୫୫ ଦିନ ହେଲା କୋମାରେ ଥିଲା ୮ ବର୍ଷର ଚୁକ୍ସି, ଚମତ୍କାର କରିଦେଲା କୁନି ବାନ୍ଧବୀର ଗୋଟିଏ ଡାକ , ଆଖିରୁ ଲୁହ ଖସାଇ ଦେବ ଏ ସତ କାହାଣୀ

NEWS7
high-court-verdict-on-rera-new-law

ନୂଆଦିଲ୍ଲୀ: ଗୋଟିଏ ଦୁର୍ଘଟଣା ସବୁ ବିଗାଡ଼ି ଦେଲା... ଖେଳିଲା କୁଦିଲା ବୟସକୁ ଶଯ୍ୟାସାୟୀ କରିଦେଲା...ଡାକ୍ତର କହିଲେ, ମ୍ୟାଡମ୍... ଆପଣଙ୍କ ପିଲା କୋମାରେ ଚାଲିଗଲା... କେଜାଣେ ସେ ଆଉ ଭବିଷ୍ୟତରେ କେବେ ଉଠିବ କି ନାହିଁ...?

ଅସ୍ଥିର ବୟସକୁ ସ୍ଥିର କରିଦେଲା କୋମା। ଦୀର୍ଘ ୫୫ ଦିନ କୋମାରେ ପଡ଼ି ରହିଲା ୮ ବର୍ଷର କଅଁଳ ପିଲା ଲିଉ ଚୁକ୍ସି। ହେଲେ ଏତିକି ବେଳେ କାନରେ ପଡ଼ିଲା ଖୁବ୍ ସ୍ନେହଁଭରା ଡାକ....। ଝିଅଟି କହୁଛି.... ଚୁକ୍ସି ୱି ମିସ୍ ୟୁ...ଏ ଚୁକ୍ସି ତୁ ମୋତେ ଶୁଣିପାରୁଛୁ ନା.. ଯଦି ଶୁଣୁଛୁ ଏବେ ଆଖି ଖୋଲ...ପରୀକ୍ଷ ପାଖେଇ ଆସିଲାଣି। ଆଉ ମୁଁ ତୋତେ ଅପେକ୍ଷା କରିଛି ତୁ ଆସିଲେ ସାଂଗ ହେଇ ପଢ଼ିବ। ବାସ ଏହି ଗୋଟିଏ ଡାକ.... ଧୀରେ ଧୀରେ ଆଖି ଖୋଲିଲା ଚୁକ୍ସି... ସ୍ଥିର ହୋଇ ପଡ଼ି ରହିଥିବା ହାତ ଦୁଇଟି ହଠାତ୍ ଅସ୍ଥିର ହୋଇ ଉଠିଲା....।

ନାଁ... ଏହା କେଉଁ ସିନେମାର କାହାଣୀ ନୁହେଁ, କି କେଉଁ ଗାଳ୍ପିକର ଗଳ୍ପ ନୁହେଁ। ଏହା ସମ୍ପୂର୍ଣ୍ଣ ସତ ଘଟଣା। ଆପଣ ଉପରେ ଯାହାସବୁ ପଢ଼ିଲେ ସବୁ ସତ। ପୂରା କାହାଣୀ ଜାଣି ସାରିବା ପରେ ଆପଣଙ୍କ ଆଖିରୁ ଲୁହ ଝରି ଆସିବ।

