ହିମାଚଳ ପ୍ରଦେଶର ଘାଟିକୁ ଓଲଟିଲା ଯାତ୍ରୀବାହୀ ବସ୍‌; ୫ ମୃତ, ଅନେକ ଆହତ

Published By : Prameya-News7 Bureau | July 24, 2025 IST

ନୂଆଦିଲ୍ଲୀ ୨୪।୦୭; ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ବସ୍ ଦୁର୍ଘଟଣା ଘଟିଛି। ଗୁରୁବାର ସକାଳେ ସରକାଘାଟ ଉପଖଣ୍ଡର ମସେରନ୍ ଅଞ୍ଚଳରେ ହିମାଚଳ ସଡ଼କ ପରିବହନ ନିଗମ (HRTC)ର ଏକ ବସ୍ ନିୟନ୍ତ୍ରଣ ହରାଇ ଗଭୀର ଘାଟିକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ଯୁବ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଅଛି ବୋଲି କୁହାଯାଉଛି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା, ଜଣେ ଯୁବ ଏବଂ ଜଣେ ପୁରୁଷ ଅଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବସ୍‌ଟି ମସେରନ୍ ରୁ ସରକାଘାଟ ଅଭିମୁଖେ ଆସୁଥିଲା । ହଠାତ୍‌ ଘାଟି ବୁଲାଣି ମୋଡ଼ରେ ପହଞ୍ଚିବା ମାତ୍ରେ ଡ୍ରାଇଭର ବସ୍‌କୁ ନିୟନ୍ତ୍ରଣ କରିପାରିଲେ ନାହିଁ। ବସ୍‌ଟି ସିଧା ଘାଟି ତଳକୁ ଓଲଟି ପଡିଥିଲା। ଦୁର୍ଘଟଣାର ଖବର ପାଇବା ମାତ୍ରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଶାସନ ଏବଂ ପୋଲିସ ଦଳ ମଧ୍ୟ କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ତୁରନ୍ତ ଆମ୍ବୁଲାନ୍ସ ସେବା ସେଠାରେ ପହଞ୍ଚି ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ସିଭିଲ୍ ହସ୍ପିଟାଲ୍କୁ ଅଣାଯାଇଛି। ଦୁର୍ଘଟଣା ଖବର ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। SDM ସରକାଘାଟ ଏବଂ DSP ସରକାଘାଟ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ଅଧିକାରୀ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପରେ ହିଁ ଦୁର୍ଘଟଣାର କାରଣ ଜଣାପଡିବ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.