ଇଣ୍ଡିଗୋ ସିଇଆଙ୍କୁ କାରଣ ଦର୍ଶାଅ ନୋଟିସ, କଠୋର କାର୍ଯ୍ୟାନୁଷ୍ଠାନ ହେବ କହିଲେ କେନ୍ଦ୍ରମନ୍ତ୍ରୀ ରାମ ମୋହନ ନାଇଡୁ

NEWS7
hirakud-dam-will-release-seasons-first-flood-water-on-july-23

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବିମାନ କମ୍ପାନି ଇଣ୍ଡିଗୋର ପରିଚାଳନାଗତ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି । ବ୍ୟାପକ ଉଡ଼ାଣ ସଂକଟ ଏବଂ ହଜାର ହଜାର ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି । ସେ କହିଛନ୍ତି ଯେ ସରକାର କୌଣସି ପ୍ରକାରର ଆପୋଷ ସମାଧାନ କରିବେ ନାହିଁ । ଏହା କେବଳ ଯାନ୍ତ୍ରିକ ତ୍ରୁଟି ବିଷୟରେ ନୁହେଁ, ବରଂ ଉତ୍ତରଦାୟିତ୍ୱ ସ୍ଥିର କରିବା ଉପରେ ମଧ୍ୟ ଏବଂ ଆଗାମୀ ପଦକ୍ଷେପ ପୂରା ବିମାନ ଚଳାଚଳ କ୍ଷେତ୍ର ପାଇଁ ଏକ ଉଦାହରଣ ସୃଷ୍ଟି କରିବ ।

ଜାତୀୟ ଗଣମାଧ୍ୟମକୁ ଆଜତକକୁ ପ୍ରତିକ୍ରିୟା ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି, "କାର୍ଯ୍ୟାନୁଷ୍ଠାନ ଏତେ କଠୋର ହେବ ଯେ କୌଣସି ବିମାନ ଅପରେଟର ମନ୍ତ୍ରଣାଳୟକୁ ହାଲୁକା ଭାବରେ ନେଇପାରିବେ ନାହିଁ ।"

ଦେଶବ୍ୟାପୀ ଇଣ୍ଡିଗୋ ବିମାନ ଚଳାଚଳ ସଂକଟ ପାଞ୍ଚ ଦିନରେ ପହଞ୍ଚିବା ପରେ କେନ୍ଦ୍ର ସରକାର ଆକ୍ସନକୁ ଆସିଛନ୍ତି । ହଜାର ହଜାର ଯାତ୍ରୀଙ୍କ ଅସୁବିଧା ପରେ, ସରକାର ସ୍ପଷ୍ଟ କରିଛନ୍ତି ଯେ ପୂରା ମାମଲାର ତଦନ୍ତ ହେଉଛି । ତଦନ୍ତ କମିଟିର ରିପୋର୍ଟ ପ୍ରକାଶ ପାଇବା ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏହି ନୋଟିସର ଉତ୍ତର ୨୪ ଘଣ୍ଟା ମଧ୍ୟରେ ଦେବାକୁ କୁହାଯାଇଛି । ସରକାର କାରଣ ଦର୍ଶାଅ ନୋଟିସରେ ପ୍ରଶ୍ନ କରିଛନ୍ତି, "ଆପଣଙ୍କ ଯୋଗୁଁ ଲକ୍ଷ ଲକ୍ଷ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆପଣଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତାହା କୁହନ୍ତୁ ।" ନୋଟିସରେ ଏହା ମଧ୍ୟ କୁହାଯାଇଛି ଯେ ସିଇଓ ଯାତ୍ରୀମାନଙ୍କୁ ଅତ୍ୟାବଶ୍ୟକୀୟ ସୁବିଧା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।

ଶନିବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କ ସହ ଦୀର୍ଘ ସମୟ ଯାଏଁ ବୈଠକ କରିଥିଲେ । ବୈଠକରେ ବିମାନ ଚଳାଚଳରେ ବାଧା, ଯାତ୍ରୀଙ୍କୁ ଟଙ୍କା ଫେରସ୍ତ ଏବଂ ବିମାନ କମ୍ପାନିର ଦାୟିତ୍ୱ ଉପରେ ଆଲୋଚନା କରାଯାଇଥିଲା । ସରକାର ବିମାନ କମ୍ପାନିକୁ ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବା ଏବଂ ଯାତ୍ରୀମାନଙ୍କୁ ତୁରନ୍ତ ଟଙ୍କା ଫେରସ୍ତ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।