ଘଟଣା ସେଣ୍ଟ୍ରାଲ ଚାଇନାର ହୁନାନ ରାଜ୍ୟରେ ଘଟିଛି। ଚୀନ ଖବର କାଗଜ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ, ୮ ବର୍ଷର ଲିଉ ଚୁକ୍ତି ଏକ ଦୁର୍ଘଟଣାର ଶିକାର ହେବା ପରେ କୋମାରେ ଚାଲିଯାଇଥିଲେ। ନା ଆଖି ଖୋଲୁଥିଲେ, ନା ହାତ ଗୋଡ଼ ବି ହଲୁଥିଲା। ଗତବର୍ଷ ନଭେମ୍ବର ଶେଷରେ ଘଟିଥିବା ଦୁର୍ଘଟଣା ଲୁଇଙ୍କୁ ସବୁଦିନ ପାଇଁ ଶଯ୍ୟାସାୟୀ କରିଦେଲା। ହେଲେ ସାଙ୍ଗମାନଙ୍କ ଭିଡିଓ ମେଲେଜ୍, ସାରଙ୍କ ଥଟା ମଜା ଲୁଇଙ୍କ ଜୀବନରେ ଏକ ଚମକ୍ତାର ଆଣି ଦେଇଛି। ଲିଉ ତାଙ୍କ ଚେତା ଫେରି ପାଇଛନ୍ତି।

ଗତ ନଭେମ୍ବର ମାସରେ ଏକ ଦୁର୍ଘଟଣାର ଶିକାର ହୋଇ ଲିଉ କୋମାକୁ ଚାଲିଯାଇଥିଲେ। ଖବରକାଗଜ ଦ ପେପର ରିପୋର୍ଟ ଅନୁସାରେ, ଦୁର୍ଘଟଣାରେ ଲୁଇଙ୍କର ସିଭିୟର ବ୍ରେନ୍ ଡେମେଜ୍ ଓ ଫୁସଫୁସରେ ଗମ୍ଭୀର ଆଘାତ ଲାଗିଥିଲା। ଡାକ୍ତର କହିଲେ, ଲିଉ ଆଉ ଜୀବନରେ କେବେ ଉଠି ପାରିବେ ଓ ଚାଲିପାରିବେ ଏ ଆଶା ଆଉ ଦେଖାଯାଉ ନାହିଁ।

ଡାକ୍ତରଙ୍କ ଏଭଳି ଭୟଙ୍କର ଭବିଷ୍ୟବାଣୀ ପରେ ଲିଉଙ୍କ ମାଆ ଡରି ଯାଇଥିଲେ ସତ ହେଲେ ହାର ମାନି ନଥିଲେ। କୁନିପୁଅକୁ ନେଇ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା...ବିଶେଷଜ୍ଞ ପରେ ବିଶେଷଜ୍ଞଙ୍କୁ ଦେଖାଇ ଚାଲିଥିଲେ। ଏହି ସମୟରେ ଲୁଇଙ୍କ ମାଆଙ୍କୁ ଜଣେ ଡାକ୍ତର କିଛି ପରାମର୍ଶ ଦେଇ କହିଥିଲେ, ଲିଉଙ୍କ ପରିଚିତ ଶବ୍ଦ କିମ୍ବା ପ୍ରିୟ ସଙ୍ଗୀତ ମସ୍ତିଷ୍କର ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡ଼ିକୁ ଉତ୍ତେଜିତ କରିପାରେ ଏବଂ ସମ୍ଭବତଃ ଆରୋଗ୍ୟରେ ସାହାଯ୍ୟ କରିପାରେ।

ସ୍କୁଲ୍ର ସ୍ମୃତି ଲୁଇଙ୍କ ଜୀବନରେ ଚମତ୍କାର ଆଣିଦେଲା।

ଡାକ୍ତରଙ୍କ ପରାମର୍ଶ ମାନି ଲିଉଙ୍କ ମାଆ ସ୍କୁଲର ୱେକ୍ ଅପ ମ୍ୟୁଜିକ, ଏବଂ ସକାଳ ଏକ୍ସରସାଇଜ୍ ଟ୍ୟୁନ୍କୁ ସଂଗ୍ରହଣ କରି ପ୍ରତିଦିନ ତାଙ୍କ ବେଡ୍ ନିକଟରେ ବଜାଉଥିଲେ। ଘଟଣା ବିଷୟରେ ଜାଣିବା ପରେ ଲିଉଙ୍କ ଶିକ୍ଷକ ତାଙ୍କ ସହପାଠୀଙ୍କୁ ଏକତ୍ର କରି ଲିଉଙ୍କ ପାଇଁ ଛୋଟ କିନ୍ତୁ ଭାବପ୍ରବଣଭରା ଭିଡିଓ ବାର୍ତ୍ତା ରେକର୍ଡ କରିଥିଲେ। ଏବଂ ଲିଉଙ୍କ ମାଆଙ୍କ ପାଖକୁ ପଠାଇଥିଲେ।

ଏହି ଭିଡିଓରେ ଲିଉଙ୍କର ଜଣେ ସାଂଗ କହୁଛନ୍ତି “ ଚୁକ୍ସି ଶୀଘ୍ର ଉଠ। ଚାଲ ଦୁହେଁ ମିଶି ଫୁଟବଲ ଖେଳିବା।” ଅନ୍ୟ ଜଣେ ଝିଅ କହୁଛନ୍ତି “ ଚୁକ୍ସି ଆମେ ତୋତେ ମିସ୍ କରୁଛୁ। ଯଦି ତୁ ଆମକୁ ଶୁଣିପାରୁଛୁ.. ତାହାଲେ ଦୟାକରି ତୋ ଆଖି ଖୋଲ। ପରୀକ୍ଷା ପାଖେଇ ଆସୁଛି। ଆମେ ସମସ୍ତେ ତୋତେ ଅପେକ୍ଷା କରିଛୁ ସାଂଗ ହେଇ ପଢ଼ିବୁ ବୋଲି।” ଏସସିଏମ୍ପିର ରିପୋର୍ଟ ଅନୁସାରେ, ଭିଡିଓରେ ଅନ୍ୟ ପିଲା ଲିଉଙ୍କ ଫେବରେଟ ଗୀତ ବି ଗାଇଥିଲେ। ସେହିଭଳି ଆଉ କିଛି ସାଂଗ ମଜାଳିଆ ଚୁଟକୁଲା ଶୁଣାଇଥିଲେ। ଲିଉଙ୍କ ମାଆ ମଧ୍ୟ ତାଙ୍କ ଶିକ୍ଷକଙ୍କଠାରୁ ଗଣିତ ପାଠର ରେକର୍ଡିଂ କରାଇ ଡାକ୍ତରଖାନାରେ ପୁଅକୁ ଶୁଣାଇଥିଲେ। କିଛି ସମୟ ପାଇଁ ହସ୍ପିଟାଲଟା ଏକ ସ୍କୁଲ ପାଲଟିଯାଇଥିଲା।

