧୨ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୋଜଗାର ସୃଷ୍ଟି ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.