ପୁରୀ: ଜୁନ ୧୧ରେ ପବିତ୍ର ସ୍ନାନପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନ ବେଦୀକୁ ଆସିବେ ଚତୁର୍ଦ୍ଧା ବିଗ୍ରହ। ଏଥିପାଇଁ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ଠାକୁରଙ୍କ ପହଣ୍ଡି, ଜଳଲାଗି, ହାତୀବେଶ ସମୟରେ ଶୃଙ୍ଖଳା ରକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ସ୍ନାନ ଯାତ୍ରାରେ ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ, ପାର୍କିଂ ସହ ଅନ୍ୟାନ୍ୟ ବ୍ୟବସ୍ଥା ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି।
ପୋଲିସ ପକ୍ଷରୁ ଖୋଲାଯିବ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ । ଆଉ ମାତ୍ର ପାଞ୍ଚ ଦିନର ଅପେକ୍ଷା। ଜୁନ୍ ୧୧ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ତେଣୁ ପୁରୀ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଚାରୋଟି ନିଯୋଗ ସହିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ନେଇ ବୈଠକରେ ଆଲୋଚନା ହୋଇଥିଲା।
Also read: ‘ରାଜ୍ୟରେ ବିପର୍ଯ୍ୟସ୍ତ ୧୦୮ ଆମ୍ବୁଲାନ୍ସ ସେବା, ସେପଟେ ଉତ୍ସବ ପାଳୁଛନ୍ତି ସରକାର’
ସ୍ନାନ ମଣ୍ଡପରେ ସିସିଟିଭି ବ୍ୟବସ୍ଥା ସହ କମ ସମୟରେ କିଭଳି ଅଧିକ ଭକ୍ତ ଦର୍ଶନ କରିପାରିବେ ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ଠାକୁରଙ୍କ ପହଣ୍ଡି ଦର୍ଶନ ପାଇଁ ତିନି ହଜାର ଟିକେଟ ବ୍ୟବସ୍ଥା କରାଯାଇଛି। ପ୍ରତି ଟିକେଟର ମୂଲ୍ୟ ୧୫୦ ଟଙ୍କା ରଖାଯାଇଥିବା କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସମହାପାତ୍ର। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସମ୍ମୁଖରେ ସେଡ୍, ପାନୀୟ ଜଳ ସହ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। ବର୍ଷା ହେଲେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ପ୍ରଶାସନର ଏଭଳି ପ୍ରସ୍ତୁତିକୁ ସ୍ବାଗତ କରିଛନ୍ତି ସେବାୟତ।
ସେହିପରି ସ୍ନାନଯାତ୍ରା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଶୃଙ୍ଖଳିତ ଆୟୋଜନ ନେଇ ପୁରୀ ଏସପି ଓ ବରିଷ୍ଠ ପୋଲିସ ଅଫିସରଙ୍କୁ ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଏସ୍ ପ୍ରବୀଣ କୁମାର। ସୁରକ୍ଷା ଦାୟିତ୍ବରେ ୪ଜଣ ଏସପି ଓ ୪୫୦ ପୋଲିସ ଅଫିସରଙ୍କ ସହିତ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଚଳିତବର୍ଷ AI ମାଧ୍ୟମରେ ଭିଡ଼ ନିୟନ୍ତ୍ରଣ ହେବ ବୋଲି କହିଛନ୍ତି ଆଇଜି। ଅଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ଭିଆଇପି ଏବଂ ଭିଭିଆଇପିଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛି ପୋଲିସ ପ୍ରଶାସନ। ଶୃଙ୍ଖଳିତ ସ୍ନାନଯାତ୍ରା ପାଇଁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଅଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି।
ସ୍ନାନପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୁଡ଼ାନ୍ତ ହୋଇସାରିଛି। ଆସନ୍ତା ୯ରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ଦ୍ବିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି, ଠାକୁରଙ୍କ ନୀତିକାନ୍ତି ସହିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ।