MGNREGA: ମନରେଗା ବିବାଦ ନେଇ କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍; କହିଲେ, ଗାନ୍ଧୀଙ୍କ ଆଦର୍ଶର ସିଧା ଅପମାନ

NEWS7
horoscope-for-wednesday-09-march-2025

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ମନରେଗା(MGNREGA)ର ନାଁ ପରିବର୍ତ୍ତନ କରିବା ନେଇ ବର୍ତ୍ତମାନ ହୋହଲ୍ଲା ଜାରି ରହିଛି। ବିଭିନ୍ନ ବିରୋଧୀ ଦଳର ନେତାମାନେ ଏନେଇ କେନ୍ଦ୍ରର ମୋଦୀ ସରକାରଙ୍କୁ ସମାଲୋଚନା କରୁଛନ୍ତି। ଲୋକସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ଏ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି। ମଙ୍ଗଳବାର ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଏହା ମହାତ୍ମା ଗାନ୍ଧୀଙ୍କ ଆଦର୍ଶର ସିଧା ଅପମାନ ବୋଲି କହିଛନ୍ତି।

ବର୍ତ୍ତମାନ ମନରେଗାରେ ଗ୍ରାମୀଣ ପରିବାରକୁ ପ୍ରତିବର୍ଷ ୧୦୦ ଦିନର କର୍ମ ନିଯୁକ୍ତିର ଆଇନଗତ ଗ୍ୟାରେଣ୍ଟି ଦିଆଯାଉଛି। ସରକାର ଏହାକୁ ପ୍ରତ୍ୟାହାର କରିବାକୁ ଯୋଜନା କରୁଛନ୍ତି। ଏନେଇ ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ(ଗ୍ରାମୀଣ) (VB-G RAM G) ବିଲ୍ ୨୦୨୫ ଆଣିବାକୁ ଯାଉଛନ୍ତି। ଯାହାକୁ ନେଇ ବିରୋଧୀମାନେ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଏକ୍ସରେ ଏକ ଲମ୍ବା ପୋଷ୍ଟ କରି ରାହୁଲ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦୁଇଟି ଜିନିଷ ପ୍ରତି "ଗଭୀର ଘୃଣା" ଅଛି - ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା ଏବଂ ଗରିବଙ୍କ ଅଧିକାର।

ରାହୁଲ କହିଛନ୍ତି “ମନରେଗା ହେଉଛି ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜ ଦୃଷ୍ଟିକୋଣର ଜୀବନ୍ତ ପ୍ରତୀକ। ଏହା ଲକ୍ଷ ଲକ୍ଷ ଗ୍ରାମୀଣ ଭାରତୀୟଙ୍କ ପାଇଁ ଜୀବନରେଖା ହୋଇଛି ଏବଂ କୋଭିଡ-୧୯ ମହାମାରୀ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ସୁରକ୍ଷା ଜାଲ ଭାବରେ ପ୍ରମାଣିତ ହୋଇଛି।"

ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହଇରାଣରେ ପକାଉଛି। ଏଥିପାଇଁ ତାଙ୍କ ସରକାର ଗତ ୧୦ ବର୍ଷ ହେଲା ବଡ଼ ବ୍ୟବସ୍ଥିତ ଢଙ୍ଗରେ ମନରେଗାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ରାହୁଲ କହିଛନ୍ତି।

ଲୋକସଭା ବିରୋଧୀ ଦଳର ନେତା ରାହୁଲ କହିଛନ୍ତି “ଏବେ, ମୋଦୀ ଜି ମନରେଗାକୁ କେନ୍ଦ୍ରୀୟ ନିୟନ୍ତ୍ରଣର ଏକ ଉପକରଣରେ ପରିଣତ କରିବାକୁ ଚାହୁଁଛନ୍ତି - ବଜେଟ୍, ଯୋଜନା ଏବଂ ନିୟମ କେନ୍ଦ୍ର ଦ୍ୱାରା ନିର୍ଣ୍ଣୟ କରାଯିବ, ରାଜ୍ୟଗୁଡ଼ିକୁ ଖର୍ଚ୍ଚର ୪୦ ପ୍ରତିଶତ ବହନ କରିବାକୁ ବାଧ୍ୟ କରାଯିବ, ଏବଂ ପାଣ୍ଠି ସରିଗଲେ କିମ୍ବା ଫସଲ ଋତୁରେ, ଶ୍ରମିକମାନଙ୍କୁ ମାସ ମାସ ପାଇଁ ନିଯୁକ୍ତି ଦିଆଯିବ ନାହିଁ। ତେଣୁ ଏହି ଜନ ବିରୋଧୀ ବିଲ୍କୁ ବିରୋଦୀ ଦଳ ସଂସଦରୁ ନେଇ ସଡ଼କ ପର୍ଯ୍ୟନ୍ତ ବିରୋଧ କରିବ।”

ଏନେଇ ରାହୁଲ କହିଛନ୍ତି “ଏହି ନୂଆ ବିଲ୍ ମହାତ୍ମା ଗାନ୍ଧୀଙ୍କ ଆଦର୍ଶର ସିଧାସଳଖ ଅପମାନ। ବ୍ୟାପକ ବେକାରୀ ମାଧ୍ୟମରେ ଭାରତର ଯୁବପିଢ଼ିଙ୍କ ଭବିଷ୍ୟତକୁ ନଷ୍ଟ କରିବା ପରେ, ମୋଦି ସରକାର ଏବେ ଗରିବ ଗ୍ରାମୀଣ ପରିବାରର ସୁରକ୍ଷିତ ଜୀବିକାକୁ ଟାର୍ଗେଟ କରୁଛନ୍ତି। ସଡକରୁ ସଂସଦ ପର୍ଯ୍ୟନ୍ତ, ଆମେ ଏହି ଜନବିରୋଧୀ ବିଲକୁ ବିରୋଧ କରିବୁ।”

କେନ୍ଦ୍ର ସରକାର ନୂଆ VB-G RAM G ବିଲରେ ମନରେଗାକୁ ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ପ୍ରସ୍ତାବିତ ଯୋଜନାରେ କେନ୍ଦ୍ର-ରାଜ୍ୟ ପାଣ୍ଠି ବିଭାଜନ ସହିତ ୧୨୫ ଦିନର ମଜୁରୀ ନିଯୁକ୍ତିର ପ୍ରତିଶ୍ରୁତି ଦିଆଯାଇଛି ଏବଂ ଯଦି ବିଲ୍ ପାରିତ ହୁଏ, ତେବେ ୨୦୦୫ର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନକୁ ପ୍ରତ୍ୟାହାର କରାଯିବ।

ସୂଚନା ଥାଉକି ୨୦୦୫ ମସିହାରେ କଂଗ୍ରେସ ନେତା ନେତୃତ୍ୱାଧୀନ ୟୁପିଏ ସରକାର ଦ୍ୱାରା NREGA ପ୍ରଣୟନ କରାଯାଇଥିଲା, ଏବଂ ପରେ NREGAକୁ ଅକ୍ଟୋବର ୨, ୨୦୦୯ ରୁ MGNREGA ଭାବରେ ନାମିତ କରାଯାଇଥିଲା।