ଡ୍ୟୁଟି କରିବାକୁ ନଈ ଡେଇଁ ଯାଉଛନ୍ତି ନର୍ସ , ଭିଡ଼ିଓ ଭାଇରାଲ

Published By : Prameya-News7 Bureau | August 23, 2025 IST

ଶିମଳା : ହିମାଚଳ ପ୍ରଦେଶରେ ବର୍ଷା ତାଣ୍ଡବ ରଚିଛି। ନଈ-ନାଳରେ ଖୁବ୍‌ ଜଳ ପ୍ରବାହିତ ହେଉଛି। ଅନେକ ଅଞ୍ଚଳରେ ପୋଲ ଓ ରାସ୍ତା ଭାଙ୍ଗି ଭାସି ଯାଇଛି। ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ପାଲଟିଛି। ଏହି ମଧ୍ୟରେ ମଣ୍ଡି ଜିଲ୍ଲାର ଚୌହାରଘାଟୀରୁ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍‌ ଜୋରରେ ଭାଇରାଲ ହେଉଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଭିଡ଼ିଓରେ ଷ୍ଟାଫ୍‌ ନର୍ସ କମଳା ଜଳଭର୍ତ୍ତି ନଈକୁ ପଥର ଉପରେ ଡ଼େଇଁ ପାର ହେବାର ନଜର ଆସିଛି। 

ମଣ୍ଡି ଜିଲ୍ଲାର ଚୌହାରଘାଟୀର ସୁଧାର ପଞ୍ଚାୟତରେ ନିଯୁକ୍ତ ଷ୍ଟାଫ୍‌ ନର୍ସ କମଳା ଟିକ୍କର ଗାଁରେ ରୁହନ୍ତି। କମଳା କୁହନ୍ତି ତାଙ୍କୁ ପ୍ରତିଦିନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁଧାରରେ ଡ୍ୟୁଟି କରିବାକୁ ହୋଇଥାଏ। କିନ୍ତୁ ପ୍ରବଳ ବର୍ଷାରେ ଅଞ୍ଚଳର ଛଅ ଫୁଟ ବ୍ରିଜ୍‌ ବହି ଯାଇଛି। ଯେଉଁଥିରେ ପ୍ରତିଦିନ ଡ୍ୟୁଟିକୁ ଯିବା ମୁସ୍କିଲ ହୋଇ ଯାଇଛି। ଏମିତି ସ୍ଥିତିରେ କମଳା ଜୀବନକୁ ଖାତିର ନକରି ନଈରେ ଜୋର ପ୍ରବାହିତ ଜଳସ୍ରୋତକୁ ଡ଼େଇଁ ପାରି ହେଉଛନ୍ତି ଏବଂ ସଠିକ୍ ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚୁଛନ୍ତି।

ତାଙ୍କୁ ଡ୍ୟୁଟି ପାଇଁ ପ୍ରତିଦିନ ପାଖାପାଖି ଚାରି କିଲୋମିଟରର ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି। କିନ୍ତୁ ସେ ଜୀବନକୁ ବିପଦରେ ପକାଇ ପ୍ରବଳ ଜଳସ୍ରୋତର ନାଳକୁ ଡ଼େଇଁ ପାର ହେଉଛନ୍ତି । ସେତେବେଳେ ଯାଇ ସେ ଠିକ୍ ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡ୍ୟୁଟି ପାଇଁ ପହଞ୍ଚି ଯାଉଛନ୍ତି।

ନିକଟରେ ପ୍ରବଳ ବର୍ଷା ଯୋଗୁଁ ଚୌହାରଘାଟୀର ସିଲହବୁଧାନୀ ଓ ତରସ୍ୱାଣ ପଞ୍ଚାୟତରେ ଖୁବ୍‌ କ୍ଷତି ହୋଇଛି। ଏଠାରେ ଅନେକ ସଡ଼କ ଓ ପୋଲ ବହି ଯାଇଛି।  ବାଧ୍ୟ ହୋଇ ଲୋକଙ୍କୁ ନଈ ନାଳ ଓ ଖାଲ ପାରି ହେବାକୁ ପଡ଼ୁଛି। ଏହି କାରଣରୁ କାମ କରୁଥିବା ଲୋକେ ମଧ୍ୟ ପ୍ରତିଦିନ ବିପଦର ସମ୍ମୁଖୀନ ହେବାକୁ ବାଧ୍ୟ ହେଉଛନ୍ତି।

ଉଲ୍ଲେଖନୀୟ ଯେ, ଏହି ମନସୁନ ସିଜନରେ ମଣ୍ଡି ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ଜିଲ୍ଲା ଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ। ଏଠାରେ ବାଦଲ ଫାଟିବା , ଭୂସ୍ଖଳନ ଓ ବନ୍ୟାରେ ଖୁବ୍‌ କ୍ଷୟକ୍ଷତି ହୋଇଛି। ଗତ ୩୦ଜିନର ରାତିରେ ପାଖାପାଖି ୧୨ ଟି ସ୍ଥାନରେ ବାଦଲ ଫାଟିବା ଘଟଣା ସବୁ ଘଟିଥିଲା। ନିକଟରେ  ସରାଜ ଅଞ୍ଚଳରେ ମଧ୍ୟ ଜଣେ ମହିଳା ଓ ପୁରୁଷ ନଈକୁ ପାରି ହେବା ସମୟରେ ଭାସି  ଯାଇଥିଲେ, ଯାହାଙ୍କୁ ପରେ ସୁରକ୍ଷିତ ଉଦ୍ଧାର କରାଯାଇ ଥିଲା, ଆଉ ଏକ ଘଟଣାରେ ଜଣେ ବ୍ୟକ୍ତଙ୍କର ମୃତ୍ୟୁ ମଧ୍ୟ ହୋଇ ସାରିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.