ଘଟିଲା ଚମତ୍କାର... ହସିଲା ଲିଉ

ଲିଉଙ୍କ ଚେତା ଫେରାଇବା ପାଇଁ ତାଙ୍କ ମାଆ ପ୍ରତିଦିନ ଚେଷ୍ଟା ଜାରି ରଖିଥିଲେ। ହେଲେ ଏବେ ତାଙ୍କ ପରିଶ୍ରମ ଧୀରେ ଧୀରେ ସଫଳ ହେଉଛି। ୪୫ ଦିନ କୋମାରେ ରହିବା ପରେ, ଲିଉ ତାଙ୍କ ଆଖିପତା ହଲାଇଥିଲେ। ଯାହା ଦେଖି ତାଙ୍କ ମାଆଙ୍କର ଖୁସିର ସୀମା ରହିଲା ନାହିଁ। କିଛି ଦିନ ପରେ ଲିଉ ଯେତେବେଳେ ତାଙ୍କ ଗଣିତ ଶିକ୍ଷକଙ୍କ ସ୍ୱର ଶୁଣିଲେ ସେତେବେଳେ ଓଠ ଚାପି ହସିବାକୁ ଲାଗିଲେ। ଆଉ କୋମାର ୫୫ ଦିନ ପରେ ଶେଷରେ ଚେତା ଫେରି ପାଇଥିଲେ ଲିଉ ଏବଂ ବାଁ ହାତକୁ ହଲାଇଥିଲେ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଲିଉଙ୍କୁ ସୁସ୍ଥ କରିବା ପାଇଁ କେବଳ ତାଙ୍କ ମାଆ ନୁହେଁ, ତାଙ୍କ ଶିକ୍ଷକ ଓ ସାଂଗମାନେ ଯେମିତି ପୂରା ଜୀବନ ଦେଇ ଲାଗିପଡ଼ିଥିଲେ। ୫୫ ଦିନ ପରେ ଲିଉ ପ୍ରତିକ୍ରିୟା ଦେଇଥିବା ଶୁଣି ତାଙ୍କ ଶିକ୍ଷକ ଲିଉଙ୍କ ସାଂଗମାନଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଥିଲେ। ସାଂଗରେ ନେଇଥିଲେ ଖେଳଣା, ହାତ ତିଆରି କାର୍ଡ। ଶିକ୍ଷକ ମଜାରେ ମଜାରେ କହିଥିଲେ ସେ ଆଉ ଲିଙ୍କୁ ହୋମୱାର୍କ ଦେବେ ନାହିଁ। ଶିକ୍ଷକଙ୍କ କଥା ଶୁଣି ଲିଉ ପ୍ରତିକ୍ରିୟା ଦେବାକୁ ଚେଷ୍ଟା କରିଥିଲା। ମୁଚକି ହସିବା ସହ ହାତ ହଲାଇଥିଲା।

ଲିଉଙ୍କ ଘଟଣା ଅନ୍ୟ ପରିବାର ପାଇଁ ଆଶାର ଆଲୋକ

ଏହି ଘଟଣାକୁ ଲିଉଙ୍କ ମାଆ ଜୀବନରେ ଏକ ବଡ଼ ପରିବର୍ତ୍ତନ ବୋଲି କହିଛନ୍ତି। କଳା ବାଦଲ ଉହାଡ଼ରେ ଶେଷରେ ମୁଁ ମୋ ପୁଅକୁ ଦେଖିବାକୁ ପାଇଲି। ସତରେ ଏହା ଚମତ୍କାର ଥିଲା ବୋଲି ଲିଉଙ୍କ ମାଆ କହିଛନ୍ତି। ପୁଅ ଏବେ ଧୀରେ ଧୀରେ ଶୁସ୍ଥ ହେଉଛି। ଆଉ ଲିଉଙ୍କ ମାଆଙ୍କ ମନରେ ଆଶା ସଂଚାର ହେଉଛି। ଆଉ ଏସବୁ ପାଇଁ ସେ ଡାକ୍ତର ଟିମ୍ ଓ ତାଙ୍କ ସାଂଗମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏବଂ କହିଛନ୍ତି ମୁଁ ଆଶା କରୁଛି ମୋ ପୁଅର ଘଟଣା ଅନ୍ୟ ପରିବାରକୁ ଏକ ବି ଆଶା ଦେବ, ଯେଉଁମାନେ ଏଭଳି ସଂକଟରେ ବୁଡ଼ିଛନ୍ତି। ରିପୋର୍ଟ ଅନୁଯାୟୀ ଲିଉଙ୍କ ସ୍ୱାସ୍ଥ୍ୟାବସ୍ଥାରେ କ୍ରମାଗତ ଉନ୍ନତି ହେଉଛି। ଯଦିଓ ତାଙ୍କୁ ସୁସ୍ଥ ହେବାକୁ ଏକ ଲମ୍ବା ସମୟ ଲାଗିପାରେ ବୋଲି ଡାକ୍ତରମାନେ ଅନୁମାନ କରୁଛନ୍ତି।

.