ଗୋଟିଏ ଓଭରରେ ୧୬ ରନ୍, ପ୍ରସିଦ୍ଧଙ୍କ ଉପରେ ରାଗିଗଲେ ରୋହିତ, କହିଲେ…

NEWS7
high-alert-in-jk-bihar-and-punjab-in-wake-of-intel-about-possible-terror-attack-bihar-chief-minister-holds-high-level-meet

ରାୟପୁର, ୦୪ /୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆରେ ପରାସ୍ତ ହୋଇଛି ଭାରତ । ଦଳ ବିଶାଳ ସ୍କୋର କରିଥିଲେ ମଧ୍ୟ ଦୁର୍ବଳ ବୋଲିଂ ଏବଂ ଫିଲ୍ଡିଂ କାରଣରୁ ମୁକାବିଲା ହାରି ଯାଇଥିଲା । ୩୫୯ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଶେଷ ଓଭରରେ ମ୍ୟାଚ୍ ଜିତିନେଇଥିଲା ।

ମୁକାବିଲାରେ ସବୁଠୁ ଖରାପ ପ୍ରଦର୍ଶନ କରିଥିଲେ ଭାରତୀୟ ବୋଲର । ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଅଧିକ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ । ସେ ୮ ଓଭର ବୋଲିଂ କରି ୮୫ ରନ୍ ବ୍ୟୟ କରିଥିଲେ । ଯାହା ଦଳର ପରାଜୟ ପାଇଁ ଅନେକ ମାତ୍ରାରେ ଦାୟୀ । ଏପରିକି ମ୍ୟାଚରେ ଭାରତୀୟ ଦଳର ସିନିୟର ଖେଳାଳି ବୋଲର ପ୍ରସିଦ୍ଧଙ୍କ ଉପରେ ଖୁସି ନଥିବା ଦେଖିବାକୁ ମିଳିଥିଲା ।

ମୁକାବିଲାର ୩୭ତମ ଓଭରରେ ବୋଲିଂ କରିବାକୁ ଆସିଥିଲେ ପ୍ରସିଦ୍ଧ । ପ୍ରଥମ ବଲରେ ଦକ୍ଷିଣ ଆଫ୍ରିକା ବ୍ୟାଟର ଡିଓ୍ୱେଡ୍ ବ୍ରେଭିସ୍ ବିଶାଳ ଛକା ମାରିଥିଲେ । ଛକା ପରେ ଏକ ନୋ ବଲ ହୋଇଥିଲା । ଏହାପରେ ସେ ଓ୍ୱାଇଡ୍ ଏବଂ ନୋ ବଲ ଦେଇଥିଲେ । ଗୋଟିଏ ବଲରୁ ହିଁ ଦକ୍ଷିଣ ଆଫ୍ରିକା ୧୦ ରନ୍ ହାସଲ କରିନେଇଥିଲା । ଏହାର ଦୁଇଟି ବଲ୍ ପରେ ବ୍ରେଭିସ୍ ଏକ ଚଉକା ମାରିଥିଲେ । ଏପରି ଭାବେ ସେ ୧୬ ରନ୍ ବ୍ୟୟ କରିଥିଲେ ।

ତେବେ ପ୍ରସିଦ୍ଧଙ୍କ ଏପରି ବୋଲିଂ ଦେଖି ରାଗିଯାଇଥିଲେ ରୋହିତ ଶର୍ମା । ସେ ପ୍ରସିଦ୍ଧଙ୍କ ପାଖକୁ ଯାଇ ରାଗି ମୁଡରେ କିଛି କହିଥିଲେ । ଏହି ସମୟରେ ହର୍ଷିତ ରାଣା ମଧ୍ୟ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଅଧିକ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ ମଧ୍ୟ ପ୍ରସିଦ୍ଧ ଦୁଇଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ । କିନ୍ତୁ ତାହା ଭାରତକୁ ବିଜୟ କରିପାରିନଥିଲା । ଫଳରେ ଟିମ୍ ଇଣ୍ଡିଆ ୪ ଓ୍ୱିକେଟରେ ପରାସ୍ତ ହୋଇଥିଲା ।