ଇରାନ୍‌ ଯୁଦ୍ଧ ମଧ୍ୟରେ ସୁରକ୍ଷା ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ମୋଦୀ 

NEWS7
honble-president-in-odisha-she-will-be-attend-ratha-yatra


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ରବିବାର) ରାତିରେ ରାଜଧାନୀ ଦିଲ୍ଲୀ ଫେରିବା ପରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (ସିସିଏସ୍)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିବେ। ସରକାରୀ ସୂତ୍ର ଅନୁସାରେ, ସେ ତାଙ୍କର ଦୁଇ ଦିନିଆ ଗସ୍ତ ସାରି, ରାତି ପ୍ରାୟ 9:30ରେ ଦିଲ୍ଲୀ ପହଞ୍ଚିବେ ବୋଲି ଆଶା କରାଯାଉଛି। ଫେରିବା କ୍ଷଣି ସେ ସିସିଏସ୍‌ ବୈଠକର ଅଧ୍ୟକ୍ଷତା କରିବେ ।

ବୈଠକରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣରୁ ଉପୁଜିଥିବା ସଙ୍କଟ, ଆଞ୍ଚଳିକ ସୁରକ୍ଷା ପରିସ୍ଥିତି ଏବଂ ଭାରତର ରଣନୈତିକ ସ୍ୱାର୍ଥ ବିଷୟରେ ଆଲୋଚନା କରାଯିବ। ବରିଷ୍ଠ ସୁରକ୍ଷା ଏବଂ ବୈଦେଶିକ ନୀତି ସହ ଜଡ଼ିତ ଅଧିକାରୀମାନେ ଯୋଗଦେବେ। ପଶ୍ଚିମ ଏସିଆର ବିଭିନ୍ନ ଦେଶରେ, ବିଶେଷକରି ୟୁଏଇ ଏବଂ ଆଖପାଖ ଅଞ୍ଚଳରେ ଭାରତୀୟ ନାଗରିକଙ୍କ ସୁରକ୍ଷା ବୈଠକରେ ଏକ ପ୍ରମୁଖ ପ୍ରସଙ୍ଗ ହେବ। 

ସରକାର ସେଠାରେ ଫସି ରହିଥିବା ଭାରତୀୟଙ୍କ ପରିସ୍ଥିତି, ସମ୍ଭାବ୍ୟ ସ୍ଥାନାନ୍ତର ଯୋଜନା ଏବଂ ଦୂତାବାସ ଦ୍ୱାରା ଜାରି ପରାମର୍ଶ ସମୀକ୍ଷା କରିବେ। ବଢ଼ୁଥିବା ସାମରିକ ଉତ୍ତେଜନା ଯୋଗୁଁ ବିମାନ ସେବା ଏବଂ ଆଞ୍ଚଳିକ ସ୍ଥିରତା ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ଅଛି। ଭାରତ ପୂର୍ବରୁ ଏକ ସରକାରୀ ବିବୃତ୍ତି ଜାରି କରି ସମସ୍ତ ପକ୍ଷଙ୍କୁ ସଂଯମତା ଅବଲମ୍ବନ କରିବାକୁ ଅନୁରୋଧ କରିଛି ।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଉତ୍ତେଜନାକୁ ଏଡାଇବା ସହ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବା ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ । ଭାରତ ସ୍ପଷ୍ଟ କରିଛି ଯେ, ଆଲୋଚନା ଏବଂ କୂଟନୀତି ହେଉଛି ସଙ୍କଟର ଏକମାତ୍ର ସମାଧାନ । ସମସ୍ତ ଦେଶର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ସମ୍ମାନ ଜରୁରୀ ।