ଷ୍ଟ୍ରେଟ୍ ଅଫ୍ ହରମୁଜ ଜଳପଥ ବନ୍ଦ କରିପାରିବନି ଇରାନ: ବିଶେଷଜ୍ଞ କହିଲେ, ଏଥିରେ ଅଧିକ କ୍ଷତି ତେହେରାନର

Published By : Prameya-News7 Bureau | June 14, 2025 IST

indiatoday

ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଉଭୟ ପକ୍ଷରୁ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରହିଛି। ଦୁଇ ରାଷ୍ଟ୍ର ଯୁଦ୍ଧ ମଧ୍ୟରେ ସାରା ବିଶ୍ୱକୁ ଚିନ୍ତା ଘାରିଛି ଇରାନର ଷ୍ଟ୍ରେଟ୍ ଅଫ୍‌ ହରମୁଜ୍‌ ଜଳପଥକୁ ନେଇ। ଏହା ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ରପ୍ତାନୀ ମାର୍ଗ ମଧ୍ୟରୁ ଗୋଟିଏ।

ପର୍ସିଆନ୍ ଉପସାଗରକୁ ଆରବ ସାଗର ସହିତ ସଂଯୋଗ କରୁଥିବା ହର୍ମୁଜ୍ ଜଳପଥ ଦେଇ ପ୍ରତିଦିନ ପ୍ରାୟ ୨୦ ନିୟୁତ ବ୍ୟାରେଲ ତୈଳ ଏବଂ ତୈଳ ଉତ୍ପାଦ ଆମଦାନୀ ଓ ରପ୍ତାନୀ କରାଯାଉଛି। ଯାହା ବିଶ୍ୱ ତୈଳ ପରିବହନର ପ୍ରାୟ ଏକ-ପଞ୍ଚମାଂଶ ଭାଗ। ତେଣୁ ଏହି ଜଳପଥକୁ ଇରାନ ଅବରୋଧ କଲେ ବିଶ୍ୱ ଏନର୍ଜି ମାର୍କେଟ୍‌ରେ ଭୟଙ୍କର ଝଡ଼ ସୃଷ୍ଟି ହେବ। ବିଶ୍ୱ ବଜାର ମହଙ୍ଗା ହୋଇଯିବା ସହ ଅର୍ଥନୀତି ଦୁର୍ବଳ ହୋଇଯିବ।   

ତେବେ ବଜାର ପର୍ଯ୍ୟବେକ୍ଷକମାନଙ୍କ ମତରେ ଜଳପଥ ବନ୍ଦ କରି ବିଶ୍ୱ ତୈଳ ପ୍ରବାହରେ ସପୂର୍ଣ୍ଣ ବାଧା ସୃଷ୍ଟି କରିବା ପ୍ରାୟତଃ ଅସମ୍ଭବ।ଏନେଇ ଟ୍ରାନ୍ସଭର୍ସାଲ୍ କନସଲ୍ଟିଂର ସଭାପତି ଏଲେନ୍ ୱାଲ୍ଡ କହିଛନ୍ତି ଯେ ହର୍ମୁଜ୍ ଜଳପଥ ବନ୍ଦ କରିବା ଦ୍ୱାରା ଇରାନର କୌଣସି ଲାଭ ହେବ ନାହିଁ। ବରଂ ଏଇ ରାସ୍ତା ଦେଇ ଇରାନ ଚୀନକୁ ସର୍ବାଧିକ ତୈଳ ରପ୍ତାନୀ କରୁଥିବାରୁ ଏହା ବନ୍ଦ ହେଉ ବୋଲି ଚୀନ ଆଦୌ ଚାହିଁବନି। ଆଉ ଇରାନ ବି ଏହା ବନ୍ଦ କରି ଯୁଦ୍ଧ ସମୟରେ ନିଜର ଅର୍ଥନୀତି ଦୁର୍ବଳ କରିବାକୁ ଚାହିଁବନି ବୋଲି ବିଶେଷଜ୍ଞ କହିଛନ୍ତି।

ପଢନ୍ତୁ- ଇରାନ-ଇସ୍ରାଏଲ ଯୁଦ୍ଧ: ଭୟଙ୍କର ଭାବେ ପ୍ରଭାବିତ ହେବ ଭାରତ, ବିଶ୍ୱ ଅର୍ଥନୀତି ପାଇଁ ବିପଦ

