ଶିମଲା ୨୭।୭: ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାରେ ୩୦ ଜୁନ ରାତିରେ ବାଦଲ ଫଟା ବର୍ଷା ଯୋଗୁ ଆସିଥିବା ବନ୍ୟାରେ ମାତାପିତାଙ୍କୁ ହରାଇଥିବା ୧୦ ମାସର ଶିଶୁ କନ୍ୟାକୁ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ‘ଷ୍ଟେଟ୍ ଚାଇଲ୍ଡ’ ଘୋଷଣା କରିଛନ୍ତି। ଏ ନେଇ ସରକାରଙ୍କ ପକ୍ଷରୁ ଅଧିସୂଚନା ମଧ୍ୟ ଜାରି ହୋଇଛି। ମଣ୍ଡି ଜିଲ୍ଲାର ଚଚ୍ୟୋଟ ତହସିଲ ତଲବାଡା ପଞ୍ଚାୟତରେ ବାଦଲ ଫଟା ବର୍ଷାରେ ନିରାଶ୍ରୟ ହୋଇଥିବା ଶିଶୁ ନିତିକାକୁ ରାଜ୍ୟ ସରକାର ଆପଣେଇଛନ୍ତି।
ଏହି ପ୍ରାକୃତିକ ବିପର୍ଯ୍ୟୟରେ ନିତିକାର ପିତା ରମେଶ କୁମାର(୩୧)ଙ୍କର ମୃତ୍ୟୁ ହୋଇଥିବା ବେଳେ ତା ମା ରାଧା ଦେବୀ (୨୪) ଓ ଜେଜେମା ପୂର୍ଣ୍ଣୁ ଦେବୀ (୫୯) ଏବେବି ନିଖୋଜ ଅଛନ୍ତି। ବାଦଲଫଟା ବର୍ଷାରେ ଘରେ ପଶୁଥିବା ପାଣିକୁ ଅନ୍ୟ ଆଡେ ବାଟେଇବାକୁ ରମେଶ ଘରୁ ବାହାରକୁ ବାହାରିଥିଲେ। ଏହି ସମୟରେ ତାଙ୍କ ପତ୍ନୀ ଓ ମା ସହାୟତା ନିମନ୍ତେ ତାଙ୍କର ପଛେପଛେ ଯାଇଥିଲେ। ତେବେ ପାଣି ସୁଅରେ ସମସ୍ତ ୩ ଜଣ ଭାସି ଯାଇଥିଲେ। ଘରେ ଏକାକୀ ୧୦ ମାସର ଶିଶୁ କନ୍ୟା ନିତିକା ରହିଯାଇଥିଲା।
ପଡୋଶୀ ନିତିକା କାନ୍ଦୁଥିବାର ଦେଖି ତାକୁ ଉଦ୍ଧାର କରିଥିଲେ। ଡେପୁଟି କମିଶନର ଅପୂର୍ବ ଦେବଗନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖ୍ଖୁ ଙ୍କ ନିର୍ଦ୍ଦେଶାନୁସାରେ ପ୍ରାକୃତିକ ବିପର୍ଯ୍ୟୟରେ ଅନାଥ ହୋଇପଡିଥିବା ଶିଶୁଙ୍କ ସହାୟତା ନିମନ୍ତେ କଲ୍ୟାଣକାରୀ ଯୋଜନାର ଲାଭ ସୁନିଶ୍ଚିତ କରାଯାଇଛି। ସୁଖ ଆଶ୍ରୟ ଯୋଜନାରେ ନିତିକାକୁ ସରକାରଙ୍କ ପକ୍ଷରୁ ପ୍ରତି ମାସରେ ୪ ହଜାର ଟଙ୍କା ମିଳିବ। ଏଣୁ ଜୁଲାଇ ଓ ଅଗଷ୍ଟ ମାସ ନିମନ୍ତେ ଅଗ୍ରୀମ ଭାବେ ନିତିକାର ସଞ୍ଚୟ ଜମା ଯୋଜନା ଖାତାରେ ୮ ହଜାର ଟଙ୍କା ଜମା ହୋଇଯାଇଛି। ସରକାରଙ୍କ ଏହି ସହାୟତା ତାକୁ ୨୭ ବର୍ଷ ବୟସ ପର୍ଯ୍ୟନ୍ତ ମିଳିବ।
ସେହିପରି ରାଜସ୍ୱମନ୍ତ୍ରୀ ଜଗତ ସିଂହ ନେଗୀ ପ୍ରାକୃତିକ ବିପର୍ଯ୍ୟୟରେ ଅନାଥ ହୋଇଯାଇଥିବା କୁନି ନିତିକାକୁ ଷ୍ଟେଟ୍ ଚାଇଲ୍ଡ ଘୋଷଣା କରାଯାଇଥିବା ପୁଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ନିୟମ ଅନୁସାରେ ଶିଶୁକୁ ଏବେ ସଂରକ୍ଷଣ ମିଳିଯାଇଛି। ସେ କହିଛନ୍ତି ଯେ ଏହି ଶିଶୁ ଭବିଷ୍ୟତରେ ଯାହା ବି ପଢିବାକୁ ଚାହିଁବ ଓ ଡାକ୍ତର, ଇଞ୍ଜିନିୟର ଅଥବା ପ୍ରଶାସକ ହେବା ପାଇଁ ସରକାର ତାର ସବୁ ଆବଶ୍ୟକତା ପୂରଣ କରିବେ।
ଉଲ୍ଲେଖଯୋଗ୍ୟ ଯେ ହିମାଚଳ ପ୍ରଦେଶ ସରକାର ‘ଚିଲ୍ଡ୍ରେନ ଅଫ ଦି ଷ୍ଟେଟ୍’ ଯୋଜନା ବେସାହାର ପିଲାଙ୍କ ପାଇଁ ଆରମ୍ଭ କରିଛନ୍ତି। ଏହି ଯୋଜନାରେ ସରକାର ଏପରି ଶିଶୁଙ୍କ ଦେଖରେଖ କରିଥାନ୍ତି ଓ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। ଏଥି ପାଇଁ ପ୍ରତି ମାସରେ ସରକାରଙ୍କ ପକ୍ଷରୁ ପ୍ରତି ଶିଶୁ ୪ ହଜାର ଟଙ୍କା ଯୋଗାଇ ଦିଆ ଯାଇଥାଏ।