ତୁର୍କୀକୁ ମହଙ୍ଗା ପଡ଼ିଲା ପାକିସ୍ତାନ ପ୍ରୀତି, ୨୨,୦୦୦ କୋଟି ଟଙ୍କାର ଝଟକା ଦେଲା ଭାରତ

Published By : Prameya-News7 Bureau | April 12, 2024 IST

ନୂଆଦିଲ୍ଲୀ: କାଶ୍ମୀର ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ପାକିସ୍ତାନ ପରି ଦେଶଙ୍କ ସମର୍ଥନ କରୁଥିବା ତୁର୍କୀକୁ ଭାରକ ଏକ ବଡ଼ ଝଟକା ଦେଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ନୌସେନାର ଜାହାଜ ପାଇଁ କାମ କରୁଥିବା ତୁର୍କୀ କମ୍ପାନି ସହ ଚୁକ୍ତି ଶେଷ କରିଛି । ଭାରତର ଏହି ପଦକ୍ଷେପ ପରେ ତୁର୍କୀକୁ ବଡ଼ ଆର୍ଥିକ କ୍ଷତି ସହିବାକୁ ପଡ଼ିବ । ଜାହାଜକୁ ଏବେ ସମ୍ପୂର୍ଣ୍ଣ ରୂପେ ଭାରତରେ ନିର୍ମାଣ କରାଯିବ । ଏବଂ ଏଥିପାଇଁ ହିନ୍ଦୁସ୍ତାନ ଶିପୟାର୍ଡ ଲିମିଟେଡକୁ ଠିକା ଦିଆଯାଇଛି । ପାଞ୍ଚ ଫ୍ଲିଟ୍ ସପୋର୍ଟ ଜାହାଜ ମଧ୍ୟରୁ ପ୍ରମଥର ଷ୍ଟିଲ-କଟିଂ ସମାରୋହ ପ୍ରତିରକ୍ଷା ସଚିବ ଗିରିଧର ଅରମାନେଙ୍କ ଉପସ୍ଥିତିରେ ବିଶାଖପଟନମରେ ଆୟୋଜନ କରାଯାଇଥିଲା । ଗତ ବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ମାମଲାର କ୍ୟାବିନେଟ କମିଟି ପାଞ୍ଚଟି ବଡ଼ ଆକାରର ନୌସନିକ ଜାହାଜ ନିର୍ମାଣ ପାଇଁ ପ୍ରାୟ ୨୨,୦୦୦ କୋଟି ଟଙ୍କାର ଚୁକ୍ତିକୁ ମଞ୍ଜୁରୀ ଦେଇଥିଲା ।

ପ୍ରତିରକ୍ଷା ଅଧିକାରୀ ନ୍ୟୁଜ ଏଜେନ୍ସି ଏଏନଆଇକୁ କହିଛନ୍ତି, ଏଚଏସଏଲ ଡିଜାଇନ ପରାମର୍ଶ ପାଇଁ ଏକ ତୁର୍କୀ ଫାର୍ମ ସହ ବୁଝାମଣା କରିଥିଲା, କିନ୍ତୁ ସିସିଏ ଦ୍ୱାରା ଚୁକ୍ତିକୁ ମଞ୍ଜୁରୀ ଦିଆଯିବା ପୂର୍ବରୁ ହିଁ ଏହାକୁ ରଦ୍ଦ କରାଯାଇଥିଲା । ତୁର୍କୀ କମ୍ପାନିକୁ ବାଦ ଦିଆଯିବା ଅନେକ ଉଦାହରଣର ପୃଷ୍ଠଭୂମି ପରେ ଆସିଛି, ଯେଉଁଠି ତୁର୍କୀ ବୈଶ୍ୱିକ ମଞ୍ଚରେ, ଖାସକରି କାଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଆସୁଥିଲା । ଏଚଏସଏଲ ଏବେ ଜାହାଜ ପାଇଁ ଡିଜାଇନର କାମ ନିଜେ କରୁଛି ଏବଂ ଡିଜାଇନ ପରାମର୍ଶ ପାଇଁ କୋଚି ସ୍ଥିତ ଏକ କମ୍ପାନିର ସହଯୋଗ ନେଉଛି । ଅଧିକାରୀମାନେ କହିଛନ୍ତି ଯେ କୋଚି ସ୍ଥିତ କମ୍ପାନି ଜାହାଜ ପରିଯୋଜନା ଉପରେ କୋଚିନ ଶିପୟାର୍ଡ ଲିମିଟେଡ ପରି ଅନ୍ୟ ସରକାରୀ ଶିପୟାର୍ଡ ସହ କାମ କରିଛି ।

ପାଞ୍ଚ ଫ୍ଲିଟ୍ ସପୋର୍ଟ ଜାହାଜ କିଣିବା ପାଇଁ ଏଚଏସଏଲ ସହ ଏକ ବୁଝାମଣା ୨୦୨୩ ଅଗଷ୍ଟରେ କରଯାଇଥିଲା । ଏହି ସବୁ ଜାହାଜ ୨୦୨୭ ସୁଦ୍ଧା ଭାରତୀୟ ନୌସେନାକୁ ମିଳିବା ନେଇ ସ୍ଥିର କରାଯାଇଛି । ନୌସେନାରେ ସାମିଲ ହେବା ପରେ ଫ୍ଲିଟ୍ ସପୋର୍ଟ ଜାହାଜ ଭାରତୀୟ ନୌସେନାର ବ୍ଲୁ ୱାଟର କ୍ଷମତାକୁ ବଢାଇବ । ୪୦ ହଜାର ଟନରୁ ଅଧିକ ଜିନିଷ ନେବାରେ ସକ୍ଷମ ଜାହାଜ, ଇନ୍ଧନ, ପାଣି, ଗୋଳା-ବାରୁଦ ନେବ । ଏହାଦ୍ୱାରା ବନ୍ଦରକୁ ନଫେରି ଦୀର୍ଘ ସମୟ ଯାଏ ପରିଚାଳନା ସମ୍ଭବ ହୋଇପାରିବ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.