ୱାଲ୍ଡ ଆହୁରି କହିଛନ୍ତି ଯେ ପାରସ୍ୟ ଉପସାଗରରୁ ତେଲ ରପ୍ତାନୀରେ କୌଣସି ପ୍ରକାରେ ବାଧା ସୃଷ୍ଟି ହେଉ ଓ ତେଲ ଦର ବଢ଼ୁ ବୋଲି ଚୀନ ଆଦୌ ଚାହିଁବନି। ତେଣୁ ଡ୍ରାଗନ ନିଜ ଆର୍ଥିକ ଶକ୍ତିର ସମ୍ପୂର୍ଣ୍ଣ ଭାର ଇରାନ ଉପରେ ଖର୍ଚ୍ଚ କରିପାରେ। ଆଉ ଯଦି ଇରାନ ଏହାକୁ ବନ୍ଦ କରେ ତେବେ ଶତ୍ରୁ ରାଷ୍ଟ୍ର ଅପେକ୍ଷା ଏହାର ମିତ୍ର ରାଷ୍ଟ୍ର ଅଧିକ ପ୍ରଭାବିତ ହେବେ। ତେଣୁ ଇରାନ ଜଳପଥ ବନ୍ଦ କରି ନପାରେ ବୋଲି ଏନର୍ଜି ଆଉଟଲୁକ୍ ଆଡଭାଇଜର୍ସର ମ୍ୟାନେଜିଂ ପାର୍ଟନର ଅନାସ ଆଲହାଜି କହିଛନ୍ତି। ଇରାନର ଅଧିକାଂଶ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଏହି ରାସ୍ତା ଦେଇ ଯାଆସ କରୁଛି, ତେଣୁ ସେହି ଦୃଷ୍ଟିରୁ ଏହି ଜଳପଥକୁ ବନ୍ଦ କରିବା ତେହେରାନ ପାଇଁ ବରଦାନ ଅପେକ୍ଷା ଅଭିଶାପ ହୋଇପାରେ ବୋଲି ଆଲହାଜି କହିଛନ୍ତି। କାରଣ ପ୍ରଥମେ ସେମାନେ ହିଁ ଏହାଦ୍ୱାରା କ୍ଷତିଗ୍ରସ୍ତ ହେବେ। 

ଇରାନ ପୂର୍ବରୁ ଧମକ ଦେଇ ସାରିଛି

ଇସ୍ରାଏଲ ଓ ଇରାନ ଯୁଦ୍ଧ ଲାଗିବା ପରେ ଷ୍ଟ୍ରେଟ୍ ଅପ୍ ହରମୁଜ ବନ୍ଦ ହେବାର ଆଶଙ୍କା ଏଥିପାଇଁ ପ୍ରକାଶ ପାଇଛି କାରଣ ଇରାନ ପୂର୍ବରୁ ଏଭଳି ଧମକ ଅନେକ ଥର ଦେଇ ସାରିଛି। ଆମେରିକା ପରମାଣୁ ଚୁକ୍ତିରୁ ଓହରିଯିବା ଏବଂ ପୁନଃ କଟକଣା ଲାଗୁ କରିବାରୁ ଉତ୍ତେଜନା ବୃଦ୍ଧି ପାଇବା ପରେ ୨୦୧୮ରେ ଇରାନ ହରମୁଜ୍ ଜଳପଥ ବନ୍ଦ କରିବାକୁ ଧମକ ଦେଇଥିଲା। ତା ପୂର୍ବରୁ ୨୦୧୧ ଓ ୨୦୧୨ରେ ମଧ୍ୟ ଇରାନ ଏହାକୁ ବନ୍ଦ କରିବାର ଧମକ ଦେଇ ସାରିଛି। ତତ୍କାଳୀନ ଉପରାଷ୍ଟ୍ରପତି ମହମ୍ମଦ-ରେଜା ରହିମିଙ୍କ ସମେତ ଇରାନୀ ଅଧିକାରୀମାନେ ଚେତାବନୀ ଦେଇ କହିଥିଲେ ଯେ ଯଦି ପଶ୍ଚିମ ଦେଶ ଏହାର ପରମାଣୁ କାର୍ଯ୍ୟକ୍ରମ ପାଇଁ ଏହାର ତୈଳ ରପ୍ତାନି ଉପରେ କଟକଣା ଲଗାନ୍ତି ତେବେ ଏହି ଜଳପଥ ବନ୍ଦ କରାଯାଇପାରେ। କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ବନ୍ଦ କରାଯାଇ ନାହିଁ। 

ଷ୍ଟ୍ରେଟକୁ ବନ୍ଦ କରିବା ଅସମ୍ଭବ କି?

