ନୂଆଦିଲ୍ଲୀ: ଇଂରାଜୀରେ ଏକ ପ୍ରସିଦ୍ଧ ଡାଇଲଗ୍ ରହିଛି ' There are no permanent enemies, and no permanent friends, only permanent interests.'। ଏହି ଡାଇଲଗ୍ ଏବେ ଇସ୍ରାଏଲ ଓ ଇରାନ ଦୁଇ ଦେଶ ପାଇଁ ପ୍ରଯ୍ୟୁଜ। କାରଣ ଦିନ ଥିଲା ଦୁଇ ଦେଶ ମଧ୍ୟରେ ବନ୍ଧୁତା ନିବିଡ଼ ଥିଲା। କିନ୍ତୁ ଆଜି ପରସ୍ପରର ଚରମ ଶତ୍ରୁ। ପରସ୍ପର ଉପରେ ସବୁଠୁ ଘାତକ ମିସାଇଲ ଆଟାକ୍ କରିବାକୁ ଉଣ୍ଡି ବସୁଥିବା ଦୁଇ ଦେଶ କେବେ ପରସ୍ପରର ଆଲିଙ୍ଗନ କରୁଥିଲେ। ତେଣୁ ସଭିଙ୍କ ମନରେ ପ୍ରଶ୍ନ ଉଠୁଛି ଯେ କାହିଁକି ଏହି ଦୁଇ ଦେଶ ମଧ୍ୟରେ ଶତ୍ରୁତା ଆରମ୍ଭ ହେଲା ? ଦିନ ଥିଲା ପରସ୍ପରର କାନ୍ଧ ମିଶାଇ କୂଟନୈତିକ ଓ ଗୁଇନ୍ଦା କ୍ଷେତ୍ରରେ ସହଯୋଗ କରୁଥିବା ଦୁଇ ଦେଶ କେମିତି ପରସ୍ପର ପାଇଁ ବଡ଼ ଶତ୍ରୁ ପାଲଟିଗଲେ।
ଦୁଇ ଦେଶ ମଧ୍ୟରେ ବନ୍ଧୁତା ଶାହି ଯୁଗର। ଇସ୍ରାଏଲ ୧୯୪୮ରେ ନିଜକୁ ୟହୁଦୀ ଦେଶ ଘୋଷିତ କରିଥିବା ବେଳେ ଇରାନ ମୁସଲିମ ଦେଶ ଥିଲା। ଆଉ ଇରାନ ଇସ୍ରାଏଲକୁ ୟେହୁଦି ଦେଶର ମାନ୍ୟତା ଦେଇଥିଲା। ସେହିସମୟରେ ଇରାନର ଶାସକ ଥିଲେ ଶାହ ମହମ୍ମଦ ରଜା ପହଲବୀ। ଇସ୍ରାଏଲ ସରକାରଙ୍କ ସହ ଇରାନ ମଧ୍ୟରେ ରାଜନୈତିକ ଓ ସାମରିକ ସମ୍ବନ୍ଧ ବହୁତ ମଜବୁତ ଥିଲା। ଦୁଇ ଦେଶ ଆମେରିକାର ଘନିଷ୍ଠ ଥିଲେ। ଉଭୟଙ୍କ ମଧ୍ୟରେ ସଂପର୍କ ବେଶ ସୁଦୃଢ ଥିଲା? ଇରାନ ଇସ୍ରାଏଲକୁ ତେଲ ଯୋଗାଉଥିବା ବେଳେ ବଦଳରେ ଇସ୍ରାଏଲ ଇରାନକୁ ଗୁଇନ୍ଦା ଟ୍ରେନିଂ ଓ ଜ୍ଞାନ କୌଶଳରେ ସାହାଯ୍ୟ କରୁଥିଲା। ବନ୍ଧୁତାର ଡୋରି ସେ ପର୍ଯ୍ୟନ୍ତ ଅତୁଟ ରହିଲା ଯେ ପର୍ଯ୍ୟନ୍ତ ଶାହ ଶାସନ ଗାଦିରେ ଥିଲେ। ଇସଲାମିକ କ୍ରାନ୍ତି ପରେ ଇରାନରେ ରିଜିମ ପରିବର୍ତ୍ତନ ହୋଇଥିଲା ଏବଂ ଦୁଇ ବନ୍ଧୁ ଦେଶ ଶତ୍ରୁ ପାଲଟିଗଲେ।
ଇରାନରେ ଇରାନୀ କ୍ରାନ୍ତି ସହିତ ଶାହଙ୍କ କ୍ଷମତାକୁ ଆୟାତୁଲ୍ଲା ଖାମେନି ସମାପ୍ତ କରିଥିଲେ। ଖାମେନି ଏକ ଚରମ ଇସଲାମିକ ଶାସନ ସ୍ଥାପନ କଲେ। ଆଉ ଖାମେନି ଇସ୍ରାଏଲକୁ ସଇତାନ ଓ ଇସଲାମ ଦେଶର ଶତ୍ରୁ ଭାବେ ଘୋଷିତ କରି ଦେଲେ। ଇରାନ ଇସ୍ରାଏଲର ପାସପୋର୍ଟକୁ ସ୍ଵୀକାର କରିବା ବନ୍ଦ କରି ଦେଲା। ଇସ୍ରାଏଲ ସହ ସବୁ ସଂପର୍କ ଛିନ୍ନ କରି ଦେଲେ ଖାମେନି। ଏପରିକି ଇସ୍ରାଏଲର ଦୂତାବାସକୁ ମଧ୍ୟ ବନ୍ଦ କରି ଦିଆଗଲା। ଏହା ବଦଳରେ ପାଲେଷ୍ଟାଇନ ଲିବେରେସନ ଅର୍ଗାନାଇଜେସନ(ପିଏଲଓ)କୁ ଦପ୍ତର ଖୋଲିବାକୁ ଦିଆଗଲା। ଏହିପରି ଭାବେ ବନ୍ଧୁତା ଶତ୍ରୁତାର ରୂପ ନେଲା। ଏହା ପରେ ଇସ୍ରାଏଲ ଇରାନକୁ ମଧ୍ୟ ପୂର୍ବରେ ସବୁଠୁ ବଡ଼ ବିପଦ ମାନିବା ଆରମ୍ଭ କରିଦେଲା। ଦିନ ଥିଲା ଏକାଠି ମିଶି ମିସାଇଲ ତିଆରି କରୁଥିବା ଦୁଇ ବନ୍ଧୁ ଦେଶ ଆଜି ପରସ୍ପର ଉପରେ ମିସାଇଲ ମାଡ଼ କରି ସଂପୂର୍ଣ୍ଣ ଭାବେ ଧ୍ଵଂସ କରିବାକୁ ଅଣ୍ଟା ଭିଡ଼ିଛନ୍ତି।