ମୋ ମାଆ ଶୋଇ ଯାଇଛି ଚିରନିଦ୍ରାରେ, ଆଉ ଫେରିବନି... ଏତିକି ପ୍ରାର୍ଥନା ସେ ଶାନ୍ତିରେ ରହୁ

NEWS7
high-profile-scam-archana-nag-and-another-one--hansita-abhilipsa

ଭୁବନେଶ୍ୱର : ମୋତେ ନିଦ ହୁଏନି ବୋଲି କୋଳରେ ଶୁଆଇ ଗୀତ ଗାଇ ଶୋଇ ପକାଉଥିଲା। ଆଜି ମୋ ମାଆ ଶୋଇ ଯାଇଛି... ସବୁଦିନ ପାଇଁ ଶୋଇଯାଇଛି...ଏମିତି ନିଦରେ ଶୋଇଛି ଯେ, ଆଉ ଉଠୁନି ମୋ ମାଆ ... ଏ ମାଆ ମୋତେ କିଏ ସ୍କୁଲ ପଠେଇବ... କିଏ ଖାଇବାକୁ ଦେବ... ନିଦ ନ ଆସିଲେ କିଏ ଶୁଆଇ ଦେବ। ରାତିରେ କେତେ କଥା ମେତେ କହିଥିଲା। ସକାଳୁ କହିଲା ମୁଁ ପୁରୀ ଯାଉଛି। ବଡ଼ କାମଟେ ଅଛି, ସାରିକି ଫେରିବି । ହେଲେ ଆଉ ଫେରିଲାନି... ସବୁଦିନ ପାଇଁ ମୋତେ ଛାଡ଼ି ଚାଲିଗଲା। ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି, ମୋ ମାଆ ଯେଉଁଠି ଥାଉ ଭଲରେ ଥାଉ, ଶାନ୍ତିରେ ଥାଉ। ଜୀବନରେ ସେ ବହୁତ କଷ୍ଟ ପାଇଲା। ପୁରୀରେ ଘର କିଣି ରହିବା ବୋଲି କହିଥିଲା। ଏବେ ସେ ପୁରୀରେ ଚିରନିଦ୍ରାରେ ଶୋଇ ଯାଇଛି। ଏମତି କେତେ କଥା ସବୁ ମନରେ ଚାଲୁଥିବା ଥିବା ବେଳେ ସେ ସବୁ ଛାତିରେ ଚାପି ରଖି ଖଇ କଉଡ଼ି ବିଞ୍ଚି ବଡ଼ଦାଣ୍ଡରେ ଚାଲିଛି କୁନି ପୁଅଟି। ଆଉ ମନରେ ଅସରନ୍ତି କୋହକୁ ଚାପି ରଖି କାନ୍ଦି କାନ୍ଦି ମାଆକୁ ଦେଇଛି ମୂଖାଗ୍ନୀ। ଏ ହୃଦୟବିଦାରକ ଦୃଶ୍ୟ ମନକୁ ଆନ୍ଦୋଳିତ କରି ପକାଉଛି। ବାର୍ ବାର୍ ଭଗବାନଙ୍କୁ ପ୍ରଶ୍ନ କରିବାକୁ ଇଚ୍ଛା ହେଉଛି ପ୍ରଭୁ କାହିଁକି ଏତେ ନିଷ୍ଠୁର ହେଲ। କୁନି ଛୁଆଟି କତା ବି ଟିକେ ଭାବିଲନି।

ପୁରୀରେ ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ପାର୍ଥିବ ଶରୀର। ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସମ୍ପନ୍ନ ହୋଇଛି। ଶୋକାକୁଳ ପରିବେଶ ମଧ୍ୟରେ ପୁଅ ବିଘ୍ନେଶ ପଟ୍ଟନାୟକ ମୁଖାଗ୍ନି ଦେଇଛନ୍ତି। ତେବେ ଶିଲା ପଟ୍ଟନାୟକଙ୍କ ଶେଷ ଦର୍ଶନ ପାଇଁ ସ୍ବର୍ଗଦ୍ବାରରେ ତାଙ୍କର ସମ୍ପର୍କୀୟ, ପରିବାର ଲୋକେ, ନ୍ୟୁଜ7ର ସମ୍ପାଦକ ଦେବ ନାରାୟଣ ସେଠୀ, ପୁରୀ ନ୍ୟୁଜ7 ର ବ୍ୟୁରୋ ଚିଫ ଚିତ୍ତରଞ୍ଜନ ମହାନ୍ତି, ଚନ୍ଦ୍ରଶେଖର ପାତ୍ର, ନିରଞ୍ଜନ ସାହୁ, ଅବିନାଶ ଦାସ, ଲକ୍ଷ୍ମୀଧର ମହାପାତ୍ର, ରବିନ୍ଦ୍ର ସାମଲ, ମଧୂସୁଦନ ମିଶ୍ର, ରାଜଶ୍ରୀ ସାହୁ, ପ୍ରତୀକ ଆଦିତ୍ୟ, ସୁଦର୍ଶନ ବାରିକ, ରୀତିକ ବିଶ୍ବାଳଙ୍କ ସହିତ ଅନ୍ୟାନ୍ୟ ସହଯୋଗୀ ମାନେ ଉପସ୍ଥିତ ଥିଲେ।

ମଙ୍ଗଳବାର ପିପିଲି ମଙ୍ଗଳପୁର ନିକଟରେ ବସ୍ ଧକ୍କାରେ ଶିଲା ପଟ୍ଟନାୟକଙ୍କ ସହିତ ତାଙ୍କର ଅନ୍ୟ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଶିଲା ପଟ୍ଟନାୟକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟାନ୍ୟ ମନ୍ତ୍ରୀମାନେ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଘୋଷଣା ହୋଇଛି ୪ଲକ୍ଷ ଟଙ୍କା ଅନୁକମ୍ପା ରାଶି।

ଶିଲା ପଟ୍ଟନାୟକ ଜଣେ ଦକ୍ଷ ଏବଂ ସଚ୍ଚୋଟ ସାମ୍ବାଦିକା ଥିଲେ। ସାମ୍ବାଦିକ ଜଗତରେ ଶିଲା ପଟ୍ଟନାୟକ ଏକ ମାଇଲଖୁଣ୍ଟ ସୃଷ୍ଟି କରି ଥିଲେ। ତାଙ୍କ ଭଳି ଜଣେ ଦକ୍ଷ ସାମ୍ବାଦିକାଙ୍କୁ ହରାଇ ସମସ୍ତେ ମର୍ମାହତ ଏବଂ ଦୁଃଖିତ। ବିଶ୍ୱାସ ହେଉନି କି ଏହାକୁ ସହଜରେ ଗ୍ରହଣ କରି ହେଉନି। ଆଜି ନ୍ୟୁଜ ସେଭେନ୍ ଏକ ଭିନ୍ନ ନୀରବତା... ଅଫିସ୍, କ୍ୟାମେରା , ସେ ଧରୁଥିବା ବୁମ୍ ଓ ତାଙ୍କ ସହକର୍ମୀ ତାଙ୍କୁ ଝୁରି ହେଉଛନ୍ତି। ତୁମ ଅନୁପସ୍ଥିରେ ତୁମ ଗୁରୁତ୍ୱକୁ ସମସ୍ତେ ଅନୁଭବ କରୁଛନ୍ତି। ତୁମକୁ ଭୁଲିବା ତ କଷ୍ଟକର ... କିନ୍ତୁ ଶେଷରେ ଏତିକି କହି ପାରିବୁ ଯେଉଁଠି ଥାଅ ଭଲରେ ଥାଅ...We Miss you