ଷ୍ଟ୍ରେଟ୍ ଅଫ ହରମୁଜ୍ ଜଳପଥ ଅଞ୍ଚଳ ଅନୁସାରେ ୩୫ ରୁ ୬୦ ମାଇଲ୍ ବା (୫୫ ରୁ ୯୫ କିଲୋମିଟର) ଚଉଡା, ପାରସ୍ୟ ଉପସାଗର ଏବଂ ଆରବ ସାଗରକୁ ସଂଯୋଗ କରୁଛି। ଏହାକୁ ବନ୍ଦ କରିବାକୁ ଇରାନ ପୂର୍ବରୁ ଅନେକ ଥର ଧମକ ଦେଇ ସାରିଛି, ହେଲେ କେବେ ବନ୍ଦ କରି ନାହିଁ। ଏବଂ ଏହା ଅସମ୍ଭବ ବୋଲି ବିଶ୍ଳେଷକମାନେ କହିଛନ୍ତି। ଅଲହାଜୀଙ୍କ କହିବା ଅନୁସାରେ, ହର୍ମୁଜ୍ ଜଳପଥର ଅଧିକାଂଶ ଭାଗ ଓମାନ ଅଧିନସ୍ତ ରହିଛି। ଏହା ଏତେ ପ୍ରଶସ୍ତ ଯେ ଇରାନୀମାନେ ଏହାକୁ ବନ୍ଦ କରିପାରିବେ ନାହିଁ। ସେହିପରି, ଟ୍ରାନ୍ସଭର୍ସାଲ୍ କନସଲ୍ଟିଂର ୱାଲ୍ଡ କହିଛନ୍ତି ଯେ ଯଦିଓ ଅନେକ ଜାହାଜ ଇରାନ ଜଳସୀମା ଦେଇ ଯାତାୟାତ କରନ୍ତି, ତଥାପି ଜାହାଜଗୁଡ଼ିକ ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଓମାନ ଦେଇ ବିକଳ୍ପ ରାସ୍ତା ଦେଇ ଯାଇପାରିବେ।

ପଢ଼ନ୍ତୁ- ଇସ୍ରାଏଲ-ଇରାନ ଯୁଦ୍ଧ: ୧୦% ବଢ଼ିଲା ଅଶୋଧିତ ତୈଳ ଦର, ମହଙ୍ଗା ବଜାର ଆଶଙ୍କାରେ ବିଶ୍ୱ

ଏନେଇ କମନୱେଲଥ ବ୍ୟାଙ୍କ ଅଫ୍ ଅଷ୍ଟ୍ରେଲିଆର ଖଣି ଏବଂ ଶକ୍ତି ସାମଗ୍ରୀ ଗବେଷଣା ନିର୍ଦ୍ଦେଶକ ବିବେକ ଧର କହିଛନ୍ତି “ହର୍ମୁଜ୍ ଜଳପଥର ଅବରୋଧ କରିବା ଇରାନ ପାଇଁ ଏକ 'ଶେଷ ବିକଳ୍ପ ହୋଇପାରେ। ସମ୍ଭବତଃ ଏହା ଆମେରିକା ଏବଂ ଇରାନ ମଧ୍ୟରେ ସାମରିକ ଯୁଦ୍ଧ ଉପରେ ନିର୍ଭର କରିପାରେ”। ତେବେ ଏହି ଜଳପଥର ସାମ୍ୟକ ଅବରୋଧ ହେଇପାରେ ହେଲେ ସମ୍ପୂର୍ଣ୍ଣ ବନ୍ଦ କରିବା ଅସମ୍ଭବ ବୋଲି ଆରବିସି କ୍ୟାପିଟାଲ୍ ମାର୍କେଟ୍ସର ହେଲିମା କ୍ରୋଫ୍ଟ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.